ମାନବ ବିକାଶରେ ଭାରତ ପଛୁଆ କାହିଁକି ?
ନିକଟରେ ମିଳିତ ଜାତିସଂଘର ୟୁଏନ୍ଡ଼ିପି ସଂସ୍ଥା ପକ୍ଷରୁ ୨୦୨୧ ବର୍ଷର ବିଶ୍ୱ ମାନବ ବିକାଶ ସୂଚକାଙ୍କ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଭାରତ ମାନବ ବିକାଶରେ ପୂର୍ବବର୍ଷଠାରୁ ଆହୁରି ତଳକୁ ଯାଇ ବିଶ୍ୱର ୧୯୧ଟି ଦେଶ ମଧ୍ୟରେ ୧୩୨ ସ୍ଥାନରେ ରହିଥିବା ଜଣାପଡ଼ିଛି। ଗତ ତିନି ଦଶକର ଅବଧିରେ ଭାରତ କ୍ରମାଗତ ଭାବେ ଦୁଇ ବର୍ଷ ସୂଚକାଙ୍କରେ ତଳକୁ ଖସିଛି। ଆମ ଦେଶ ପୂର୍ବ ପରି ବିଶ୍ୱର ମଧ୍ୟମ ମାନବ ବିକାଶ କରୁଥିବା ଦେଶଙ୍କ ଶ୍ରେଣୀରେ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଦେଶ ଏହି ଶ୍ରେଣୀରେ ରହିଛନ୍ତି। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରର ମୋଦୀ ସରକାରଙ୍କ ନେତୃତ୍ୱରେ ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ମାନବ ବିକାଶ ସୂଚକାଙ୍କରେ ଆମର ନୈରାଶ୍ୟଜନକ ସ୍ଥିତି ଆମର ବିକାଶ ପ୍ରକ୍ରିୟା ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ବିଶ୍ୱରେ କୋଭିଡ଼ ମହାମାରୀ, ଅର୍ଥନୈତିକ ମାନ୍ଦାବସ୍ଥା ଓ ଋଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ମାନବ ବିକାଶ କ୍ଷେତ୍ରରେ ଯଦିଓ ଊଣା ଅଧିକେ ବିଶ୍ୱର ସବୁ ଦେଶର ସ୍ଥିତି ଖରାପ ହୋଇଛି, ତେବେ ଭାରତର ସ୍ଥିତି ଅଧିକ ଖରାପ। ପଡ଼ୋଶୀ ଶ୍ରୀଲଙ୍କା, ଚୀନ, ବାଂଲାଦେଶ ଓ ଭୁଟାନଠାରୁ ଆମେ ପଛରେ ରହିଥିବା ବେଳେ ପାକିସ୍ତାନ, ନେପାଳ ଓ ମ୍ୟାଁମାର ପରି ପଡ଼ୋଶୀମାନେ ଆମଠାରୁ ପଛରେ ରହିଛନ୍ତି। ତେବେ ବିଶ୍ୱରେ ମାନବ ବିକାଶ କ୍ଷେତ୍ରରେ ସବୁଠାରୁ ଉପରେ ରହିଥିବା ସ୍ୱିଜରଲାଣ୍ଡ, ନରୱେ ଓ ଆୟରଲାଣ୍ଡ୍ ନିଜର ପୂର୍ବସ୍ଥିତିକୁ ବଜାୟ ରଖିଛନ୍ତି।
କୌଣସି ଦେଶର କେବଳ ଆର୍ଥିକ ବିକାଶ ନୁହେଁ, ବରଂ ସେଠାକାର ଜନଗଣଙ୍କ ଏକ ସୁଖୀ, ଦୀର୍ଘ ଓ ନିରାମୟ ଜୀବନ ଜିଇବାର ସାମର୍ଥ୍ୟକୁ ହିଁ ଦେଶର ବିକାଶର ସର୍ବୋତ୍ତମ ମାପକାଠି ବୋଲି ଗୁରୁତ୍ବ ଦେବା ଲକ୍ଷ୍ୟ ନେଇ ମାନବ ବିକାଶ ସୂଚକାଙ୍କର ପରିକଳ୍ପନା କରାଯାଇଥିଲା। ମିଳିତ ଜାତିସଂଘର ୟୁଏନ୍ଡିପି