ଅଘୋଷିତ ବିଦ୍ୟୁତ୍ କାଟରୁ ନିସ୍ତାର ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର
ଗୁରୁଡିଝାଟିଆ: ଅଘୋଷିତ ବିଦ୍ୟୁତ୍ କାଟ ଚରମ ସୀମାରେ ପହଞ୍ଚିଛି । ମନଇଚ୍ଛା ଦିନରାତି ବିଦ୍ୟୁତ୍ କାଟ୍ କରାଯାଉଛି । କୌଣସି ସୂଚନା ନଥାଇ ୭/୮ଘଣ୍ଟା ଲେଖାଏଁ ବିଦ୍ୟୁତ୍ କାଟ୍ ହେଉଛି । ବିୁଦ୍ୟତ୍ ଉପଭୋକ୍ତାମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ତେଣୁ ବାଧ୍ୟ ହୋଇ ