ସୁବର୍ଣ୍ଣରେଖାର ପ୍ରତିଦ୍ବନ୍ଦ୍ବୀ ତାଜପୁର ବନ୍ଦର
ମମତାଙ୍କ ଅଗ୍ରଗତିରେ ଓଡ଼ିଶା ସ୍ବାର୍ଥ ବ୍ୟାହତ
ବାଲେଶ୍ୱର : ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା ନଦୀ ମୁହାଣରେ ବୃହତ୍ ବନ୍ଦର ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଥିଲେ। ସେଥିପାଇଁ ୧୬ ବର୍ଷ ତଳେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଇତିମଧ୍ୟରେ ଏହି ପ୍ରକଳ୍ପ ପାଇଁ ଖଣ୍ଡେ ପଥର ପଡିନାହିଁ କିମ୍ବା ଏହା ପାଦେ ଆଗକୁ ଯାଇପାରିନାହିଁ। ଅନ୍ୟପକ୍ଷରେ ଆଦାନୀ ଗ୍ରୁପ୍ ଖୁବ୍ ଶୀଘ୍ର ପଶ୍ଚିମ ବଙ୍ଗର ଦୀଘା ଉପକୂଳ ନିକଟ ତାଜପୁରରେ ବୃହତ ବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ। ଏଥିପାଇଁ ଗତ ୧୯ ତାରିଖରେ ପଶ୍ଚିମ ବଙ୍ଗ କ୍ୟାବିନେଟ ଆଦାନୀ ଗ୍ରୁପ (ଆଦାନୀ ପୋର୍ଟସ ଆଣ୍ଡ ସ୍ପେସିଆଲ ଇକୋନୋମିକ୍ ଜୋନ)ର ଆବେଦନକୁ ଚୂଡ଼ାନ୍ତ ମଞ୍ଜୁରୀ ଦେଇଛି। ବନ୍ଦର ପାଇଁ ୧୫ ହଜାର କୋଟି ଓ ସେଠାରେ ଅନ୍ୟ ଉଦ୍ୟୋଗ ପାଇଁ ଆଉ ୧୦ ହଜାର କୋଟି, ଏହିଭଳି ମୋଟ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାକୁ ଥିବାବେଳେ ୨୫ ହଜାରରୁ ଊର୍ଦ୍ଧ୍ବ ଲୋକ କର୍ମନିଯୁକ୍ତି ପାଇବେ ବୋଲି କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଜପୁରରେ ଥରେ ବନ୍ଦର କାର୍ଯ୍ୟକ୍ଷମ ହେଲେ ଆଉ ସୁବର୍ଣ୍ଣରେଖା ବନ୍ଦର ସମ୍ଭବ ହେବନାହିଁ। କାରଣ ସୁବର୍ଣ୍ଣରେଖା ନଦୀ ମୁହାଣ ଠାରୁ ତାଜପୁରକୁ ଦୂରତ୍ୱ ମାତ୍ର ୩୮ କିଲୋମିଟର।
ତେଣୁ ତାଜପୁରରେ ପ୍ରଥମେ ବନ୍ଦର ହେବାକୁ ଥିବାବେଳେ ପରେ ସୁବର୍ଣ୍ଣରେଖା ବନ୍ଦର ହେଲେ ଏହା ବାଣିଜ୍ୟିକ ଦୃଷ୍ଟିକୋଣରୁ ଲାଭଜନକ ହେବ କି ନାହିଁ ତାହାକୁ ନେଇ ଚିନ୍ତା ବଢୁଛି। କେବଳ ସେତିକି ନୁହେଁ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଜପୁର ବନ୍ଦର ନିର୍ମାଣ ନିମନ୍ତେ ଆଦାନୀକୁ ସମସ୍ତ ସୁବିଧା ଯୋଗାଇଦେଉଥିବାବେଳେ ସେଠାରେ ଜନସାଧାରଣ ପ୍ରକଳ୍ପକୁ ବିରୋଧ କରୁନାହାନ୍ତି। ଅନ୍ୟ ପକ୍ଷରେ ବାଣିଜ୍ୟିକ କାରବାର ଦୃଷ୍ଟିରୁ ଅଧିକ ଅନୁକୂଳ ବିବେଚିତ ହେଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ସ୍ଥାନୀୟ ଲୋକଙ୍କର ତୀବ୍ର ବିରୋଧ ଥିବାବେଳେ ଓଡ଼ିଶା ସରକାର ଏ ଯାଏ ସମାଧାର ରାସ୍ତା ବାହାର କରିପାରି ନାହାନ୍ତି।