ସଂସ୍ଥା ପକ୍ଷରୁ ପ୍ରତିବର୍ଷ କରାଯାଉଥିବା ଏହି ଅଧ୍ୟୟନରେ ବିଭିନ୍ନ ଦେଶର ଜନଗଣଙ୍କ ମୁଖ୍ୟତଃ ଦୀର୍ଘ ଓ ସୁସ୍ଥ ଜୀବନ, ଜ୍ଞାନ ଆହରଣ ଓ ଜୀବନର ମାନକୁ ବିଚାର କରି ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଏଥିରେ ସର୍ବୋଚ୍ଚ ସ୍କୋର ୧ ଥିବା ବେଳେ ସର୍ବନିମ୍ନ ସ୍କୋର ୦ ରହିଛି। ଅର୍ଥାତ୍ ବିଶ୍ୱର ବିଭିନ୍ନ ଦେଶର ମାନବ ବିକାଶ ୦ ରୁ ୧ ମଧ୍ୟରେ ଆକଳନ କରାଯାଇଥାଏ। ଚଳିତ ବର୍ଷର ରିପୋର୍ଟରେ ଭାରତର ସ୍କୋର ୦.୬୩୩ ରହିଛି ଯାହାକି ପୂର୍ବବର୍ତ୍ତୀ ବର୍ଷ ୨୦୨୦ (୦.୬୪୨) ଓ ୨୦୧୮ (୦.୬୪୫) ତୁଳନାରେ କମ୍ ବୋଲି ଜଣାପଡ଼ିଛି।
ମାନବ ବିକାଶ ସୂଚକାଙ୍କରେ ଭାରତର ଖରାପ ସ୍ଥିତିଟି ମାନବ ବିକାଶର ସବୁ କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତିକୁ ସୂଚାଉଛି। ବିଶେଷ କରି ଦେଶର ଶିକ୍ଷା, ସ୍ୱାସ୍ଥ୍ୟସେବା, ଆର୍ଥିକ ବୈଷମ୍ୟ ଆଦିର ସ୍ଥିତିଟି ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି। ଆର୍ଥିକ ସଙ୍କଟ ବ୍ୟତୀତ କୋଭିଡ଼ ମହାମାରୀ ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା କାରଣରୁ ବିଶ୍ୱରେ ସାଧାରଣ ଜନତାଙ୍କ ପରମାୟୁ ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି। ବିଶ୍ୱରେ ହାରାହାରି ପରମାୟୁ ୭୨.୮ରୁ ୭୧.୪ ବର୍ଷକୁ ହ୍ରାସ ପାଇଥିବା ବେଳେ ଭାରତୀୟଙ୍କ କ୍ଷେତ୍ରରେ ଅଧିକ ହ୍ରାସ ପାଇ ୭୦.୭ ରୁ ୬୭.୨ ବର୍ଷକୁ ହ୍ରାସ ପାଇଛି।
ଲୋକେ ନିଜ ଜୀବନରେ ବିଭିନ୍ନ କ୍ଷେତ୍ରରେ କିପରି ଦାରିଦ୍ର୍ୟକୁ ସାମନା କରୁଛନ୍ତି, ତାକୁ ଆକଳନ କରିବା ପାଇଁ ୟୁଏନ୍ଡ଼ିପି ପକ୍ଷରୁ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ)ର ବ୍ୟବସ୍ଥା ରହିଛି। ୟୁଏନ୍ଡ଼ିପି ତା’ର ସଦ୍ୟତମ ରିପୋର୍ଟରେ ଭାରତର ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କର ସ୍କୋରକୁ ୦.