ଗୋପବନ୍ଧୁ ମହିଳା କଲେଜକୁ ପୁସ୍ତକ ଦାନ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ଗ୍ରନ୍ଥାଗାର ପାଇଁ ଲଜେର ପ୍ରଥମ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ସାରସ୍ୱତ ସାଧିକା ଡଃ ମନୋରମା ମହାପାତ୍ରଙ୍କ ସ୍ମୃତିରେ ଶତାଧିକ ପୁସ୍ତକ ଦାନ କରାଯାଇଛି । ଏହି ଗୋପବନ୍ଧୁ ମହିଳା କଲେଜ ପ୍ରତିଷ୍ଠାରେ ୰ଶ୍ରୀମତୀ ମହାପାତ୍ରଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ୰ଡଃ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗତ ୧୭ତାରିଖରେ କଲେଜ ପରିସରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । ଆମେରିକାରେ ଅବସ୍ଥାନ କରୁଥିବା ତାଙ୍କର ଜ୍ୟେଷ୍ଠକନ୍ୟା ଶ୍ୱେତପଦ୍ମା ଦାଶ ମା ମନୋରମା ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ କନିଷ୍ଠ ଏବଂ ସ୍ନାତ୍ତକ ମହାବିଦ୍ୟାଳୟର ଗ୍ରନ୍ଥାଗାର ପାଇଁ ରାଜ୍ୟର ବହୁ ସୁନାମଧନ୍ୟ ସାରସ୍ୱତ ସ୍ରଷ୍ଟାଙ୍କ ଦ୍ୱାରା ରଚିତ ଶତାଧିକ ପୁସ୍ତକ ପ୍ରଦାନ କରିଛନ୍ତି । ଶ୍ରୀମତୀ ଦାଶ କଲେଜରେ ପହଞ୍ଚିବା ପରେ ତାଙ୍କୁ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏବଂ ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମହାପାତ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ, ପଦ୍ମଭୂଷଣ ଡଃ ରାଧାନାଥ ରଥ ଓ ଡଃ ମନୋରମା ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ଶ୍ରୀମତୀ ଦାଶ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରଥିଲେ । ଜ୍ଞାନ ଆହରଣ ଓ ଶିକ୍ଷଣ ପାଇଁ ବିଭିନ୍ନ ମାଧ୍ୟମ ଥିଲେ ମଧ୍ୟ ପୁସ୍ତକର ବିକଳ୍ପ ନାହିଁ । ତେଣୁ ଛାତ୍ରୀମାନଙ୍କୁ ବିଭିନ୍ନ ପୁସ୍ତକ ପଢିବା ପାଇଁ ପ୍ରୋତ୍ସାହିତ କରିବା ଲାଗି ଶ୍ରୀମତୀ ଦାଶ କଲେଜର ଦୁଇ ଅଧ୍ୟକ୍ଷା ଓ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କଲେଜ ଗ୍ରନ୍ଥାଗାରକୁ ଅଧିକ ପୁସ୍ତକ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଥିଲେ। ଶ୍ରୀମତୀ ଦାଶଙ୍କ ସହିତ ଭୁବନେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ଡଃ ବନଲତା ମହାପାତ୍ର ଏବଂ ଆଠଗଡ ଇନରହ୍ୱିଲ କ୍ଲବର ପ୍ରାକ୍ତନ ସଭାନେତ୍ରୀ ତଥା ସମାଜସେବୀ କଳ୍ପଲତା ଦାଶ ପ୍ରମୁଖ ମହିଳା କଲେଜ ପରିଦର୍ଶନ କରିଥିଲେ।

Comments are closed.