ଜାତୀୟ କ୍ରୀଡ଼ା: ୨୨ଟି ଖେଳରେ ଓଡ଼ିଶାରୁ ୨୭୮ ପ୍ରତିଯୋଗୀ

ଦୂତି, ଶ୍ରାବଣୀ, ଅମିୟ, ସ୍ବସ୍ତି, ଶ୍ରୀୟଙ୍କାଙ୍କଠାରୁ ପଦକ ଆଶା

କଟକ: ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଗୁଜରାଟର ବିଭିନ୍ନ ସହରରେ ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଆୟୋଜିତ ହେଉଛି। ଏହି କ୍ରୀଡ଼ାରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡ଼ାବିତ୍‌ ଭାଗ ନେଉଛନ୍ତି। ଜାତୀୟ କ୍ରୀଡ଼ାରେ ୩୬ଟି ଇଭେଣ୍ଟରେ ମୁକାବିଲା ହେବ। ଆମ ରାଜ୍ୟ ଓଡ଼ିଶା ୨୨ଟି କ୍ରୀଡ଼ାରେ ବିଭିନ୍ନ ଇଭେଣ୍ଟରେ ଭାଗନେବା ପାଇଁ ଏକ ଜୁମ୍ବୋ ଦଳ ପଠାଇବ। ଏହି ୨୨ଟି କ୍ରୀଡ଼ାରେ କ୍ରୀଡ଼ାବିତ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ମିଶାଇ ମୋଟ ୨୭୮ ଜଣ ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରେ ବହୁତ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ ଅଛନ୍ତି।

prayash

ଓଡ଼ିଶା ଭାଗ ନେଉଥିବା କ୍ରୀଡ଼ାରେ ରହିଛି ମହିଳା ଓ ପୁରୁଷ ଫୁଟ୍‌ବଲ, ମହିଳା ହକି, ଦୌଡ଼କୁଦ, ମହିଳା ଓ ପୁରୁଷ ଜିମ୍‌ନାଷ୍ଟିକ୍‌ସ, ମହିଳା ଓ ପୁରୁଷ ସନ୍ତରଣ, ମହିଳା ଓ ପୁରୁଷ ଭାରୋତ୍ତୋଳନ, ମହିଳା ଓ ପୁରୁଷ ବିଚ୍ ଭଲିବଲ୍‌, ମହିଳା ଓ ପୁରୁଷ ରଗ୍‌ବୀ, ମହିଳା ଓ ପୁରୁଷ କାନୋଇଙ୍ଗ୍‌, ମହିଳା ଓ ପୁରୁଷ ତୀରନ୍ଦାଜୀ, ମହିଳା ଓ ପୁରୁଷ ରୋଇଂ, ମହିଳା ଓ ପୁରୁଷ ଲନ୍‌ ବୋଲ୍‌ସ, ମହିଳା ସୁଟିଂ, ପୁରୁଷ ସ୍କେଟିଂ, ମହିଳା ଖୋ ଖୋ, ମହିଳା ଓ ପୁରୁଷ ବକ୍ସିଂ, ମହିଳା ଓ ପୁରୁଷ ଜୁଡୋ, ମହିଳା ଓ ପୁରୁଷ ଯୋଗାସନ, ମହିଳା ଉସୁ, ମହିଳା ଓ ପୁରୁଷ କୁସ୍ତି, ପୁରୁଷ ଟ୍ରାଏଥଲନ୍‌, ପୁରୁଷ ଫେନ୍‌ସିଂ (ଅସିଚାଳନା) ଓ ମହିଳା ସାଇକେଲ ଚାଳନା। ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପ୍‌ ଗ୍ରେସ୍‌ ଏକ୍କା ଓଡ଼ିଶା ମହିଳା ହକି ଦଳର ନେତୃତ୍ବ ନେବେ। ଦଳରେ ରଶ୍ମିତା ମିଞ୍ଜ୍, ନମିତା ଟପ୍ପୋ, ମାରିଆନା କୁଜୁର, ନିକିତା ଟପ୍ପୋଙ୍କ ପରି ଆନ୍ତର୍ଜାତିକ ଖେଳାଳି ଅଛନ୍ତି। ମହିଳା ଦୌଡ଼କୁଦରେ ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି ଅଲିମ୍ପିଆନ୍ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପ୍ରଶାନ୍ତି ସାହୁ ଓ ସୁସ୍ମିତା ଟିଗା। ପୁରୁଷ ଦୌଡ଼କୁଦରେ ଅମିୟ ମଲ୍ଲିକ, ସ୍ବାଧୀନ କୁମାର ମାଝି, ଲାଲୁପ୍ରସାଦ ଭୋଇ, କିଶୋର କୁମାର ଜେନା, ଆନନ୍ଦ କୁମାର ପ୍ରଭୃତି ରହିଛନ୍ତି।

ମହିଳା ଭାରୋତ୍ତୋଳନରେ ସ୍ନେହା ସୋରେନ୍, ପ୍ରମିଳା କ୍ରିଷାନି ରହିଛନ୍ତି। ମହିଳା ସୁଟିଂରେ ଓଡ଼ିଶା ଦଳରେ ଅଛନ୍ତି ଆନ୍ତର୍ଜାତିକ ପଦକ ବିଜୟିନୀ ଶ୍ରୀୟଙ୍କା ଷଡ଼ଙ୍ଗୀ। ପ୍ରଥମଥର ଜାତୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମହିଳା ଓ ପୁରୁଷ ଲନ୍‌ ବୋଲ୍‌ ଦଳ ମଧ୍ୟ ଭାଗନେବ। ପ୍ରଥମଥର ଜାତୀୟ କ୍ରୀଡ଼ାରେ ଯୋଗାସନ ସାମିଲ ହୋଇଥିବାବେଳେ ଏଥିରେ ୮ ଜଣ ଓଡ଼ିଆ ଭାଗନେବାକୁ ଯାଉଛନ୍ତି। କୁସ୍ତିରେ ୨ ଜଣ ଓଡ଼ିଆ ପହିଲମାନ ଅଛନ୍ତି। ସାଇକେଲ ଚାଳନାରେ ଆନ୍ତର୍ଜାତିକ ପଦକ ବିଜୟିନୀ ସ୍ବସ୍ତି ସିଂହଙ୍କ ସହ ବର୍ଷାରାଣୀ ବାରିକ ମଧ୍ୟ ରହିଛନ୍ତି। କ୍ରୀଡ଼ାବିତ୍‌ଙ୍କୁ ଛାଡ଼ି ଓଡ଼ିଶାରୁ ବିଭିନ୍ନ କ୍ରୀଡ଼ାରେ ବୈଷୟିକ ଅଧିକାରୀ ଓ ରେଫେରୀମାନେ ଜାତୀୟ କ୍ରୀଡ଼ାରେ ଭାଗନେବାକୁ ଯାଉଛନ୍ତି।

kalyan agarbati

Comments are closed.