ଦଶହରା ପାଇଁ ଝଲସୁଛି ଆଠଗଡ ସହର
ଦେବୀ ପୀଠରେ ମହାଅଷ୍ଟମୀ ଓ ପୂଜା ମଣ୍ଡପରେ ମହାସପ୍ତମୀ
ଆଠଗଡ : କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ଧରି ଦୁର୍ଗାପୂଜା ଓ ଦଶହରା ଉତ୍ସବ ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରାଯାଇଥିବାବେଳେ ଚଳିତବର୍ଷ ପରିସ୍ଥିତି ନିୟନ୍ତ୍ରଣାଧିନ ହେବା ପରେ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ମା ଦୁର୍ଗାଙ୍କର ଦଶହରା ଉତ୍ସବ। ଦୁର୍ଗାପୂଜା ପାଇଁ ଆଠଗଡ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଉଠିଛି । ଆଠଗଡର ବିଭିନ୍ନ ଦେବୀପୀଠ ଯଥା ମା ବାଉତୀ, ଦକ୍ଷିଣଚଣ୍ଡୀ ଓ ଉତ୍ତରାଚଣ୍ଡୀ ମନ୍ଦିରରେ ଶୁକ୍ରବାର ଷଷ୍ଠୀ, ଶନିବାର ମହାସପ୍ତମୀ, ରବିବାର ମହାଅଷ୍ଟମୀ ପାଳିତ ହୋଇଥିବାବେଳେ ବିଭିନ୍ନ ପୂଜାମଣ୍ଡପରେ ରବିବାର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ଶନିବାର ଷଷ୍ଠୀ ଅବସରରେ ବିଲ୍ୱବରଣ କରାଯାଇଥିବାବେଳେ ରବିବାର ସପ୍ତମୀରେ ଚକ୍ଷୁଦାନ ଓ ଜୀବନ୍ୟାସ ସହିତ ସପ୍ତସତୀ ଚଣ୍ଡିପାରାୟଣ ଏବଂ ସପ୍ତମୀ ବିହିତ ହୋମଯଜ୍ଞ କରାଯାଇଥିଲା। ଆଠଗଡ ସହରର ଦୁର୍ଗାବଜାର, ଚାନ୍ଦବାଲିଛକ ବଜାର, ରାସରସିକପୁର, କନ୍ତୋଲ ଦୁର୍ଗାବଜାର ଓ କନ୍ତୋଲ ହାଟବଜାରରେ ମା ଦୁର୍ଗାଙ୍କର ମୃଣ୍ମୟୀମୂର୍ତ୍ତି ପୂଜା ପାଉଛନ୍ତି । ବିଭିନ୍ନ ମଣ୍ଡପରେ ସୁନ୍ଦର ସାଜ୍ଜସଜ୍ଜା ସାଙ୍ଗକୁ ସମଗ୍ର ସହର ଆଲୋକମାଳା ଓ ଆଲୋକ ତୋରଣରେ ଝଲସୁଛି। ସନ୍ଧ୍ୟାପରେ ମୁଖ୍ୟବଜାର ଗୁଡିକରେ ଅହେତୁକ ଜନଗହଳି ଦେଖିବାକୁ ମିଳୁଛି । ଲଘୁଚାପ ଜନିତ ବର୍ଷା ହେବାର ଆଶଙ୍କା ଥିବାରୁ ବ୍ୟବସାୟୀ ଏବଂ ପୂଜା କମିଟିର ସଦସ୍ୟ ଚିନ୍ତାରେ ରହିଛନ୍ତି। ଆଠଗଡ ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସମଗ୍ର ସହରରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି।
Comments are closed.