ସୁବ୍ରମଣ୍ୟମ୍ ସ୍ବାମୀଙ୍କୁ ହାଇକୋର୍ଟ ଝଟ୍କା
ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦେଶ
ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ୍ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି। ରାଜ୍ୟସଭା ସଦସ୍ୟ ଅବଧି ଶେଷ ସତ୍ତ୍ବେ ସୁବ୍ରମଣ୍ୟମ୍ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରି ନଥିଲେ। ଏବେ ହାଇକୋର୍ଟ ତାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ ସୁବ୍ରମଣ୍ୟମ୍ ୬ ସପ୍ତାହ ମଧ୍ୟରେ ବଙ୍ଗଳା ଖାଲି କରିବେ। ବଙ୍ଗଳା ଖାଲି କରିବା ସମ୍ପର୍କିତ ଆବେଦନର ଶୁଣାଣି କାଳରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ କହିଥିଲେ ଯେ ସୁବ୍ରମଣ୍ୟମ୍ଙ୍କ ଜୀବନ ପ୍ରତି ଥିବା ବିପଦକୁ ଆଶଙ୍କା କରି ତାଙ୍କୁ ସରକାରୀ ବଙ୍ଗଳା ଦିଆଯାଇଥିଲା। ୨୦୧୬ ଜାନୁଆରୀ ୧୫ରୁ ୫ବର୍ଷ ପାଇଁ ତାଙ୍କୁ ବଙ୍ଗଳା ଦିଆଯାଇଥିଲା ବେଳେ ଏହାର ଅବଧି ଶେଷ ହୋଇଯାଇଛି। ସରକାର ଆଉ ଅଧିକ ଦିନ ତାଙ୍କୁ ବଙ୍ଗଳା ଯୋଗାଇ ଦେବାକୁ ଆଗ୍ରହୀ ନୁହଁ। ସୁବ୍ରମଣମ୍ୟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଜେଡ୍’ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହି ସୁରକ୍ଷା ବ୍ୟବସ୍ଥା ଏବେ ତାଙ୍କ ବାସଭବନରେ ଉପଲବ୍ଧ ହେବ। ମାତ୍ର ସୁବ୍ରମଣ୍ୟମ୍ ଅଧିକ ଦିନ ସରକାରୀ ଘରେ ରହିବାକୁ ଦାବି କରିଥିଲେ। ୨୦୨୨ ଏପ୍ରିଲ ୨୪ରେ ସୁବ୍ରମଣ୍ୟମ୍ଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି।
Comments are closed.