କେରଳରେ ପିଏଫଆଇର ବିକ୍ଷୋଭ ; ୫୦୦ ଗିରଫ

ସଂଗଠନ ବିରୋଧରେ ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ମୌଳବାଦୀ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍ଆଇ) ପକ୍ଷରୁ ଶୁକ୍ରବାର କେରଳର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ଦେଇଥିବା ୧୨ଘଣ୍ଟିଆ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଦୋକାନ ବଜାର, ଗାଡି ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ପିଏଫଆଇର ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଗୁରୁବାର ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଓ ଏହାର ନେତାଙ୍କ ଘରେ ଚଢଉ କରିଥିଲା। ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ଚଢଉ ବେଳେ ଏନଆଇଏ ପିଏଫଆଇର ଶତାଧିକ ନେତାଙ୍କୁ ଗିରଫ କରିଥିଲା।
ପିଏଫଆଇ କହିଛି ଯେ ଏହାର ଜାତୀୟ ଓ ରାଜ୍ୟସ୍ତର ନେତାଙ୍କ ବିରୋଧରେ ଏନଆଇଏ ନେଇଥିବା କାର୍ଯ୍ୟାନୁଷ୍ଠାନ ଅନୁଚିତ୍। ଏନଆଇଏର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ପିଏଫଆଇ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେରଳ ପିଏଫଆଇର ମୁଖ୍ୟ ପେଣ୍ଠସ୍ଥଳ ହୋଇଥିବାରୁ ଏଠାରେ ସଂଗଠନର ସଦସ୍ୟ ଓ ସମର୍ଥକମାନେ ବିକ୍ଷୋଭ ଓ ହିଂସାକାଣ୍ଡ ଘଟାଇଛନ୍ତି। ବିକ୍ଷୋଭକାରୀମାନେ ବିଜେପି ଓ ଆରଏସ୍ଏସ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ପକାଇଛନ୍ତି। ଆଜିର ବିକ୍ଷୋଭକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ୫୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିବା ସହିତ ୪୦୦ଙ୍କୁ ଅଟକ ରଖିଛି। କେରଳ ଏଡିଜିପି (ଆଇନ ଶୃଙ୍ଖଳା) ବିଜୟ ସାକହାରେ କହିଛନ୍ତି ଯେ ମାଟ୍ଟାନୁରସ୍ଥିତ ଆରଏସ୍ଏସ୍ କାର୍ଯ୍ୟାଳୟ ଉପରକୁ ଟେକାପଥର ଓ ପେଟ୍ରୋଲ ବୋମା ମାଡ ହୋଇଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା କରିବା ସହିତ ରାସ୍ତା ଅବରୋଧ କରିଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଦୋକାନ ବଜାରକୁ ଜୋର ଜବରଦସ୍ତ ବନ୍ଦ କରିଥିଲେ। କୋଟ୍ଟାୟମ ଜିଲାରେ ଏରାଟ୍ଟୁପେଟ୍ଟାରେ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ପୁଲିସ ଲାଠି ମାଡ କରିଥିଲା। ତିରୁଅନନ୍ତପୁରମ୍‌, କୋଲାମ, କୋଝିକୋଡ, ୱାୟନାଡ ଓ ଆଲ୍ଲାପୁଝାରେ ରାଜ୍ୟ ପରିବହନ ନିଗମ ବସ୍ (କେଏସ୍ଆରଟିସି)କୁ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିଲେ। କୋଝିକୋଡରେ ଏକ ଲରି ଚାଳକ ବିକ୍ଷୋଭକାରୀଙ୍କ ମାଡରେ ଗୁରୁତର ଆହତ ହୋଇଛନ୍ତି। ଏହା ସହିତ ଦୁଇଜଣ ପୁଲିସ ଅଧିକାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ପିଏଫଆଇର ଆଜିର ବିକ୍ଷୋଭକୁ ନେଇ କେରଳ ହାଇକୋର୍ଟ ସଂଗଠନ ବିରୋଧରେ ମାମଲା ରୁଜୁ କରିଛନ୍ତି। ପିଏଫଆଇର ବନ୍ଦ ପାଳନକୁ ହାଇକୋର୍ଟ ବେଆଇନ ଦର୍ଶାଇଛନ୍ତି। ବନ୍ଦ ପାଳନ ପାଇଁ ୭ଦିନ ଆଗରୁ ସର୍ବସାଧାରଣରେ ସୂଚନା ଦିଆଯିବାକୁ ନିୟମ ରହିଥିବାବେଳେ ପିଏଫଆଇ ହଠାତ୍ ବନ୍ଦ ପାଳନ କରି ଲୋକଙ୍କ ଜୀବନ ଓ ଜୀବିକାରେ ବ୍ୟାଘାତ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହା ସହିତ ହାଇକୋର୍ଟ ରାଜ୍ୟ ପୁଲିସକୁ ନୋଟିସ ଜାରି ପୂର୍ବକ ସରକାର ଓ ଜନତାଙ୍କ ସମ୍ପତ୍ତି ନଷ୍ଟ ହେବାକୁ ରୋକିବାକୁ ନିର୍ଦେଶ ଦେଇଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପିଏଫଆଇର ସମ୍ପୃକ୍ତିକୁ ନେଇ ଏହାକୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ଆସାମ ଓ କର୍ଣ୍ଣାଟକ ସରକାର ଦାବି କରିଛନ୍ତି। ଏନଆଇଏର କହିବା ଅନୁଯାୟୀ ପିଏଫ୍ଆଇ ବିଭିନ୍ନ ସ୍ଥାନରେ ଶିବିର ପକାଇ ଯୁବକଙ୍କୁ ନିଯୁକ୍ତି ଦେଉଛି। ପିଏଫଆଇରେ ନିଯୁକ୍ତ ଯୁବକଙ୍କୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। କର୍ଣ୍ଣାଟକରେ ହିଜାବକୁ ନେଇ ଦେଖାଯାଇଥିବା ସାମ୍ପ୍ରଦାୟିକ ଉତ୍ତେଜନା ପଛରେ ପିଏଫଆଇର ସମ୍ପୃକ୍ତି ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା।

kalyan agarbati

Comments are closed.