ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ମନୋନୟନ

ସାମି, ସାମ୍‌ସନଙ୍କୁ ଉପେକ୍ଷା ନେଇ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଲାଗି ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ତେବେ ଦଳରେ ଫାଷ୍ଟବୋଲର ମହମ୍ମଦ ସାମି ଓ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ସଞ୍ଜୁ ସାମ୍‌ସନ ନ ରହିବା ଅନେକ କ୍ରିକେଟ୍‌ ବିଶେଷଜ୍ଞଙ୍କୁ ଚକିତ କରିଛି। ସେମାନେ ଜାତୀୟ ବରିଷ୍ଠ ମନୋନୟନ କମିଟିର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ କଟୁ ସମାଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ମଧ୍ୟ ରହିଛନ୍ତି। ପୁଣି ବହୁ କ୍ରିକେଟପ୍ରେମୀ ଟ୍ବିଟର ଜରିଆରେ ମହମ୍ମଦ ସାମି ଓ ସଞ୍ଜୁ ସାମ୍‌ସନଙ୍କୁ ଉପେକ୍ଷା ନେଇ ସମାଲୋଚନା କରିବା ସହ ତାତ୍ସଲ୍ୟ ମଧ୍ୟ କରିଛନ୍ତି।

ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସଫଳ ହେବା ପାଇଁ ଯେଉଁସବୁ ଗୁଣ ଆବଶ୍ୟକ; ସାମିଙ୍କ ପାଖରେ ସବୁକିଛି ଅଛି ବୋଲି କ୍ରିକେଟ୍‌ ପଣ୍ଡିତ କହିଛନ୍ତି। କାରଣ ସାମିଙ୍କ ପାଖରେ ଗତି, ଲାଇନ୍‌ ଲେଙ୍ଗ୍‌ଥ, ନୂଆ ବଲ୍‌ରେ ସ୍ବିଙ୍ଗ୍‌, ବାଉନ୍‌ସ ରହିଛି। ହର୍ଷଲ ପଟେଲ ନିଶ୍ଚୟ ଭଲ ବୋଲର। ହେଲେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବା ପାଇଁ ପାୱରପ୍ଲେରେ ୱିକେଟ ନେବା ଆବଶ୍ୟକ; ଯାହାର ଦକ୍ଷତା ସାମିଙ୍କ ପାଖରେ ରହିଛି। ପୁଣି ଯଶପ୍ରୀତ ବୁମ୍‌ରାଙ୍କ ସହ ସାମି ନୂଆ ବଲ୍‌ରେ ଯେକୌଣସି ଦଳ ପାଇଁ ଦୁଃସ୍ବପ୍ନ ପାଲଟି ପାରନ୍ତି। ଚଳିତବର୍ଷ ଆଇପିଏଲ୍‌ ଚମ୍ପିଆନ୍ ଗୁଜରାଟ ପାଇଁ ସାମି ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ପାଇଁ ସାମି ସର୍ବାଧିକ ୱିକେଟ ନେଇଥିଲେ। ପୂର୍ବତନ ଭାରତୀୟ ଅଧିନାୟକ କେ. ଶ୍ରୀକାନ୍ତ କହିଛନ୍ତି, ମୁଁ ଯଦି ମନୋନୟନ କମିଟିର ଅଧ୍ୟକ୍ଷ ଥାଆନ୍ତି; ତେବେ ନିଶ୍ଚୟ ସାମିଙ୍କୁ ଦଳରେ ରଖିଥାଆନ୍ତି। କାରଣ ଆମେ ଅଷ୍ଟ୍ରେଲିଆରେ ଖେଳିବାକୁ ଯାଉଛୁ।

prayash

ସାମିଙ୍କ ପାଖରେ ବାଉନ୍‌ସ ଅଛି। ସେ ଦଳକୁ ଜଲ୍‌ଦି ୱିକେଟ ଦେଇପାରନ୍ତି। ଗତ ଆଇପିଏଲ୍‌ରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ପିଚ୍‌କୁ ଦେଖି କହିବି ଯେ ସାମି ଦଳର ୧ନଂ ପେସ୍ ବୋଲର ହେବା କଥା। ଅନ୍ୟ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ କହିଛନ୍ତି ଯେ ହର୍ଷଲ ପଟେଲଙ୍କ ସ୍ଥାନରେ ମହମ୍ମଦ ସାମି ଓ ଦୀପକ ହୁଡାଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ଦଳରେ ରଖିବାର ଥିଲା। ଗତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପରେ ସାମିଙ୍କୁ ଚଳିତବର୍ଷ ଗୋଟିଏ ମଧ୍ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ନ ଖେଳାଇବା ଦୁର୍ଭାଗ୍ୟଜନକ। ପୁଣି ସାମି ଯଦି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଅଯୋଗ୍ୟ; ତାଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ କାହିଁକି ରଖାଯାଇଛି ବୋଲି ଅନେକେ ପ୍ରଶ୍ନ କରିଛନ୍ତି।

