ଭାରତୀୟ କିସାନ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୌଦ୍ଧ: ଭାରତୀୟ କିସାନ ସଂଘ ବୌଦ୍ଧ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବିଶେଷ ଭାବରେ ଚଳିତବର୍ଷ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଧାନଫସଲ ନଷ୍ଟ ହେବା ସହିତ ଜମି ଗୁଡିକ ବାଲିଚର ହୋଇଯାଇଛି । ତେଣୁ ବନ୍ୟା ଦ୍ୱାରା ହୋଇଥିବା ଫସଲ କ୍ଷତିର ତଦନ୍ତ କରାଯାଇ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ବୌଦ୍ଧଜିଲାରେ ୭ଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ  ଇନପୁଟ ସବସିଡି ଆକାରରେ କୋଟି କୋଟି ଟଙ୍କା ମଂଜୁର କରିଛନ୍ତି । କିନ୍ତୁ ଉକ୍ତ ଟଙ୍କା ସଂପୂର୍ଣ୍ଣ ରୂପେ ଚାଷୀଙ୍କୁ ପ୍ରଦାନ କରାନଯାଇ ତହସିଲ କାର୍ଯ୍ୟାଳୟରେ ପଡିରହିଛି ।

prayash

ଏହି ବାବଦକୁ ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଚାଷୀଙ୍କୁ ପ୍ରଦାନ କରାନଯାଇ ପଡିରହିଥିବା କିସାନ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ୨୦୧୮ ମସିହାରେ ହୋଇଥିବା ବନ୍ୟା ଓ ବାତ୍ୟାରେ ଚାଷୀମାନଙ୍କ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିଲା । ବୌଦ୍ଧର ଚାଷୀମାନେ କୋଟି କୋଟି ଟଙ୍କା ପ୍ରିମିୟମ ଆକାରରେ ବୀମା କମ୍ପାନୀ ନିକଟରେ ବାନ୍ଧିଥିଲେ । କିନ୍ତୁ ୨୨ଟି ପଞ୍ଚାୟତରେ ୪୨୦୪ ଜଣ ଚାଷୀଙ୍କ ଫସଲ ହାନୀ ହୋଇଥିବା ନେଇ ଜିଲା କର୍ତ୍ତୃପକ୍ଷ ତାଙ୍କ ଚିଠି ନମ୍ବର ୨୫୨୬/୧୯.୦୨.୧୮ ରେ ବୀମା କମ୍ପାନୀକୁ ଅବଗତ କରାଇଥିଲେ ମଧ୍ୟ ଚାଷୀଙ୍କ ବୀମା କମ୍ପାନୀ ପକ୍ଷରୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନଥିବା କିସାନ ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ତୁରନ୍ତ ଚାଷୀମାନଙ୍କୁ ବୀମା କମ୍ପାନୀ ପକ୍ଷରୁ ଉକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଚଳିତବର୍ଷ ମଧ୍ୟ ବନ୍ୟାରେ ଚାଷୀମାନେ ବ୍ୟାପକ କ୍ଷତିର ଶିକାର ହୋଇଛନ୍ତି ।

ପ୍ରାୟ ପ୍ରତିବର୍ଷ ମହାନଦୀର ଉପନଦୀ ସାଲୁଙ୍ଖୀ, ତେଲ, ବାଘ, ଖଡଙ୍ଗ ଆଦିରେ ପ୍ରବଳ ପାଣି ଆସିବା ଦ୍ୱାରା ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏହି ଉପନଦୀ ମାନଙ୍କରେ ଜଳଭଣ୍ଡାର ନିର୍ମାଣ କରାଗଲେ ବନ୍ୟା ଦାଉରୁ ରକ୍ଷା ପାଇବା ସହିତ ଚାଷୀମାନେ ବର୍ଷ ତମାମ ଚାଷ କରିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଜଳସେଚନର ସୁବିଧା ପାଇପାରନ୍ତେ । ତେଣୁ କିସାନ ସଂଘ ପକ୍ଷରୁ ମହାନଦୀର ତଳମୁଣ୍ଡରେ ବଡ ଡ୍ୟାମ ନିର୍ମାଣ ପରିବର୍ତ୍ତେ ସାଲୁଙ୍ଖୀ ନଦୀର ଗୁରୁଜୀମୁଣ୍ଡା, ଖଡଙ୍ଗ ନଦୀର ସାଡାଙ୍ଗ ଓ ତେଲ ନଦୀର ଗଉଡତୋଳାଠାରେ ଛୋଟ ଛୋଟ ଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ଜଳସେଚନର ସୁବିଧା ଯୋଗାଇଦେବାକୁ ବୈଠକରେ ମତପ୍ରକାଶ ପାଇବା ସହିତ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଚାଷୀନେତା ନବୀନ ପ୍ରଧାନ, ଦୁତିବାହନ କମ୍ପ, ବିଶିକେସନ ପ୍ରଧାନ, ବିକାଶ ମହାକୁଡ, ବୈକୁଣ୍ଠ ପ୍ରଧାନ, ଗଦାଧର ମହାକୁଡ, ରବି ପ୍ରଧାନ, ପ୍ରକାଶ ଦାଶ, ଗୋପାଲଜୀ ଦାଶ ପ୍ରମୁଖ ବହୁ ସଂଖ୍ୟାରେ ଚାଷୀନେତା ଉପସ୍ଥିତ ଥିଲେ ।

kalyan agarbati

Comments are closed.