ଅଦାଲତରେ କାନ୍ଦିଲେ ପାର୍ଥ, ଅର୍ପିତା

କଲକାତା: ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀ ବୁଧବାର ଜାମିନ ଆବେଦନର ଶୁଣାଣି ସମୟରେ ଅଦାଲତରେ କାନ୍ଦିଛନ୍ତି। ଉଭୟ ପାର୍ଥ ଓ ଅର୍ପିତା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ବୁଧବାର ଉଭୟଙ୍କର ଜାମିନ ଆବେଦନ ଉପରେ ସ୍ବତନ୍ତ୍ର ଅଦାଲତ ଶୁଣାଣି କରିଥିଲେ। ଶୁଣାଣି ସମୟରେ ଉଭୟଙ୍କୁ ଭିଡିଓ କନଫରେନ୍ସିଂ (ଆଭାସି) ମାଧ୍ୟମରେ ଅଦାଲତରେ ହାଜର କରାଯାଇଥିଲା।

ଜାମିନ ଆବେଦନର ଶୁଣାଣି କରୁଥିବା ବିଚାରପତି ବିଦ୍ୟୁତ୍ କୁମାର ରାୟ ପାର୍ଥଙ୍କୁ କହିବାର ସୁଯୋଗ ଦେଇଥିଲେ। ଏହି ସମୟରେ ଜାମିନ ପ୍ରଦାନ ନିମନ୍ତେ ପାର୍ଥ ବିଚାରପତିଙ୍କୁ ନିବେଦନ କରିବା ସହିତ କାନ୍ଦିଥିଲେ। ପାର୍ଥ କହିଥିଲେ ମୁଁ ଶାନ୍ତିରେ ବଞ୍ଚିବାକୁ ଚାହେଁ; ମୋତେ ଜାମିନ ଦିଅ। ସେ କହିଥିଲେ ‘ସାଧାରଣ ଲୋକଙ୍କ ନିକଟରେ ମୋର ଭାବମୂର୍ତ୍ତିକୁ ନେଇ ମୁଁ ବିଚଳିତ। ମୁଁ ରାଜନୈତିକ ଷଡଯନ୍ତ୍ରର ଶିକାର​‌ ହୋଇଛି। ଇଡି ମୋର ନିର୍ବାଚନମଣ୍ଡଳୀ ଓ ଘରକୁ ଥରେ ବୁଲି ଆସିଲେ ଏହା ଜାଣିପାରିବ। ମୁଁ ଆଇନ ଡିଗ୍ରୀଧାରୀ। ବ୍ରିଟିଶ ସରକାରଙ୍କ ଠାରୁ ଛାତ୍ରବୃତ୍ତି ପାଇଛି। ମୋର ଝିଅ ଲଣ୍ଡନରେ ରହୁଛି। ମୁଁ ଏହି ଦୁର୍ନୀତିରେ କିପରି ଜଡିତ ରହିବି? ମୋତେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବା ଦରକାର।’ ସେହିପରି ପାର୍ଥଙ୍କ ଓକିଲ କହିଥିଲେ ‘ମୋର ମହକିଲ ତଦନ୍ତରେ ସହଯୋଗ କରୁଛନ୍ତି। ଭବିଷ୍ୟତରେ ମଧ୍ୟ ସହଯୋଗ କରିବେ। ତେଣୁ ତାଙ୍କୁ ଯେକୌଣସି ସର୍ତ୍ତରେ ଜାମିନ ପ୍ରଦାନ କରାଯାଉ।’

prayash

ପାର୍ଥଙ୍କ ପରେ ତାଙ୍କର ସହଯୋଗୀ ଅର୍ପିତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ବିଚାରପତି ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଓ ସୁନା ବାବଦରେ ପ୍ରଶ୍ନ କରିଥିଲେ। ଉତ୍ତରରେ ଅର୍ପିତା କାନ୍ଦିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ‘ମୁଁ ଜାଣି ନାହିଁ ଯେ ଇଡି ଏତେ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ମୋ ଘରୁ କିପରି ଜବତ କଲା।’ ବିଚାରପତି ତାଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ଘରୁ ଟଙ୍କା ଜବତ ହୋଇଥିଲା ତାର ମାଲିକ ତୁମେ କି? ଅର୍ପିତା ହଁ କରିଥିଲେ। ଯଦି ତୁମ ଘରୁ ଟଙ୍କା ଜବତ ହୋଇଛି ତାହେଲେ ଆଇନ ଅନୁଯାୟୀ ଟଙ୍କା କେଉଁଠାରୁ ଆସିଲା ତାର ଉତ୍ତର ଦେବାକୁ ହେବ। ଅର୍ପିତାଙ୍କ ଘରେ ଚଢଉ କରି ଇଡି ପ୍ରାୟ ୫୦ କୋଟିର ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା।

ଜେରା ସମୟରେ ଅର୍ପିତା କହିଥିଲେ ଯେ ଯେଉଁ ଘରୁ ଟଙ୍କା ଓ ସୁନା ଜବତ ହୋଇଛି ସେହି ଘରକୁ ପାର୍ଥ ସର୍ବଦା ତାଲା ପକାଇ ରଖିଥାନ୍ତି। ତାଙ୍କୁ ସେହି ଘରକୁ ଯିବାକୁ ଅନୁମତି ମଧ୍ୟ ଦିଆଯାଇ ନଥାଏ। ଅନ୍ୟପଟେ ଇଡି ପାର୍ଥ ଓ ଅର୍ପିତାଙ୍କ ଜାମିନକୁ ବିରୋଧ କରିବା ସହିତ ପୁନର୍ବାର ଉଭୟଙ୍କୁ ନିଜ ହେପାଜତକୁ ନେବା ଲାଗି ଅଦାଲତଙ୍କୁ ନିବେଦନ କରିଛି। ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ପାର୍ଥ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସରକାର ଓ ଦଳରୁ ବିଦା କରିଛନ୍ତି ା ଅନ୍ୟପଟେ ଅଭିଯୋଗକୁ ପାର୍ଥ ବାରମ୍ବାର ଖଣ୍ଡନ କରି ଆସୁଛନ୍ତି ା

kalyan agarbati

Comments are closed.