ବସ୍ ଦୁର୍ଘଟଣାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଗୁରୁଡିଝାଟିଆ : ରବିବାର ଅପରାହ୍ନରେ ୫୫ ନଂ ଜାତୀୟ ରାଜପଥର କପୁରସିଂହ ନିକଟରେ ଢେଙ୍କାନାଳରୁ କଟକ ଅଭିମୁଖେ ଆସୁଥିବା ଏକ ଘରୋଇ ବସ୍ ଧକ୍କାରେ କପୁରସିଂହ ଗ୍ରାମର ଅରକ୍ଷିତ ରାଉତ(୬୨)ଙ୍କ ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ଗାଁ ଏବଂ ପାର୍ଶ୍ବବର୍ତ୍ତି ଅଞ୍ଚଳର ଯୁବକମାନେ ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ । ଏହା ଫଳରେ ପ୍ରାୟ ଦେଢଘଣ୍ଟା ଧରି ରାସ୍ତା ଜାମ୍ ରହିଥିଲା। ଘଟଣାସ୍ଥଳରେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ରେଡକ୍ରସ ପକ୍ଷରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓରନ୍ଦା ସରପଞ୍ଚ ପ୍ରତିନିଧି ରାଜୀବ ଲୋଚନ ଦାସ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ନିୟମ ଅନୁଯାୟୀ ବୀମା ବାବଦରେ ଯାହା ସହାୟତା ରାଶି ପାଇବା କଥା ତାହା ଦେବାକୁ ବ୍ୟବସ୍ଥା କରାଯିବାର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ଏପରିକି କପୁରସିଂହ ଛକରେ ସ୍ପିଡି ବ୍ରେକର ରଖିବା ପାଇଁ ପୁଲିସ ପ୍ରତିଶୃତି ଦେଇଛି । ଦୁୂର୍ଘଟଣା ଘଟାଇଥିବା ବସ୍ ଓ ବସ ଚାଳକକୁ ପୁଲିସ ଅଟକ ରଖିଛି। ପ୍ରକାଶଯୋଗ୍ୟ ମୃତ ଅରକ୍ଷିତ ଜମିରୁ ଘାସ ନେଇ ଆସୁଥିବା ବେଳେ ଘରୋଇ ବସଟି ତାକୁ ଧକ୍କା ଦେଇଥିଲା।
Comments are closed.