ଜିପ୍‌ ସହ ୧୦୨ କିଗ୍ରା ଗଞ୍ଜେଇ ଜବତ; ୨ ଗିରଫ           

ସମ୍ବଲପୁର: ସମ୍ବଲପୁର ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମଝିରେ ମଝିରେ ବିଭିନ୍ନ ସୁରକ୍ଷା ଏଜେନ୍ସି ମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଯୋଗୁ ବିପୁଳ ଗଞ୍ଜେଇ ଜବତ ହେଉଛି । ଏଭଳି ଏକ ଘଟଣାରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ସମେତ ଏକ ଟାଟା ସୁମୋ ଗାଡି ଜବତ କରାଯାଇଛି । ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ରବିବାର ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକାରୀ ବିପ୍ର ଚରଣ ମଣ୍ଡଳ, ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ସମ୍ବଲପୁରରୁ ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେ ଠାରେ ପାଟ୍ରୋଲିଂ କରୁଥିଲେ ।

ସକାଳ ପ୍ରାୟ ୯ଟାରେ ପାଟ୍ରୋଲିଂ କରିବା ସମୟରେ ଶାସନ ଥାନା ଅର୍ନ୍ତଗତ ଏକ ଶିକ୍ଷାନୁଷ୍ଠାନ ନିକଟରେ ଏକ ସନ୍ଦିଗ୍ଧ ଟାଟା ସୁମୋ ଜିପ (ୟୁପି.୬୩.ଜି.୦୧୭୯)କୁ ସମ୍ବଲପୁର ପଟରୁ ଝାରସୁଗୁଡା ପଟକୁ ଯାଉଥିବା ବେଳେ ଅଟକାଇଥିଲେ । କିନ୍ତୁ କାରଟି ଅବକାରୀ ପୁଲିସ ଦଳକୁ ଦେଖି ଫେରାର ହେବାକୁ ଉଦ୍ୟମ କରିବାରୁ ତାକୁ ଗୋଡାଇ ଗୋଡାଇ ଧରିବା ପରେ ଖାନତଲାସି କରିଥିଲେ ।

prayash

ଗାଡିକୁ ଯାଞ୍ଚ ସମୟରେ ଲୁଚାଇ ରଖାଯାଇଥିବା ୧୦୨ କିଗ୍ରା ଗଞ୍ଜେଇ ପୁଲିସ ଯାଞ୍ଚ ସମୟରେ ପାଇଥିଲେ । ଏଣୁ ଅବକାରୀ ଦଳ ତୁରନ୍ତ ଗାଡିରେ ଯାତ୍ରା କରୁଥିବା ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶ ରାଜ୍ୟର ନିବାସୀ ମନଜ ରାଜଭର (୨୫) ଓ ସନ୍ତୋଷ କୁମାର ପାଠକ (୪୭)ଙ୍କୁ ଗିରଫ କରିଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହୋଇଥିବା ବେଳେ ଜିପ୍‌ ସମେତ ଅନ୍ୟ ସାମଗ୍ରୀ ଗୁଡିକୁ ମିଶାଇ ସମୁଦାୟ ୧୫ ଲକ୍ଷ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅଭିଯୁକ୍ତ ମାନଙ୍କ ଠାରୁ ୩ଟି ନମ୍ବର ପ୍ଲେଟ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ମାନେ ଏହି ଗଞ୍ଜେଇ କୋରାପୁଟ ଅଞ୍ଚଳରୁ ଉତ୍ତର ପ୍ରଦେଶ ରାଜ୍ୟର ବାରଣାସୀ ଅଞ୍ଚଳକୁ ସଡକ ପଥରେ ଚୋରା ଚାଲାଣ କରୁଥିବାର ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ମାମଲାରେ ଅବକାରୀ ଗୁଇନ୍ଦା ବିଭାଗ, ସମ୍ବଲପୁର ପକ୍ଷରୁ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଏହି ମାମଲାର ତଦନ୍ତ ଆଗକୁ ଜାରି ରହିବା ସହିତ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ଅବକାରୀ ଉପ ଆୟୁକ୍ତ ଭତ୍ରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୯ ତାରିଖରେ ମଧ୍ୟ ଅବକାରୀ ବିଭାଗର ଚଢ଼ଉ ସମୟରେ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ କାର ଓ ୪ ଜଣଙ୍କୁ ଗିରଫ କରିଥିଲା ।  ବିଗତ ୨ ମାସ ମଧ୍ୟରେ ବିଭିନ୍ନ ସମୟରେ ଗଞ୍ଜେଇ ଚାଲାଣ ଉପରେ ଚଢ଼ଉ କରାଯାଇ ୪୦୦ କିଗ୍ରାରୁ ଊର୍ଦ୍ଧ୍ଵ ଗଞ୍ଜେଇ, କାର, ଜିପ ଆଦି ସମେତ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଅଦାଲାତକୁ ଚାଲାଣ କରିଛି । ଏହା ସତ୍ୱେ ଅବୈଧ୍ୟ ଗଞ୍ଜେଇ ଚାଲାଣ ସମୟରେ ଧରା ପଡୁଥିବାରୁ ଏହାକୁ ବନ୍ଦ କରିବା ନିମନ୍ତେ ବିଭାଗକୁ ଆହୁରୀ କଡା ପଦକ୍ଷେପ ନେବା ଉଚିତ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି ।

kalyan agarbati

Comments are closed.