ଘରେ ପହଞ୍ଚିବ ଜନସେବା ଓ ବିକାଶ ବାର୍ତ୍ତା
ଏକାମ୍ରରୁ ବିଜେଡିର ପଦଯାତ୍ରା ଆରମ୍ଭ, ଶେଷଦିନରେ ସମୂହ ଶପଥ
ଭୁବେନଶ୍ବର : ପାରମ୍ପରିକ ବାଦ୍ୟରେ କମ୍ପୁଥିଲା ପରିବେଶ। ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ଭୁବନେଶ୍ବରର କାରଗିଲ ରୋଡ୍ ପଡ଼ିଆ। ଗୁଞ୍ଜରିତ ହୋଇ ଉଠୁଥିଲା ଜୟ ନବୀନ… ଜୟ ବିଜେଡି ଧ୍ବନି। ଏଭଳି ଏକ ପରିବେଶରେ ଏକାମ୍ରକ୍ଷେତ୍ରରୁ ରାଜ୍ୟବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୋଣଅନୁକୋଣରେ ଚାଲିବାକୁ ଥିବା ଏହି ପଦଯାତ୍ରାକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ପଦଯାତ୍ରା ଆରମ୍ଭର ବିଗୁଲ ବଜାଇ କାରଗିଲ ରୋଡ୍ ବସ୍ତିରେ ପଦଯାତ୍ରା କରିଥିଲେ ନବୀନ।
ଏହି ଅବସରରେ ଭୁବନେଶ୍ବର ଜିଲା ବିଜେଡି ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଏବଂ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରରେ ଆୟୋଜିତ ସମାରୋହରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ନବୀନଙ୍କ ବିକଶିତ ଓଡ଼ିଶାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ମୁଖ୍ୟମନ୍ତ୍ରୀ ଗାନ୍ଧୀଙ୍କ ପରଶମଣିରେ ବିଶ୍ବାସ କରନ୍ତି। ୨୫ ବର୍ଷ ହେଲା ସେ ନିରନ୍ତର ଜନସେବା ଜାରି ରଖିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଓ ମଜଭୁତ ଶାସନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଥିଲେ, ବିଜେଡିର ମୂଳଲକ୍ଷ୍ୟ ହେଉଛି ଜନସେବା। ଏହି ଲକ୍ଷ୍ୟକୁ ଘରେ ଘରେ ପହଞ୍ଚାଇବାକୁ ପଡ଼ିବ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରୁ ବହୁ ସଂଖ୍ୟାରେ କର୍ମକର୍ତ୍ତା ଏଠାରେ ସାମିଲ ହୋଇଥିଲେ।
ରାଜ୍ୟବ୍ୟାପୀ ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କୋରାପୁଟ ସବୁଠି ଶୁଭୁଛି ଶଙ୍ଖଧ୍ବନି। ଜନସେବାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ପ୍ରସ୍ତୁତି କର୍ମଶାଳାରୁ ମିଳିଥିବା ଗୁରୁମନ୍ତ୍ରକୁ ନେଇ ପଦଯାତ୍ରାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି କର୍ମକର୍ତ୍ତା। ଆସନ୍ତା ନଭେମ୍ବର ୨ରେ ସମୂହ ଶପଥ ଗ୍ରହଣ ସହ ମାସବ୍ୟାପୀ ପଦଯାତ୍ରାର ପରିସମାପ୍ତି କରାଯିବ। ବିଜେଡିର ୨୫ ବର୍ଷର ଯାତ୍ରା ଏବଂ ଏହା କିପରି ଏକ ସାମୂହିକ ଆନ୍ଦୋଳନରେ ପରିଣତ ହୋଇଛି, ସେ ସମ୍ପର୍କରେ ଦଳ ଜନସାଧାରଣଙ୍କୁ ଅବଗତ କରିବ। ପଦଯାତ୍ରା ଜିଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକସ୍ତରରେ ଆୟୋଜିତ ହେବ। ପ୍ରମୁଖ ପର୍ବପର୍ବାଣି ଦିନ ଏହି ପଦଯାତ୍ରା ବନ୍ଦ ରହିବ। ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ଫଟୋଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ପଦଯାତ୍ରା ସମୟରେ ସମ୍ପୃକ୍ତ ଅଞ୍ଚଳରେ ପ୍ରତି ଘରେ ରକ୍ତଦାନ, ଚାରାରୋପଣ ଏବଂ ଅନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରାଯିବ।
Comments are closed.