ଉଲ୍ଳେଖଯୋଗ୍ୟ ଯେ, ତାଜପୁରରେ ପ୍ରସ୍ତାବିତ ବନ୍ଦର ସ୍ଥଳ ଓଡ଼ିଶାର ଭୋଗରାଇ ବ୍ଲକ ସାହାବାଜିପୁର ଠାରୁ ୨୪ କିମି ଓ ଦୀଘା ଠାରୁ ୧୮ କିମି ଦୂରରେ ଅବସ୍ଥିତ। ସେହିପରି ତାଜପୁରରୁ ହଳଦିଆ ବନ୍ଦର ୯୯ କିମି ଦୂର। ହଳଦିଆ ବନ୍ଦର ପୋତିହୋଇଯିବା ଓ ଏହାର କାରବାର ପାରାଦ୍ୱୀପ ବନ୍ଦର ଉପରେ ନିର୍ଭର କରୁଥିବାରୁ ପଶ୍ଚିମ ବଙ୍ଗ ସରକାର ତାଜପୁରରେ ବନ୍ଦର ନିର୍ମାଣ ନିଷ୍ପତ୍ତି ନେଇଛନ୍ତି। ତାଜପୁରରେ ବନ୍ଦର ପାଇଁ ଭିତ୍ତିଭୂମି ଓ ଭୌଗୋଳିକ ଅବସ୍ଥିତି ଅନୁକୂଳ। ଏହି ସ୍ଥାନ ରେଳ ପଥ ଠାରୁ ମାତ୍ର ୮ କିମି ଓ ଜାତୀୟ ରାଜପଥ ଠାରୁ ୫ କିମି ଦୂରରେ ଅବସ୍ଥିତ। ସରକାର କମ୍ପାନୀକୁ ୧ ହଜାର ଏକର ସରକାରୀ ଜାଗା ମାଗଣାରେ ଯୋଗାଇ ଦେବାକୁ ଚିହ୍ନଟ କରିସାରିଛନ୍ତି । ସେଠାରେ ସମୁଦ୍ରର ଗଭୀରତା ବା ଡ୍ରାଫ୍ଟ ୧୨.୧ ମିଟର ଥିବାବେଳେ ୧୮ କିମି ଚାନେଲ ଖୋଳାଯାଇ ୧୬ ମିଟର ଯାଏ ଡ୍ରାଫ୍ଟ ସୃଷ୍ଟି କରାଯିବ। ତାଜପୁର ବନ୍ଦର ଦେଇ ପଶ୍ଚିମ ବଙ୍ଗ ସମେତ ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ନେପାଳ ଓ ଓଡ଼ିଶାର ବାଣିଜ୍ୟିକ କାରବାର ହୋଇପାରିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଡିସେମ୍ବର, ୨୦୦୬ରେ ଭୋଗରାଇ ବ୍ଲକ ଗସ୍ତରେ ଆସିଥିବାବେଳେ ସୁବର୍ଣ୍ଣରେଖା ନଦୀ ମୁହାଣର ଉତ୍ତର ପଟ, କାର୍ତ୍ତନିଆରେ ବୃହତ ବନ୍ଦର ହେବ ବୋଲି ଘୋଷଣା କରିଥିଲେ। ମାତ୍ର ପରେ ସ୍ଥାନ ବଦଳାଯାଇ ନଦୀର ଦକ୍ଷିଣ ପଟ ଚୌମୁଖରେ ବନ୍ଦର ହେବା ପାଇଁ ଡିସେମ୍ବର ୧୭ରେ ଚେନ୍ନଇର କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା। ଏହି ବନ୍ଦର ଦେଇ ପଶ୍ଚିମ ବଙ୍ଗ ସମେତ ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ନେପାଳ ଓ ଓଡ଼ିଶାର ବାଣିଜ୍ୟିକ କାରବାର ହୋଇପାରିବ ଓ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। ୨୦୧୮ରେ ଟାଟା ଷ୍ଟିଲ ଉକ୍ତ ବନ୍ଦର ପ୍ରକଳ୍ପରେ ୫୧ ପ୍ରତିଶତ ମୂଳଧନ ଖଟାଇ ଭାଗୀଦାର ହେବ ବୋଲି ଚୁକ୍ତି କଲା। ୧୩ ଫେବୃଆରୀ ୨୦୧୯ରେ ବାଲେଶ୍ୱରରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ବନ୍ଦରର ଶିଳାନ୍ୟାସ କଲେ। ମାତ୍ର ବନ୍ଦର ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଚଉମୁଖ ଅଞ୍ଚଳର ଲୋକ ଏହି ପ୍ରକଳ୍ପକୁ ତୀବ୍ର ବିରୋଧ କରୁଥିବାରୁ ଜଟିଳ ସମସ୍ୟା ସୃଷ୍ଟି ହୋଇଛି।
ତେବେ ବାଣିଜ୍ୟିକ କାରବାର ଦୃଷ୍ଟିରୁ ସୁବର୍ଣ୍ଣରେଖା ମୁହାଣ ତାଜପୁର ଅପେକ୍ଷା ଅଧିକ ଅନୁକୂଳ। ସମୁଦ୍ରର ଗଭୀରତା କମ୍ ଯୋଗୁ ତାଜପୁର ବନ୍ଦରକୁ ୧ ଲକ୍ଷ ଟନ ପର୍ଯ୍ୟନ୍ତ ମାଲ ବୋଝେଇ ଜାହାଜ ଆସିପାରିବ। ମାତ୍ର ସୁବର୍ଣ୍ଣରେଖା ମୁହାଣ ନିକଟରେ ସମୁଦ୍ରର ଗଭୀରତା ବା ଡ୍ରାଫ୍ଟ ଦେଶରେ ସର୍ବାଧିକ ୧୮ ମିଟର ଉପଲବଧ ହେବ। ୧୬ ମିଟରରୁ ଅଧିକ ଗଭୀରତା ଥିବାରୁ ଏଠାକୁ ଅଲଟ୍ରା କଣ୍ଟେନର(୨ ଲକ୍ଷ ୫୦ ହଜାର ଟନରୁ ଅଧିକ ଓଜନର ମାଲ), ଭେରି ଲାର୍ଜ କ୍ରୁଡ କେରିଅର ଜାହାଜ(୨ ଲକ୍ଷରୁ ଅଢ଼େଇ ଲକ୍ଷ ଟନ), ଅଲଟ୍ରା ଲାର୍ଜ କ୍ରୁଡ କେରିଅର ସିପ୍ (୫ ଲକ୍ଷ ଟନ ଯାଏ ମାଲ) ଆସିପାରିବ। ବନ୍ଦରକୁ ଭିତ୍ତି କରି ଏଠାରେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇ କର୍ମନିଯୁକ୍ତିର ବ୍ୟାପକ ପରିସର ସୃଷ୍ଟି ହେବା ସହ ସମୃଦ୍ଧିର ଯୁଗ ଆସିବ। ତେଣୁ ରାଜ୍ୟ ସରକାର ଚଉମୁଖରେ ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ କିମ୍ବା ବିକଳ୍ପ ପନ୍ଥା ଭାବେ ସୁବର୍ଣ୍ଣରେଖା ନଦୀର ଉତ୍ତର ପଟ କୀର୍ତ୍ତନିଆ-ବିଚିତ୍ରପୁରକୁ ପ୍ରକଳ୍ପ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ କୀର୍ତ୍ତନିଆରେ ୩୩ ଶହ ଏକରରୁ ଊର୍ଦ୍ଧ୍ବ ସରକାରୀ ଜାଗା ଥିବାରୁ ଅଧିଗ୍ରହଣ ସମସ୍ୟା ନାହିଁ। ସେହିପରି ଏଠାରୁ ୨୦ କିମି ଦୂର ଦୀଘାରେ ରେଳପଥ ଥିବାବେଳେ ଜଳେଶ୍ୱର-ଦୀଘା ରେଳ ପଥ ନିର୍ମାଣ ପ୍ରସ୍ତାବ ରହିଛି।
Comments are closed.