୧୨୩ ବୋଲି ଦର୍ଶାଇଛି। ଏହା ଇଣ୍ଡୋନେସିଆ ପରି ଦେଶ ଠାରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ହାଇତିଠାରୁ ସାମାନ୍ୟ କମ୍ ରହିଛି। ଏଠାରେ ଜାଣିବା ଦରକାର ଯେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ଗୋଟିଏ ଦେଶ ଯେତେ କମ୍ ସ୍କୋର ପାଇବ, ତାର ସ୍ଥିତିକୁ ସେତେ ଭଲ ବୋଲି କୁହାଯାଇଥାଏ। ଭାରତର ଜନସଂଖ୍ୟାର ଏକ ଚତୁର୍ଥାଂଶରୁ ସାମାନ୍ୟ ଅଧିକ (୨୭.୯%) ବହୁମୁଖୀ ଦାରିଦ୍ର୍ୟର ଶିକାର ବୋଲି ଜଣାପଡ଼ିଥିବା ବେଳେ ୨୨%ରୁ ଅଧିକ ଭାରତୀୟଙ୍କ ଦୈନିକ ଆୟ ୧୬୦ ଟଙ୍କାରୁ କମ୍ ରହିଛି ବୋଲି କୁହାଯାଇଛି। ଭାରତର ମୁଣ୍ଡପିଛା ଜାତୀୟ ଆୟ ମଧ୍ୟ ୬,୫୯୦ ଡ଼ଲାରକୁ ହ୍ରାସ ପାଇଥିବା ଜଣାପଡ଼ିଛି।
ରିପୋର୍ଟରେ ଲିଙ୍ଗଗତ ବିଷମତା ସୂଚକାଙ୍କ (ଜିଆଇଆଇ)ର ବି ଉଲ୍ଲେଖ ରହିଛି। ୨୦୨୦ରେ ଏହା ୦.୪୯୩ ଏବଂ ୨୦୧୯ରେ ୦.୪୮୬ ଥିବା ବେଳେ ୨୦୨୧ରେ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇ ତାହା ୦.୪୯୦କୁ ଉଠିଛି। ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏ କ୍ଷେତ୍ରରେ ଭାରତର ସ୍ଥିତିଟି ଏବେ ବି ବହୁତ ତଳେ ରହିଛି। ବିଶ୍ୱର ୧୯୧ଟି ଦେଶ ମଧ୍ୟରୁ ଭାରତ ଘାନା ଓ ମାର୍ଶାଲ ଦ୍ବୀପର ମଝିରେ ଅର୍ଥାତ୍ ୧୩୨ତମ ସ୍ଥାନରେ ରହିଛି। ଆମ ଜନସଂଖ୍ୟାର ଅର୍ଦ୍ଧେକ ବା ୫୦% ମହିଳା ହୋଇଥିବା ବେଳେ ଦେଶର ସଂସଦର ମାତ୍ର ୧୩.୪% ଆସନ ମହିଳାମାନେ ଅକ୍ତିଆର କରିଛନ୍ତି ଏବଂ ଦେଶର ଶ୍ରମ ବଜାରରେ ମାତ୍ର ୧୯.୨% ମହିଳା ହିଁ ଅଂଶଗ୍ରହଣ କରୁଛନ୍ତି। ଲିଙ୍ଗ ବିକାଶ ସୂଚକାଙ୍କ (ଜିଡିଆଇ)ଟି ପାଠପଢ଼଼ାର ହାରାହାରି ବର୍ଷ (ପୁଅ ୭.୨ ଓ ଝିଅ ୬.୩), ମୁଣ୍ଡ ପିଛା ବାର୍ଷିକ ହାରାହାରି ଜାତୀୟ ଆୟ (ପୁରୁଷ – ୧୦,୬୩୩ ଡ଼ଲାର ଓ ମହିଳା – ୨,୨୭୭ ଡ଼ଲାର) ଏବଂ ହାରାହାରି ପରମାୟୁ (ପୁରୁଷ – ୬୮.୯ ବର୍ଷ ଓ ମହିଳା – ୬୫.୮ ବର୍ଷ) ଉପରେ ଆଧାରିତ। ସେହି ଆଧାରରେ ଦେଶରେ ପୁରୁଷ ଓ ମହିଳାଙ୍କ ମାନବ ବିକାଶର ସ୍କୋର ଯଥାକ୍ରମେ ୦.୬୬୮ ଓ ୦.୫୬୭ ରହିଛି।
