‘ସମାଜ’ରେ ଖବର ପ୍ରକାଶିତ ପରେ ମରାମତି ହେଲା ନୂତନ କଲେକ୍ଟୋରେଟ ରାସ୍ତା

ଦେବଗଡ଼: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ ପୂର୍ତ୍ତ  ବିଭାଗ (ରାସ୍ତା ଓ ସୌଧ) ଡିଭିଜନ ଦ୍ୱାରା ନିର୍ମାଣ କାର୍ଯ୍ୟ ହେଉଥିବା ଗତକାଲି(୧୩ ତାରିଖ) ‘ସମାଜ’ରେ ଖବର ପ୍ରକାଶିତ ହେବାପରେ ଆଜି ନୂତନ କଲେକ୍ଟୋରେଟ କୋଠା ନିକଟରେ ବର୍ଷାରେ ଧୋଇଯାଇଥିବା ନିର୍ମାଣାଧିନ ରାସ୍ତାର ମରାମତି କରାଯାଇଛି । ତେବେ ପୂର୍ବପରି ଆଜି ମଧ୍ୟ ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ରାସ୍ତା ପାଶ୍ୱର୍ରେ ଡ୍ରେନର କଂକ୍ରିଟ ଢଳେଇ କାର୍ଯ୍ୟ ଚାଲିଥିବା ବେଳେ ଏହାର ବେସ ଅର୍ଥାତ ପୂର୍ବରୁ ପଡିଥିବା କଂକ୍ରିଟ ବେଡ୍‌ ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି  ।

ବ୍ୟୟ ଅଟକଳ ଅନୁଯାୟୀ ସିମେଂଟ ବ୍ୟବହାର କରାଯାଇନଥିବା ଏବଂ ସଠିକ୍‌ ଭାବେ କ୍ୟୁରିଂ (ଜଳ ସିଂଚନ) କରାଯାଇନଥିବାରୁ ଚିପ୍ସ ଗୁଡିକ ବାହାରକୁ ଦେଖାଯିବା ସହ  ଏହାର ରଙ୍ଗ ମଧ୍ୟ ଫିକା ହୋଇପଡିଥିବା ଜଣାପଡିଛି । ଡ୍ରେନ ନିର୍ମାଣ ନିମନ୍ତେ ବନ୍ଧା ଯାଇଥିବା ଛଡ ମଧ୍ୟ ସଠିକ ବ୍ୟବଧାନରେ ବନ୍ଧା ଯାଇନଥିବାରୁ ଏହି ଡ୍ରେନର ସ୍ଥାୟୀତ୍ୱ ନେଇ ମଧ୍ୟ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମ୍ରମଙ୍କୁ ପଚାରିବାରୁ ପୂର୍ବରୁ ଡ୍ରେନର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସ୍ୱୀକାର କରିଛନ୍ତି । ଏଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଇଥିବା ଉତ୍ତର ଦେଇଛନ୍ତି । ସେହିପରି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ବିଲ୍‌ ମଧ୍ୟ ସଠିକ ଭାବେ ପ୍ରଦାନ କରାଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

prayash

ଏଠାରେ ସୂଚନା ଯୋଗ୍ୟ ଯେ,୪୯ ନମ୍ବର ଜାତୀୟ ରାଜପଥରୁ ନୂତନ କଲେକ୍ଟୋରେଟ କୋଠା ଓ ନୂତନ ମୂଖ୍ୟ ଚିକିତ୍ସାଳୟ କୋଠା ସମେତ ବିଭିନ୍ନ କୋଠାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ  ବିଭାଗ(ରାସ୍ତା ଓ ସୌଧ)ପକ୍ଷରୁ ମୋଟ ୩.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ନିମନ୍ତେ ସନ୍ତୋଷ କୁମାର ମିଶ୍ର ନାମକ ଜଣେ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭରୁ  ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିଲା ।

ଫଳରେ ଇତି ମଧ୍ୟରେ ଉକ୍ତ ରାସ୍ତାରୁ ପିଚୁ ଉଠିଯିବା ସହ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଲାଣି  । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲେ ହେଁ  ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବ ଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଫଳରେ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ରାସ୍ତାର ସ୍ତାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ନୂତନ କଲେକ୍ଟୋରେଟ କୋଠାକୁ ସଂଯୋଗ କରୁଥିବା ନିର୍ମାଣଧିନ ରାସ୍ତାଟି ସାମାନ୍ୟ ବର୍ଷାରେ ଧୋଇଯାଇଥିଲା । ଏନେଇ ଗତକାଲି ‘ସମାଜ’ରେ ଖବର ପ୍ରକାଶିତ ହେବାପରେ ପୂର୍ତ୍ତ ବିଭାଗ (ରାସ୍ତା ଓ ସୌଧ)ପକ୍ଷରୁ ନିର୍ମାଣକାରୀ ସଂସ୍ଥା ଜରିଆରେ ଉକ୍ତ କ୍ଷତିଗ୍ରସ୍ତ ରାସ୍ତାର ସାମାନ୍ୟ ମରାମତି କରାଯାଇଥିଲା ।

kalyan agarbati

Comments are closed.