ନିକଟ ଅତୀତରେ ଭାରତ ପାଇଁ ଖେଳିଥିବା ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍; ଯେପରି ଋଷଭ ପନ୍ତ୍‌, ଦିନେଶ କାର୍ତ୍ତିକ, ଇଶାନ୍ କିଷନ୍‌ ଓ ସଞ୍ଜୁ ସାମ୍‌ସନଙ୍କ ମଧ୍ୟରୁ ସାମ୍‌ସନଙ୍କ ଟ୍ବେଣ୍ଟି୨୦ ଆଭ୍‌ରେଜ୍‌ (୪୪.୭୫) ସହ ଷ୍ଟ୍ରାଇକ୍‌ରେଟ୍‌ (୧୫୮.୪) ସର୍ବାଧିକ। ପୁଣି ଚଳିତବର୍ଷ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଯାଦବଙ୍କ ପରେ ସମସ୍ତ ପ୍ରକାର ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସାମ୍‌ସନଙ୍କ ଷ୍ଟ୍ରାଇକ୍‌ରେଟ୍‌ (୧୫୦.୫୮) ୨ୟ ସର୍ବାଧିକ। ତାଙ୍କ ତୁଳନାରେ ଦିନେଶ କାର୍ତ୍ତିକଙ୍କ ଷ୍ଟ୍ରାଇକ୍‌ରେଟ୍‌ (୧୦୮.୦୮) ସର୍ବନିମ୍ନ। ଋଷଭ ପନ୍ତ୍ ଦଳର ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଥିବା ବେଳେ ୩୯ ବର୍ଷ ବୟସ୍କ ଦିନେଶ କାର୍ତ୍ତିକ ବିଶ୍ବକପ୍‌ ଦଳରେ ରହିବାକୁ ନେଇ ଅନେକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। କାରଣ କାର୍ତ୍ତିକ ଇନିଂସର ଶେଷ ୩/୪ ଓଭରରେ ଭଲ ବ୍ୟାଟ୍‌ସମ୍ୟାନ୍। ହେଲେ ସଞ୍ଜୁ ସାମ୍‌ସନ ଭାରତୀୟ ବ୍ୟାଟିଂ ଅର୍ଡରର ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରନ୍ତି।

ସେ ଓପନ୍‌ କରିପାରନ୍ତି, ମଧ୍ୟକ୍ରମରେ ଖେଳିପାରନ୍ତି, ଦ୍ରୁତଗତିରେ ସ୍କୋର୍ କରିପାରନ୍ତି, ସହଜରେ ବାଉଣ୍ଡରୀ ମଧ୍ୟ ମାରିପାରନ୍ତି। ଚଳିତ ବର୍ଷର ଆଇପିଏଲ୍‌ରେ ସାମ୍‌ସନ ରାଜସ୍ଥାନ ରୟାଲ୍‌ସର ନେତୃତ୍ବ ନେଇ ଦଳକୁ ୨ୟ ଥର ଫାଇନାଲ​‌େ​‌ର ପହଞ୍ଚାଇଥିଲେ। ପୁଣି ସେ ୧୭ଟି ମ୍ୟାଚ୍‌ରୁ ୨୮.୬୩ ଆଭ୍‌ରେଜରେ ଓ ୧୪୬.୭୯ ଷ୍ଟ୍ରାଇକ୍‌ରେଟ୍‌ରେ ୨ଟି ଅର୍ଦ୍ଧଶତକ ସହ ୪୫୮ ରନ୍‌ କରିଥିଲେ। ପୁଣି ଚଳିତବର୍ଷ ସାମ୍‌ସନ ଭାରତ ପାଇଁ ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଏକ ୭୭ ରନ୍‌ର ଇନିଂସ ସହ ୪୪.୭୫ ଆଭ୍‌ରେଜରେ ୧୭୯ ରନ୍‌ କରିଛନ୍ତି। ପୁଣି ସେ ୬ଟି ଦିନିକିଆରୁ ୪୬.୩୩ ଆଭ୍‌ରେଜରେ ରନ୍‌ କରିଛନ୍ତି। ଗତ ଆଇପିଏଲ୍‌ ପରେ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ସାମ୍‌ସନ ଦଳ ପାଇଁ ଉପଯୋଗୀ ହୋଇପାରିବେ। ଅଷ୍ଟ୍ରେଲିଆର ପିଚ୍‌ ତାଙ୍କ ବ୍ୟାଟିଂକୁ ସୁହାଇବ। ବୋଧହୁଏ ରୋହିତ ଏହା ଭୁଲି ଯାଇଛନ୍ତି।

kalyan agarbati

Comments are closed.