ମାନବ ବିକାଶ ସୂଚକାଙ୍କରେ ଭାରତ କ୍ରମାଗତ ଖରାପ ସ୍ଥିତିରେ ରହିବା ପଛର ପ୍ରମୁଖ କାରଣ ହେଉଛି ଦାରିଦ୍ର୍ୟ, ଆର୍ଥିକ ବୈଷମ୍ୟ ଏବଂ ସର୍ବୋପରି ଶିକ୍ଷା ଓ ସ୍ୱାସ୍ଥ୍ୟସେବାରୁ ସମାଜର ଏକ ବଡ଼ ଭାଗ ବଞ୍ଚିତ ରହିବା। ସରକାରଙ୍କ ବଡ଼ବଡ଼ ଘୋଷଣା ସତ୍ତ୍ବେ ଦେଶର ସଂଖ୍ୟାଗରିଷ୍ଠ ଜନତା ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବିଶ୍ୱର ଅନେକ ଦେଶ ତୁଳନାରେ ବହୁତ କମ୍ ରହିଛି। ଗତ ଦୁଇ ଦଶନ୍ଧି ଧରି ଦେଶରେ ଶିକ୍ଷା ବାବଦରେ ବ୍ୟୟକୁ ଜିଡ଼ିପିର ଅନ୍ତତଃ ୬% କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବାସ୍ତବ ସ୍ଥିତି ତାଠାରୁ ଅନେକ ପଛରେ। ୨୦୧୧-୧୨ରେ ୩.୫% ଥିବା ବେଳେ ୨୦୧୮-୧୯ ବେଳକୁ ତାହା ୨.୮%କୁ ହ୍ରାସ ପାଇଛି। ଅର୍ଥନୈତିକ ସର୍ଭେ – ୨୦୨୧ ଅନୁଯାୟୀ ଶିକ୍ଷା ବାବଦରେ ସରକାରୀ ବ୍ୟୟ ଗତ ଦଶ ବର୍ଷ ମଧ୍ୟରେ ବଢ଼଼ିବା ବଦଳରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ୨୦୧୧-୧୨ରେ ମୋଟ ସରକାରୀ ବ୍ୟୟର ୧୧.୪% ଶିକ୍ଷା ବାବଦରେ ଖର୍ଚ୍ଚ କରାଯାଉଥିବା ବେଳେ ୨୦୨୦-୨୧ରେ ତାହା ୧୦.୪%କୁ ହ୍ରାସ ପାଇଛି। ଫଳସ୍ୱରୂପ ଦେଶର ସରକାରୀ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ଓ ପଙ୍ଗୁ ହେଉଛି। ସରକାରୀ ସ୍କୁଲ କଲେଜରେ ଲକ୍ଷ ଲକ୍ଷ ଶିକ୍ଷକ ପଦ ଖାଲି ରହିଛି। ଶିକ୍ଷକ ଏବଂ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ କେବଳ ଉତ୍ତର ପ୍ରଦେଶରେ ୬୦% ପ୍ରାଥମିକ ସ୍କୁଲର ସବୁ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ପଢ଼଼ୁଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ନିୟମିତ ଏବଂ ଉଚିତ ମାନର ଶିକ୍ଷା ଅଭାବରୁ ଅଧିକରୁ ଅଧିକ ପିଲା ଘରୋଇ ଶିକ୍ଷାନୁଷ୍ଠାନକୁ ଯିବାକୁ ବାଧ୍ୟ ହେଉଛନ୍ତି। ଦେଶର ମୋଟ ୧୧ ଲକ୍ଷ ସ୍କୁଲରୁ ୪ ଲକ୍ଷରୁ ଅଧିକ ସ୍କୁଲରେ ୫୦ରୁ କମ୍ ପିଲା ଥିବା ବେଳେ ୧.୧ ଲକ୍ଷ ସ୍କୁଲରେ ୨୦ ରୁ କମ୍ ପିଲା ପଢ଼଼ୁଛନ୍ତି। ସରକାର ନିଜର ନୀତିକୁ ନ ସୁଧାରି ଆବଶ୍ୟକୀୟ ପିଲା ନାହାନ୍ତି କହି ସେସବୁ ସ୍କୁଲକୁ ବନ୍ଦ କରିବା ପ୍ରକ୍ରିୟା ଅାରମ୍ଭ କରିଛନ୍ତି।
