ସରକାର ଚାହିଁଲେ ଚିରସ୍ରୋତା ହେବ ମହାନଦୀ
ଜଳସଂକଟ ନେଇ ବିଶେଷଜ୍ଞଙ୍କ ଚିନ୍ତା
ମହାନଦୀ ଓ ଉପନଦୀରେ ବ୍ୟାରେଜ ନିର୍ମାଣ ଦାବି, ପ୍ରଭାବୀ ହେଉନି ନଦୀଗର୍ଭ ଜଳାଶୟ
ଭୁବନେଶ୍ୱର : ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇରେ ଫସିଯାଇଛି ମହାନଦୀ। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ମହାନଦୀ ଜଳ ନିୟନ୍ତ୍ରଣ ଛତିଶଗଡ଼ ହାତରେ ରହିବ। ସେପର୍ଯ୍ୟନ୍ତ ମହାନଦୀ ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଛତିଶଗଡ଼ ଉପରେ ଭରସା ନ କରି ଆମକୁ କିଛି କରିବାକୁ ପଡିବ। ଯେଉଁ ପାଣି ମୌସୁମି ସମୟରେ ଆସୁଛି, ତାକୁ ସଂରକ୍ଷଣ ଉପରେ ସରକାର ପଦକ୍ଷେପ ନେବା ଜରୁରୀ। ସେଥିପାଇଁ ମହାନଦୀ ଓ ଏହାର ଉପନଦୀ ଉପରେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ ହେଲେ ମହାନଦୀ ଚିରସ୍ରୋତା ହୋଇପାରିବ। ଏ ଦିଗରେ ସରକାରଙ୍କ ଉଦ୍ୟମ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ମହାନଦୀରେ ଯେଉଁ ପାଣି ବହିଯାଉଛି ତାକୁ ରୋକାଯାଇ ପାରିଲେ, ଜଳସଂକଟ ଦୂର ହେବ ବୋଲି ସେମାନେ କହିଛନ୍ତି। ତାହା ଛଡ଼ା ମହାନଦୀ ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ଜଳସଂକଟ ଦେଖାଯିବାର ଆଶଙ୍କା କରାଯାଉଛି। ଏହି ନଦୀ ଉପରେ ନିର୍ଭର କରୁଥିବା ରାଜ୍ୟର କୃଷି କ୍ଷେତ୍ରଠୁ ଆରମ୍ଭ କରି ଶିଳ୍ପ ଓ ସାଧାରଣ ଲୋକଙ୍କ ପାଇଁ ଜଳସଂକଟ ଏକ ବଡ଼ ସମସ୍ୟା ହେବାକୁ ଯାଉଛି। ଏହାର ସମାଧାନର ବାଟ ରାଜ୍ୟ ସରକାରଙ୍କ ପାଖରେ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେଥିପାଇଁ ମହାନଦୀ ଓ ଏହାର ଉପନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ ହେବା ଆବଶ୍ୟକ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ କହିଛନ୍ତି। ସେ କହିଛନ୍ତି ଯେ ମହାନଦୀ ଜଳ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ିଯାଇଛି, ମାତ୍ର ୧୯୫୬ ପରେ ଜଳ ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନାହିଁ। ହୀରାକୁଦ ପରେ ଟିକରପଡା ଓ ନରାଜରେ ଡ୍ୟାମ ହେବାକୁ ଯୋଜନା କରାଯାଇଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ବରମୂଳ ତଳକୁ ସୁବଳୟାଠାରେ ବ୍ୟାରେଜ କରାଯିବାକୁ ଯୋଜନା ହୋଇଥିଲା। ୧୯୮୪ ମସିହାରେ ମଣିଭଦ୍ରା ପ୍ରକଳ୍ପ ପାଇଁ ଯୋଜନା ଥିଲେ ମଧ୍ୟ ଏସବୁ ହୋଇପାରିଲା ନାହିଁ। ସେହିପରି ସିଣ୍ଡୋଲ ୧,୨,୩ ପାଇଁ ଯୋଜନା କରାଯାଇଥିଲେ ମଧ୍ୟ ହୋଇପାରିନାହିଁ। କେବଳ ଛତିଶଗଡ ଉପରେ ଦୋଷ ଦେଇ ଆମେ ବସିଯିବା ଠିକ ହେବ ନାହିଁ। ମହାନଦୀରେ ଜଳ ସଂରକ୍ଷଣ ପାଇଁ ଓଡ଼ିଶା ସରକାରଙ୍କୁ ଏହି ନଦୀ ଓ ଏହାର ଉପନଦୀ ଉପରେ ଅନେକ ଗୁଡିଏ ବ୍ୟାରେଜ କରିବାର ଆବଶ୍ୟକତା ରହିଛି। ଅନ୍ୟୂନ ୫ଟି ବ୍ୟାରେଜ କରାଗଲେ ମହାନଦୀରେ ଜଳ ସଂକଟ ଦେଖାଦେବ ନାହିଁ। ବରଂ ଏହା ଚିରସ୍ରୋତା ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଉଥିବା ନଦୀଗର୍ଭ ଜଳାଶୟ କିଛିମାତ୍ରାରେ ସାହାଯ୍ୟ କରିପାରେ, ମାତ୍ର ଏହା ଜଳସଂକଟ ଦୂର କରିପାରିବ ନାହିଁ। ତା’ଛଡା ହୀରାକୁଦ ଜଳଭଣ୍ଡାରର ମରାମତି କରିବା, ସ୍ପିଲ ୱେ କ୍ଷମତା ୧୫ ଲକ୍ଷ କ୍ୟୁସେକରୁ ୨୫ ଲକ୍ଷକୁ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି।
ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ ଆଇନଗତ ଲଢ଼େଇ ସମୟସାପେକ୍ଷ। ମାମଲା ଫଇସାଲା ନ ହେବା ପର୍ଯ୍ୟନ୍ତ ଅଣମୌସୁମୀ ସମୟରେ ଓଡ଼ିଶା ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବା ଦରକାର। ମହାନଦୀ ଓ ଏହାର ଉପନଦୀରେ ଜଳ ସଂରକ୍ଷଣ ଉପରେ ସେ ଗୁରୁତ୍ବ ଦେଉଛନ୍ତି। ୨୦୧୮ରେ ସରକାର ୭ଟି ବ୍ୟାରେଜ ଓ ୨୧ଟି ଆନିକଟ କରିବେ ବୋଲି କହିଥିଲେ ମଧ୍ୟ ତାହା ହୋଇପାରିଲାନି। ସରକାର କରୁଥିବା ନଦୀଗର୍ଭ ଜଳାଶୟ ବନ୍ୟାରେ ପୋତି ହୋଇଯିବ। ମହାନଦୀ ପାଣିକୁ ଗଛିତ କରାଯାଇପାରିଲେ ଏହା ଚିରସ୍ରୋତା ହୋଇପାରିବ। ତା’ଛଡା ଏହାର ଅବବାହିକାରେ ବହୁ ସଂଖ୍ୟାରେ ଜଳାଶୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ମହାନଦୀ ଅବବାହିକାରେ ସମ୍ଭାବ୍ୟ ଜଳସଂକଟର ମୁକାବିଲା ପାଇଁ ସରକାର ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ବ୍ୟାରେଜ ପ୍ରକଳ୍ପ ଇତ୍ୟାଦି ଯୋଜନା କରିଥିବା ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ସେସବୁ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଅଧିକାଂଶ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ବିଚାରାଧୀନ ରହିଛି। ତା’ଛଡା ୯ଟି ବ୍ୟାରେଜ ପ୍ରକଳ୍ପ ହାତକୁ ନିଆଯାଇଛି। ସେଥିରୁ ୫ଟିର ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁଛି। ଅବଶିଷ୍ଟ ୪ଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର), ସମ୍ଭାବ୍ୟତା (ଫିଜିବିଲିଟି) ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି। ମହାନଦୀ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ପରେ କେନ୍ଦ୍ରୀୟ ଜଳ ଆୟୋଗ ଏହାର ତର୍ଜମା କରିବ। ଭୂପୃଷ୍ଠ ଜଳ ସଂରକ୍ଷଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୯୦.୪୪ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬ଟି ନଦୀଗର୍ଭ ଜଳାଶୟ କାର୍ଯ୍ୟ କରାଯାଉଛି। ୨୦୨୪ ଶେଷ ସୁଦ୍ଧା ସେସବୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୫୭୩୨.୯୭ କୋଟି ଟଙ୍କା ବ୍ୟୟରେ ୧୧ଟି ନଦୀଗର୍ଭ ଜଳାଶୟ କରାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି।
Comments are closed.