ବ୍ୟବସାୟୀଙ୍କୁ ହତୋତ୍ସାହିତ କରୁଛି ବର୍ଷା ଛନକା
ତିଗିରିଆ : କରୋନା କଟକଣାରେ ଗତ ଦୁଇ ବର୍ଷ ହେଲା ନୂଆପାଟଣାର ଦଶହରା ଅତ୍ୟନ୍ତ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ଚଳିତ ବର୍ଷ ବେଶ ଧୁମଧାମରେ ଦଶହରା ପାଳନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ବ୍ୟବସାୟୀଙ୍କ ଛାତିରେ ବର୍ଷା ଛନକା ପୁରାଇଛି ବର୍ଷା। ଏବେଠୁ ବଜାର ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇ ଝଲସୁଥିବା ବେଳେ ଶନିବାର ସନ୍ଧ୍ୟାରେ ଏହାର ଝଲକ ଦେଖିବାକୁ ମିଳିଥିଲା । ଅସରାଏ ବର୍ଷା ବ୍ୟବସାୟୀଙ୍କୁ ହତୋତ୍ସାହିତ କରିଛି। ପାଣିପାଗ ବିଭାଗର ସୂଚନାରେ ଦଶହରା ବେଳକୁ ବର୍ଷା ହେବା ସମ୍ଭାବନା ଥିବାରୁ ପ୍ରତିକୂଳ ପାଣିପାଗରେ ଶ୍ରଦ୍ଧାଳୁଙ୍କ ଆଗମନ ହ୍ରାସ ପାଇଲେ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି । ନୂଆପାଟଣାର ୪ ବଜାରରେ ୫ଶହଟି ସ୍ଥାୟୀ ଦୋକାନ ଓ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବା ବେଳେ ଦଶହରା ପାର୍ବଣରେ ଖୁଣ୍ଟୁଣୀ, ନରସିଂହପୁର ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ପ୍ରାୟ ୧ହଜାର ଅସ୍ଥାୟୀ ବ୍ୟବସାୟୀ ବିଭିନ୍ନ ବେଉସା କରିଥାନ୍ତି । ଏହି ଦଶହରାରେ ବର୍ଷକର ସବୁଠୁ ବଡ଼ ବ୍ୟବସାୟିକ କାରବାର ହୋଇଥାଏ ବୋଲି ବ୍ୟବସାୟୀମାନଙ୍କ ଠାରୁ ଜଣାପଡ଼ିଛି । ପାର୍ବଣର ପ୍ରତିକୂଳ ପାଗରେ ରାସ୍ତା କଡ଼କ ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀମାନେ ବିଶେଷ କ୍ଷତିଗ୍ରସ୍ତ ହେଉଥିବାରୁ ପୂର୍ବ ପାର୍ବଣ କାଳୀନ ପ୍ରତିକୂଳ ପାଣିପାଗରେ ଜଣାପଡ଼ିଛି । ଚଳିତ ବର୍ଷ ନୂଆପାଟଣାରେ ୫ତାରିଖ ବିଜୟା ଦଶମୀ ଦିନ ଦଶହରା ଯାତ୍ରା ପାଳନ କରାଯିବା ସହିତ ଆଉ ଗୋଟିଏ ଦିନ ଅତିରିକ୍ତ ୬ତାରିଖ ଦିନ ମଧ୍ୟ ଯାତ୍ରା ଅନୁଷ୍ଠିତ ହେବ। ୭ତାରିଖରେ ଏଠାରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ୪ ବଜାର ସଭାପତି ପ୍ରକାଶ କୁମାର ଦାସ କହିଛନ୍ତି ।
Comments are closed.