ମାନବ ବିକାଶରେ ଭାରତ ପଛରେ ରହିବାର ଏକ ପ୍ରମୁଖ କାରଣ ହେଉଛି, ଦେଶର ସିଂହଭାଗ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଉପଲବ୍ଧ ନହେବା। ଆବଶ୍ୟକୀୟ ସରକାରୀ ବ୍ୟୟ ଅଭାବରୁ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ମଧ୍ୟ ଭୟଙ୍କର ସଙ୍କଟରେ ଯାହାର ପ୍ରଭାବ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଉପରେ ପଡ଼ିଛି। ଅନ୍ତର୍ଜାତୀୟ ସଂସ୍ଥା ‘ଅକ୍ସଫାମ୍’ର ଅଧ୍ୟୟନ ଅନୁଯାୟୀ ବର୍ଦ୍ଧିତ ସ୍ୱାସ୍ଥ୍ୟଗତ କାରଣରୁ ଗତ କିଛି ବର୍ଷ ମଧ୍ୟରେ ୬.୩ ନିୟୁତ ଭାରତୀୟ ଦାରିଦ୍ର୍ୟ ଭିତରକୁ ଚାଲିଯାଇଛନ୍ତି। ସ୍ୱାସ୍ଥ୍ୟସେବାରେ ଅପର୍ଯ୍ୟାପ୍ତ ସରକାରୀ ଅନୁଦାନ ଯୋଗୁଁ ୭% ଭାରତୀୟ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଥିବା ବେଳେ ୨୩% ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି। ସ୍ୱାସ୍ଥ୍ୟସେବା ବାବଦରେ ସରକାରୀ ବ୍ୟୟର ଅନ୍ତର୍ଜାତୀୟ ହାର ଜିଡିପିର ୬% ରହିଥିବାବେଳେ ମୋଦୀ ସରକାର ୨୦୨୫ ସୁଦ୍ଧା ସ୍ୱାସ୍ଥ୍ୟସେବା ବାବଦରେ ମାତ୍ର ୨.୫% ବ୍ୟୟ କରିବାକୁ ଘୋଷଣା କରିଛନ୍ତି।
ମାନବ ବିକାଶ ସୂଚକାଙ୍କରେ ଭାରତ ନୈରାଶ୍ୟଜନକ ସ୍ଥାନରେ ରହିବା ପଛର ଅନ୍ୟତମ କାରଣ ହେଉଛି, ଦେଶରେ ଆର୍ଥିକ ବୈଷମ୍ୟରେ ଉଦ୍ବେଗଜନକ ବୃଦ୍ଧି। କ୍ରମାଗତ ସବୁ ସରକାର ନବ ଉଦାର ଅର୍ଥନୀତିକୁ ଆପଣେଇବା ଫଳରେ ଦେଶରେ ଧନୀଗରିବଙ୍କ ମଧ୍ୟରେ ବ୍ୟବଧାନଟି ଦ୍ରୁତ ଗତିରେ ବଢ଼଼ିଚାଲିଛି। ବିଶେଷ କରି କୋଭିଡ଼ ସମୟରେ ଦେଶର ସାଧାରଣ ଜନତା ରୋଜଗାର ଓ ସଞ୍ଚୟ ହରାଇ ଭୟଙ୍କର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବା ବେଳେ କର୍ପୋରେଟଙ୍କ ଆୟରେ କିନ୍ତୁ ପ୍ରଚୁର ବୃଦ୍ଧି ଘଟିଛି। ୟୁଏନ୍ଡ଼ିପିର ରିପୋର୍ଟ ଅନୁସାରେ ଭାରତର ସର୍ବାଧିକ ଧନୀ ୧% ଲୋକ ୨୧.୭% ସମ୍ପତ୍ତିର ଅଧିକାରୀ ହୋଇଥିବା ବେଳେ ସମାଜର ୪୦% ଲୋକଙ୍କ ପାଖରେ କେବଳ ୧୯.୮% ସମ୍ପତ୍ତି ରହିଛି। ମାନବ ବିକାଶର ମାପକାଠିରେ ଆମ ଦେଶ କ୍ରମାଗତ ପଛରେ ରହିବା ଦୁର୍ଭାଗ୍ୟଜନକ। ଦେଶର ନୀତି ନିର୍ଦ୍ଧାରକମାନେ ଏ ଦିଗରେ ଆନ୍ତରିକତା ପ୍ରଦର୍ଶନ ନକରିବା ଯାଏ ମାନବ ବିକାଶ କ୍ଷେତ୍ରରେ ଆମର ପ୍ରଦର୍ଶନ ଯେ ଆହୁରି ଖରାପ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
Comments are closed.