ଗଣତନ୍ତ୍ର, ଅର୍ଥନୀତି ଓ ପ୍ରଗତି
ଆଜି ଆମେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରୁଛୁ। ବିଶ୍ବରେ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ବକୁ ପ୍ରତିପାଦନ କରିବା ଏହି ଦିନଟିର ଉଦ୍ଦେଶ୍ୟ। ଏ ସମୟରେ ଶାନ୍ତି, ମୈତ୍ରୀ, ଭ୍ରାତୃଭାବ, ସାମାଜିକ ନ୍ୟାୟ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ଇତ୍ୟାଦି ମୂଲ୍ୟବୋଧ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି। ଏକ ସୁସ୍ଥ ସମାଜ ଗଠନ ଦିଗରେ ଗଣତନ୍ତ୍ରର ପ୍ରତିଷ୍ଠା ଏକ ପ୍ରକାର ଅବଶ୍ୟମ୍ଭାବୀ । କେବଳ ଯେ ଏକ ସୁସ୍ଥ ସମାଜ ଗଠନ ପାଇଁ ଗଣତନ୍ତ୍ର ଉପଯୋଗୀ ନୁହେଁ, ଅର୍ଥନୈତିକ ସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଦିଗରେ ଗଣତନ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଯଦି ବିଶ୍ବର ସମସ୍ତ ଘରୋଇ ଉତ୍ପାଦ(ଜିଡିପି)କୁ ମାପଦଣ୍ଡ ଭାବେ ବିଚାରକୁ ନେବା, ତେବେ ଦଶଗୋଟି ସବୁଠାରୁ ବଡ଼ ଆର୍ଥିକ ଶକ୍ତିଶାଳୀ ରାଷ୍ଟ୍ର ଭିତରୁ ଚୀନକୁ ଛାଡ଼ିଦେଲେ ବାକି ସମସ୍ତ ରାଷ୍ଟ୍ର ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଏଥିରୁ ଗଣତନ୍ତ୍ର ଏବଂ ଅର୍ଥନୀତି ମଧ୍ୟରେ ଗୂଢ଼ ସମ୍ପର୍କ ସହଜରେ ଅନୁମେୟ। ତେଣୁ ଆମେ ସମସ୍ତେ ଗର୍ବ କରିବା ଉଚିତ ଯେ ଆମ୍ଭେମାନେ ଏକ ଗଣତାନ୍ତ୍ରିକ ଦେଶରେ ବାସ କରୁଛୁ।
ସାଂପ୍ରତିକ ପରିସ୍ଥିତିରେ ଭାରତର ଅର୍ଥନୀତି ତଥା ଅବକ୍ଷୟମାଣ ଗଣତାନ୍ତ୍ରିକ ମୂଲ୍ୟବୋଧ ନିଶ୍ଚିତ ଭାବେ ଚିନ୍ତାଜନକ। ରାଜନୈତିକ ବିଚାରକ ତଥା ଅର୍ଥନୈତିକ ସମୀକ୍ଷକମାନେ ସମୟ ସମୟରେ ଏହି ଦୁଇଟି ଦିଗପ୍ରତି ସତର୍କ କରାଇ ଆସୁଛନ୍ତି। ବିଗତ ଦୁଇ ବର୍ଷ ହେବ କରୋନା ଯୋଗୁଁ ସାରା ବିଶ୍ବର ଅର୍ଥନୈତିକ ସ୍ଥିତି ଦୋହଲି ଯାଇଥିଲା ଏବଂ ଭାରତ ଏଥିରୁ ବାଦ ପଡ଼ିନଥିଲା। କିନ୍ତୁ ଲକ୍ଷ୍ୟ କରିବା କଥା ହେଉଛି, ଦେଶର ଜାତୀୟ ଅଭିବୃଦ୍ଧି ହାର କରୋନା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୨୦୨୦ ପୂର୍ବରୁ କ୍ରମାଗତ ହ୍ରାସ ପାଇଚାଲିଥିଲା। ଏଥିପାଇଁ ବିମୁଦ୍ରାୟନ, ତରବରରେ ପ୍ରଣୟନ କରାଯାଇଥିବା ଜିଏସଟି ଇତ୍ୟାଦିର ଭୂମିକା ଥିଲା ଯାହା ବହୁଳ ଭାବେ ଆଲୋଚିତ ହୋଇଛି। କରୋନା ଏହି ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିଦେଇଥିଲା ଏବଂ ଆମ୍ଭର ଅଭିବୃଦ୍ଧି ହାରକୁ ନକାରାତ୍ମକ ଆଡ଼କୁ ଠେଲି ଦେଇଥିଲା। ଏହି ସମୟ ମଧ୍ୟରେ ପାଖାପାଖି ୩୦ କୋଟି ଲୋକ ଯେଉଁମାନେ ଦାରିଦ୍ର୍ୟର କରାଳ କବଳରୁ ଉଠି ଆସିଥିଲେ, ପୁନର୍ବାର ଦାରିଦ୍ର୍ୟ ଭିତରକୁ ଠେଲି ହୋଇଗଲେ। ମହାମାରୀ ସମୟରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିଲେ ଅଣସଂଗଠିତ କର୍ମଜୀବୀ ଏବଂ ଏହା ଆଜି ମଧ୍ୟ ଅନୁଭୂତ ହେଉଅଛି। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଅଗଷ୍ଟ ୨୦୨୨ରେ ବେକାରୀ ହାର ରହିଛି ୮.୩% ଯାହାକି ଗତ ଏକ ବର୍ଷ ମଧ୍ୟରେ ସର୍ବାଧିକ।
ବେଡ଼ି ଉପରେ କୋରଡ଼ା ମାଡ଼ ପରି ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ମଧ୍ୟ ଅତ୍ୟଧିକ, ଯାହା ଦେଶର ଅଧିକାଂଶ ସାଧାରଣ ଜନତାଙ୍କ ସହନ କ୍ଷମତାର ବାହାରେ । ସଦ୍ୟ ପ୍ରକାଶିତ ମୁଦ୍ରାସ୍ଫୀତି ହାର ତଥ୍ୟକୁ ଅନୁଶୀଳନ କଲେ ବୁଝାପଡ଼େ ଯେ ଏହା ୭ ପ୍ରତିଶତ ଥିଲା ବେଳେ ଖାଦ୍ୟ ମୁଦ୍ରାସ୍ଫୀତି ୭.୬୧%। ଆମେ ଯଦି ମୁଦ୍ରାସ୍ଫୀତି ଦରକୁ ସମାନ ଅବଧି ପାଇଁ ଭାରତୀୟ ଉଦ୍ୟୋଗିକ ଉତ୍ପାଦନ ସହ ତୁଳନା କରିବା, ତେବେ ଦେଖିବା ଯେ ଗ୍ରାମାଞ୍ଚଳରେ ଶସ୍ୟ ତଥା ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଅଧିକ ଖର୍ଚ୍ଚ କରୁଥିବାରୁ କଞ୍ଜ୍ୟୁମର ନନ-ଡ୍ୟୁରେବୁଲ ଅଭିବୃଦ୍ଧି ହାର ୨% ସଙ୍କୁଚିତ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ଗ୍ରାମାଞ୍ଚଳରେ ଲୋକେ ପାଉଥିବା ମଜୁରି ବର୍ଦ୍ଧିତ ମୁଦ୍ରାସ୍ଫୀତି ସ୍ଥିତିକୁ ମୁକାବିଲା କରିବାରେ ଅସମର୍ଥ।
ଆମେ ଯଦି ସାଂପ୍ରତିକ ବିଶ୍ବ ଅର୍ଥନୈତିକ ପରିସ୍ଥିତି ତଥା ଆମ ନିଜ ଦେଶର ଅର୍ଥନୈତିକ ପରିସ୍ଥିତିକୁ ବିଚାରକୁ ନେବା, ତେବେ ଆଗାମୀ କିଛି ସମୟ ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆହ୍ବାନ ହେବ। ଆମେରିକା ତଥା ବିକଶିତ ରାଷ୍ଟ୍ରରେ ୨% ମୁଦ୍ରାସ୍ଫୀତିକୁ ଯେତେବେଳେ ଉଦ୍ବେଗଜନକ ମନେ କରାଯାଏ, ବର୍ତ୍ତମାନ ପ୍ରକାଶିତ ତଥ୍ୟ ଅନୁସାରେ ଆମେରିକାରେ ଏହା ଅବିଶ୍ବସନୀୟ ୮.୩%। ବିଗତ ପାଞ୍ଚ ଦଶନ୍ଧିରେ ଏପରି ମୁଦ୍ରାସ୍ଫୀତି ଦେଖାଯାଇ ନ ଥିଲା। ତେଣୁ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଆଶାତୀତ ଭାବେ ସୁଧ ହାର ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ଯାହା ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏପରିକି ପାଶ୍ଚାତ୍ୟ ଅର୍ଥବ୍ୟବସ୍ଥା ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଯିବା ପ୍ରାୟ ନିଶ୍ଚିତ। କିନ୍ତୁ ଏହାଠୁ ଅଧିକ ଚିନ୍ତାର ବିଷୟ, ଏପରି ସ୍ଥିତି କେତେଦିନ ଜାରି ରହିବ। ୨୦୦୮-୦୯ର ମାନ୍ଦାବସ୍ଥାଠାରୁ ଏହା ସଂପୂର୍ଣ୍ଣ ଭିନ୍ନ ।
