ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡ ଘଟଣା; ବାପା ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ
ବୌଦ୍ଧ: ବୌଦ୍ଧ ଜିଲା ବହିରା ଗ୍ରାମର ଯୁବ ଆଇନଜୀବୀ ହେମନ୍ତ ସାହୁଙ୍କ ହତ୍ୟାକାଣ୍ଡର ରାୟ ସୋମବାର ଦିନ ପ୍ରକାଶ ପାଇଛି । ଏହି ହତ୍ୟାକାଣ୍ଡ ରାଜ୍ୟରେ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ହୋଇଥିବା ବେଳେ ସେହି ସମୟରେ ଜିଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରାଯାଇଥିଲା । ଏଥିସହିତ ରାଜ୍ୟ ଓକିଲ ସଂଘର ପ୍ରତିନିଧି ମଣ୍ଡଳୀ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିବା ସହ ତତ୍କାଳୀନ ଏସପିଙ୍କ ସହିତ ଆଲୋଚନା କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗରିଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଦୀର୍ଘ ୭ ବର୍ଷ ପରେ ଏହି ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇବା ସହ ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ୱାଇଁ ମାମଲାକୁ ବିଚାର କରି ଅଭିଯୁକ୍ତ ବାପା ଓ ଦୁଇ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ଦେବା ସହ ଝିଅ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।
ମାମଲାରୁ ପ୍ରକାଶଯେ, ଗତ ୧୦.୧୧.୨୦୧୫ ତାରିଖରେ ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ଗ୍ରାମର ଯୁବ ଆଇନଜୀବୀ ହେମନ୍ତ ସାହୁ ବହିରା ସଦେଇପୁର-ବସ୍ତମପୁର ମାଟି ରାସ୍ତାରେ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ନିଜ ଘର ଠାରୁ ଅଧ କିଲୋମିଟର ଦୂର ଗାଁ ପୋଖରୀ ନିକଟରେ ଦୁର୍ବୃତ୍ତ ମାନେ ଧାରୁଆ ଅସ୍ତ୍ରରେ ଶ୍ରୀ ସାହୁଙ୍କ ୨ ଗୋଡ, ୨ ହାତ, ମୁହଁ ଓ ମୁଣ୍ଡ ପଛରେ ଅତି ନିର୍ମମ ଭାବେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଶ୍ରୀ ସାହୁ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ଖବରପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଘରକୁ ଆଣୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତ ଆଇନଜୀବୀଙ୍କ ଭାଇ ସୁଜିତ କୁମାର ସାହୁ ବାଉଁଶୁଣୀ ଥାନାରେ ପୁର୍ବ ଶତ୍ରୁତା କାରଣରୁ ତାଙ୍କ ଭାଇକୁ ବହିରା ଗ୍ରାମର ବନମାଳୀ ସାହୁ, କ୍ଷୀରାର୍ଣ୍ଣବ ସାହୁ ଓ ଦୁର୍ଯ୍ୟୋଧନ ସାହୁ ମାରିଥିବା ସନ୍ଦେହ ହେଉଥିବା ନେଇ ଅଭିଯୋଗ କରିଥିଲେ । ବାଉଁଶୁଣୀ ପୁଲିସ ଥାନା କେସ ନଂ ୯୯/୧୫ରେ ହତ୍ୟା ମାମଲା ରୁଜୁ କରି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଏପଟେ କିନ୍ତୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଭିଆଇବା ପରେ ଧରାପଡିଯିବା ଭୟରେ ଗାଁ ନିକଟରେ ବାଇକ୍ ଓ ହେଲମେଟ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଉକ୍ତ ବଇେକ୍ ଓ ହେଲମେଟକୁ ଜବତ କରିବାପରେ ହେଲେମେଟରେ ରକ୍ତ ଲାଗିଥିବାରୁ ଅଭିଯୁକ୍ତ ମାନେ ଉକ୍ତ ଗାଡିରେ ଆସିଥିବା ଜାଣିପାରିଥିଲା ।
ପୁଲିସ ଘଟଣାକୁ ଗୁରୁତର ସହ ନେବା ସହିତ ଘଟଣାର ୪ ଦିନ ପରେ ଅର୍ଥାତ ୧୪,୧୧.୨୦୧୫ ତାରିଖରେ ବହିରା ଗ୍ରାମର ଅଭିଯୁକ୍ତ ବନମାଳୀ ସାହୁ(୬୭) ଓ ତାଙ୍କ ଦୁଇ ପୁଅ କ୍ଷୀରାର୍ଣ୍ଣବ ସାହୁ (୪୫), ଦୁର୍ଯ୍ୟୋଧନ ସାହୁ ( ୪୦) , ଝିଅ ରିଷିବନ୍ଧ ଗ୍ରାମର ଉର୍ମିଳା ସାହୁ (୪୭), ବହିରା ଗ୍ରାମର ତ୍ରିପୁରାରୀ ସାହୁ (୪୦)ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ପରେ ଅଭିଯୁକ୍ତମାନେ ଘଟଣା ସମୟରେ କନ୍ଧମାଳ ଜିଲା ରାଇକିଆ ଥାନା ବେରେଡିକିଆ ଗ୍ରାମରେ ରହୁଥିବା ଓ ଆଇନଜୀବୀ ଶ୍ରୀସାହୁଙ୍କ ପରିବାର ସହିତ ଜମିବାଡି ଗଣ୍ଡୋଗୋଳ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଇକିଆରୁ ଆସି ତାଙ୍କୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ୱୀକାର କରିଥିଲେ । ଏହି ହତ୍ୟା ଘଟଣାରେ ବାଉଁଶୁଣୀ ପୁଲିସ ୧୪.୧୧,୨୦୧୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ପରିବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ଏସଟି ୫୬/୧୬ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୩୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ଅଳ୍ପନା ସ୍ୱାଇଁ ଅଭିଯୁକ୍ତ ମାନଙ୍କ ବିରୋଧରେ ପ୍ରମାଣ ଥିବା ନେଇ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମୋନା ଆଦେଶ ଦେଇଥିଲେ । ପ୍ରମାଣ ଅଭାବରୁ ଅଭିଯୁକ୍ତ ଉର୍ମିଳା ସାହୁ ଓ ତ୍ରିପୁରାରୀ ସାହୁଙ୍କୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଜ୍ଞାନରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।
Comments are closed.