ଭାରତର ଐତିହାସିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ

ବର୍ଷାପଡ଼ାରେ ରନ୍‌ ବର୍ଷା: ମିଲରଙ୍କ ଶତକ ନିଷ୍ଫଳ; ଭାରତ ୧୬ ରନ୍‌ରେ ଜିତିଲା

ଗୁଆହାଟୀ : ୫ମ ପ୍ରୟାସରେ ପ୍ରଥମଥର ଘରୋଇମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିପାରିଛି ଭାରତ । ବ୍ୟାଟ୍‌ସମ୍ୟାନ୍‌ଙ୍କ ବିସ୍ଫୋରକ ପ୍ରଦର୍ଶନ ବଳରେ ରବିବାର ୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍‌ରେ ଭାରତ ପରାସ୍ତ କରିଛି । ଫଳରେ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ଭାରତ ଜିତିନେଇଛି। ସୂର୍ଯ୍ୟକୁମାର ଯାଦବ, କେ.ଏଲ୍‌. ରାହୁଲ ଓ ବିରାଟ କୋହଲିଙ୍କ ବିଧ୍ବଂସୀ ଇନିଂସ ବଳରେ ଭାରତ ୩ ୱିକେଟ୍‌ରେ ୨୩୭ ରନ୍‌ର ବିଶାଳ ସ୍କୋର୍ କରିଥିଲା। ପରେ ଡେଭିଡ୍‌ ମିଲରଙ୍କ ଅପରାଜିତ ଶତକ ଓ କ୍ବିଣ୍ଟନ ଡି କକ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ୨୨୧ ରନ୍‌ କରି ପାରିଥିଲା । ବର୍ଷାପଡ଼ା ଷ୍ଟାଡିୟମ୍‌ରେ ରନ୍‌ର ବର୍ଷା ହୋଇଥିଲା। ମ୍ୟାଚ୍‌ରେ ମୋଟ ୪୫୮ ରନ୍‌ ହୋଇଥିଲା।
୨୩୮ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ତେମ୍ବା ବାଭୁମା ଓ ରାଇଲି ରୁସୌ ଖାତା ଖୋଲି ପାରିନଥିଲେ। ୧ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ କ୍ବିଣ୍ଟନ ଡି କକ୍‌ ଓ ଐଡେନ୍ ମାର୍କରାମ୍ ୪୬ ରନ୍‌ ଯୋଡ଼ିଥିଲେ। ମାର୍କରାମ ମାତ୍ର ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌କରି ବିଦାୟ ନେଇଥିଲେ। ଆରମ୍ଭରୁ ଡି କକ୍‌ ସଟ୍‌ ଖେଳି ପାରିନଥିଲେ। ଫଳ​‌େ​‌ର ଦଳର ଆବଶ୍ୟକ ରନ୍‌ହାର ବଢ଼ିଥିଲା। ତେବେ ବାମହାତି ଡେଭିଡ୍‌ ମିଲର ବିସ୍ଫୋରକ ବ୍ୟାଟିଂକରି ସ୍କୋର୍‌କୁ ବଢ଼ାଇ ଚାଲିଥିଲେ। ପ୍ରଥମ ୧୦ ଓଭରରେ ମାତ୍ର ୭୦ ରନ୍‌ ହୋଇଥିବା ବେଳେ ୬୦ ବଲ୍‌ରୁ ଆଉ ୧୬୮ ରନ୍‌ ଆବଶ୍ୟକ ଥିଲା। ଶେଷ ୧୦ ଓଭରରୁ ଦକ୍ଷିଣ ଆଫ୍ରିକା ୧୫୧ ରନ୍‌ କରିଥିଲେ ହେଁ ଏହା ନିଷ୍ଫଳ ହୋଇଥିଲା। ୨ୟ ଟ୍ବେଣ୍ଟି୨୦ ଶତକ ହାସଲ କରିଥିବା ମିଲର ୪୭ ବଲ୍‌ରୁ ୭ଟି ଛକା ଓ ୮ଟି ଚୌକା ସହ ୧୦୬ ରନ୍‌କରି ଅପରାଜିତ ଥିଲେ। ପୂରା ୨୦ ଓଭର ବ୍ୟାଟିଂକରି ଡି କକ୍‌ ୪୮ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୬୯ ରନ୍‌କରି ଅପରାଜିତ ଥିଲେ। ଅର୍ଶଦୀପ ସିଂହ ୨ଟି ୱିକେଟ ନେଇଥିଲେ ହେଁ ୬୨ ରନ୍‌ ଦେଇଥିଲେ।
ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ ନେବା ପରେ ଭାରତୀୟ ବ୍ୟାଟ୍‌ସମ୍ୟାନ ମୂଳରୁ ଚମକିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଓଭର ପିଛା ୧୦ ରନ୍‌ରୁ ଅଧିକ ଗତିରେ ସ୍କୋର୍ କରିଥିଲା। ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ୧୦ମ ଓଭରରେ ୯୬ ରନ୍‌ର ଭାଗିଦାରୀ କରିଥିଲେ। ୩୭ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୩ ରନ୍‌କରି ଅଧିନାୟକ ରୋହିତ ଆଉଟ୍‌ ହୋଇଥିଲେ। ରାହୁଲ ବିସ୍ଫୋରକ ବ୍ୟାଟିଂକରି ୨୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ ୨୮ ବଲ୍‌ରୁ ୪ଟି ଛକା ଓ ୫ଟି ଚୌକା ସହ ୫୭ ରନ୍‌ କରିଥିଲେ। ୧୦୭ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଭାରତର ସ୍କୋର୍ ଏକ୍ସପ୍ରେସ୍‌ ଗତିରେ ବଢ଼ିଥିଲା। ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଚୌକା ଓ ଛକା ବର୍ଷା କରିଥିଲେ। ୧୨ ଓଭରରେ ଭାରତ ୧୧୩ ରନ୍‌ କରିଥିବା ବେଳେ ଶେଷ ୮ ଓଭରରେ ବିଧ୍ବଂସୀ ବ୍ୟାଟିଂକରି ୧୨୪ ରନ୍‌ ଯୋଡ଼ିଥିଲା। ସୂର୍ଯ୍ୟକୁମାର ମାତ୍ର ୧୮ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହାସହ ଟ୍ବେଣ୍ଟି୨୦ରେ ଭାରତ ପାଇଁ ସୂର୍ଯ୍ୟ ୨ୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହୋଇ ପାରିଛନ୍ତି। ପୁଣି ବିଶ୍ବର ୨ନଂ ଟ୍ବେଣ୍ଟି୨୦ ବ୍ୟାଟ୍‌ସମ୍ୟାନ୍ ସୂର୍ଯ୍ୟ କ୍ରମାଗତ ୩ୟ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ​‌େ​‌ଚୗକା ସହ ୬୧ ରନ୍‌ କରିଥିଲେ। ଶେଷ ୧୧ ବଲ୍‌ରୁ ବିରାଟ କୋହଲି ଓ ଦିନେଶ କାର୍ତ୍ତିକ ୨୮ ରନ୍‌ ନେଇଥିଲେ। କାର୍ତ୍ତିକ ୭ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୭ ରନ୍‌କରି ଅପରାଜିତ ଥିଲେ। କୋହଲି ୨୮ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୯ ରନ୍‌କରି ଅପରାଜିତ ଥିଲେ। କେଶବ ମହାରାଜ ୨ଟି ୱିକେଟ ନେଇଥିଲେ।

kalyan agarbati

Comments are closed.