ସେ ସମୟରେ ମୁଦ୍ରାସ୍ଫୀତି ବହୁତ କମ ଥିଲା, ତେଣୁ ସୁଧ ହାର ପାଖାପାଖି ଶୂନ୍ୟ ପ୍ରତିଶତ (୦%)କୁ ଆଣି ବଜାରକୁ ଅଧିକ ସମୟ ପର୍ଯ୍ୟନ୍ତ ‘ହେଲିକପ୍ଟର ମନି’ରେ କେନ୍ଦ୍ରୀୟ ବ୍ୟାଙ୍କ ପ୍ଳାବିତ କରିଥିଲା । ଏହି ଆମେରିକୀୟ ମଡେଲ ପ୍ରାୟ ସବୁ ଦେଶ ଅନୁସରଣ କରିଥିଲେ। କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଏହି ବିଳାସ କୌଣସି କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ନାହିଁ। ତେଣୁ ବିଶ୍ବ ଏକ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି। ଉଚ୍ଚ ମୁଦ୍ରାସ୍ଫୀତି ସାଙ୍ଗକୁ କମ ଅଭିବୃଦ୍ଧି। ଏହାର ପରିଣତି କୌଣସି ପ୍ରକାରେ ବିଶ୍ବ କିମ୍ବା ଆମ ଦେଶର ଅର୍ଥନୈତିକ ସ୍ଥିତି ପାଇଁ ଶୁଭଙ୍କର ନୁହେଁ। ଆମେରିକା ହେଉଛି ‘ମଦର ଇକୋନୋମି’; କୁହାଯାଏ ଯେ ଯଦି ଆମେରିକା ଛିଙ୍କିବ, ବିଶ୍ବକୁ କମ୍ଫ ହୋଇଯିବ। ଏହା ଅତିରଞ୍ଜିତ ନୁହେଁ। ବିଭିନ୍ନ ଅର୍ଥନୈତିକ ସୂଚକାଙ୍କ ମଧ୍ୟ ଏହି ଦିଗକୁ ସୂଚାଉଛି। ଏହି ପ୍ରକାର ଜାଗତିକ ସ୍ଥିତି ଆମକୁ କିପରି ଭାବେ ପ୍ରଭାବିତ କରିବ? ଆମର ଅର୍ଥବ୍ୟବସ୍ଥା ହୁଏତ ମାନ୍ଦାବସ୍ଥା ଆଡ଼କୁ ଗତି ନ କରିପାରେ, କାରଣ ଆମର ନିର୍ଭରଶୀଳତା ମୁଖ୍ୟତଃ ବିଶାଳ ଖାଉଟିଙ୍କ ବଜାର ଅର୍ଥନୀତି ଉପରେ। ତଥାପି, ଏହା ନିଶ୍ଚିତ ଭାବେ ଆମର ଅଭିବୃଦ୍ଧି ହାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
ଆମେ ବିଶ୍ବର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ହେଉଥିବା ଅର୍ଥ ବ୍ୟବସ୍ଥାର ଦ୍ବାହିଦେଇ କେବଳ ଆତ୍ମସନ୍ତୋଷ ଲାଭ କଲେ ବିପଦର ସମ୍ମୁଖୀନ ହେବା ନିଶ୍ଚତ। ଭାରତ ପରି ଏକ ବିରାଟ ରାଷ୍ଟ୍ର ପାଇଁ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବା ନିତାନ୍ତ ଆବଶ୍ୟକ ଏବଂ ଏ କ୍ଷେତ୍ରରେ ସ୍ଥିରତା ବଜାୟ ରହିବା ବାଞ୍ଛନୀୟ।
ରାଜନୈତିକ ସମୀକ୍ଷକଙ୍କ ମତରେ ଗଣତାନ୍ତ୍ରିକ ମୂଲ୍ୟବୋଧର କ୍ରମାଗତ ଅବକ୍ଷୟ ହେଉଛି। ଭାରତ ବୋଧହୁଏ ସମସ୍ତ ବିକାଶୋନ୍ମୁଖୀ ରାଷ୍ଟ୍ରଙ୍କ ମଧ୍ୟରୁ ନିଆରା। କାରଣ ଭାରତ ଯେଉଁ ସମୟରେ ସ୍ବାଧୀନତା ପାଇଥିଲା ସେହି ସମୟରେ ଯେତେ ରାଷ୍ଟ୍ର ପାଶ୍ଚାତ୍ୟ ସାମ୍ରାଜ୍ୟବାଦରୁ ମୁକ୍ତ ହୋଇଥିଲେ, ବୋଧହୁଏ ଭାରତ ଏକମାତ୍ର ରାଷ୍ଟ୍ର ଯେଉଁଠାରେ ଗଣତନ୍ତ୍ର ଏବେ ମଧ୍ୟ ତିଷ୍ଠି ରହିଛି। ଏହା ସମ୍ଭବ ହୋଇଛି ଭାରତୀୟ ମହାନ ପରମ୍ପରା, ‘ବିବିଧତା ମଧ୍ୟରେ ଏକତା’ ଯୋଗୁଁ।
Comments are closed.