ଓଡ଼ିଶାର ‘ଜାଗା ମିଶନ’ ଦେଶରେ ଶ୍ରେଷ୍ଠ
ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ, ଯିଏ କି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା ପାଇଁ ‘ଜାଗା ମିଶନ’ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ, ୬ଟି ପର୍ଯ୍ୟାୟରେ ସର୍ବେକ୍ଷଣ କରାଯିବା ପରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯାଉଛି। ଏହାପରେ ଉକ୍ତ ସରକାରୀ ଜମିରେ ଆବାସ ଯୋଜନାରେ ବାସଗୃହ ନିର୍ମାଣକୁ ଅନୁମୋଦନ ମିଳୁଛି। ଓଡ଼ିଶା ସରକାରଙ୍କ ଏହି ଯୋଜନା ଓ ତାହାର କାର୍ଯ୍ୟକାରିତାକୁ ଭାରତ ସରକାରଙ୍କ ସହିତ ଅନ୍ୟାନ୍ୟ ରାଜ୍ୟ ଉଚ୍ଚପ୍ରଶଂସା କରିଛନ୍ତି। ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଉତ୍ତମ ପ୍ରଦର୍ଶନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ସ୍ବତନ୍ତ୍ର ବର୍ଗର ପୁରସ୍କାର ପ୍ରଦାନ କରିବେ। ଗୁଜରାଟର ରାଜକୋଟଠାରେ ଆସନ୍ତା ୧୭ରୁ ୧୯ ତାରିଖ ମଧ୍ୟରେ କେନ୍ଦ୍ର ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ତା’ର ନୀତି ଲାଗି ପୁରସ୍କୃତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶକ ଶୁଭାଶିଷ ଦାସ ପତ୍ର ଲେଖି ଅବଗତ କରାଇଛନ୍ତି।
ଶ୍ରୀ ଦାସ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ)-୨୦୨୧ର ୧୫୦ଦିନିଆ ଉତ୍ତମ ପ୍ରଦର୍ଶନ ଲାଗି ତିନୋଟି ବର୍ଗରେ ଯୋଗ୍ୟ ରାଜ୍ୟ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ରାଜ୍ୟ ମହାନଗର ନିଗମ, ମହାନଗର ପରିଷଦ ଓ ନଗର ପଞ୍ଚାୟତ ପୁରସ୍କାର ରହିଥିବାବେଳେ ଦ୍ବିତୀୟରେ ସ୍ବତନ୍ତ୍ର ନୀତି ପ୍ରଣୟନ ଲାଗି ରାଜ୍ୟକୁ ସ୍ବତନ୍ତ୍ର ବର୍ଗ ପୁରସ୍କାର ପ୍ରଦାନ କରାଯିବ। ଏହାସହିତ ତୃତୀୟରେ ହିତାଧିକାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରୁ ଓଡ଼ିଶା ତାହାର ସ୍ବତନ୍ତ୍ର ନୀତି ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଉକ୍ତ ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ଅଧିକାରୀ ଯୋଗଦେବେ ତାଙ୍କର ସମ୍ପୂର୍ଣ୍ଣ ଠିକଣା ପ୍ରଦାନ କରିବାକୁ ଶ୍ରୀ ଦାସ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଜାଗା ମିଶନ ନିର୍ଦେଶକ ଦେବାଶିଷ ସିଂହ କହିଛନ୍ତି ଯେ, ଏହାଦ୍ବାରା ସରକାରଙ୍କ ଲକ୍ଷ୍ୟ ଧାର୍ଯ୍ୟ ୨ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୧ ହଜାର ହିତାଧିକାରୀଙ୍କ ପଟ୍ଟା ଅନୁମୋଦନ ହୋଇଥିବାବେଳେ ୧୫ ହଜାର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ପାରିଛି।
Comments are closed.