ବିଶ୍ୱ ବରିଷ୍ଠ ନାଗରିକ ଦିବସ ; ମେଘା ସେକ୍ଟରରେ ସଚେତନତା କାର୍ଯ୍ୟକ୍ରମ
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ଅଙ୍ଗନବାଡି କେନ୍ଦ୍ରଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ମେଘା ସେକ୍ଟରର ବହୁମୁଖୀ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ବରିଷ୍ଠ ନାଗରିକଙ୍କର ବଳିଷ୍ଠ ଦିଗ୍ଦର୍ଶନ ସମାଜକୁ ଠିକ୍ ରାସ୍ତାରେ ପରିଚାଳିତ କରିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ତେଣୁ ସେମାନଙ୍କର ସେବା ଓ ଯତ୍ନ ନେବା ସହିତ ସେମାନଙ୍କ ପରାମର୍ଶ ମାନିବା ଆମମାନଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ । ବରିଷ୍ଠ ନାଗରିକ ନାଗରିକମାନେ କିପରି ସୁସ୍ଥ ଜୀବନଯାପନ କରିବେ ସେଥିପାଇଁ ସେମାନଙ୍କ ପାଇଁ ସୁଷମ ଖାଦ୍ୟ, ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦରକାର । ବରିଷ୍ଠ ନାଗରିକ ତମାଖୁ ଓ ମାଦକ ଦ୍ରବ୍ୟରୁ ନିବୃତ୍ତ ରହିବା, ଯଥେଷ୍ଟ ବିଶ୍ରାମ ନେବା ଆବଶ୍ୟକ। ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଉଚ୍ଚ ରକ୍ତଚାପ, ରକ୍ତ ସର୍କରା, କିଡନୀ ଓ ଶ୍ୱାସରୋଗର ପରୀକ୍ଷା କରିବା ସହିତ ନିୟମିତ ଡାକ୍ତରୀ ପରାମର୍ଶ ନେବା ଲାଗିି ଶ୍ରୀ ଅସଲମ କହିଥିଲେ। ବରିଷ୍ଠ ନାଗରିକଙ୍କୁ ଘରେ ଟେଲି ସେବା ମାଧ୍ୟମରେ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାରୁ ଏହାର ସୁଯୋଗ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ସୁନିତା ଦାସ, ଆଶାକର୍ମୀ ବନିତା ରାଉତ, ରେଣୁବାଳା ବସ୍ତି ଏବଂ ଗାଁ କଲ୍ୟାଣ ସମିତିର ସଭ୍ୟଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।
Comments are closed.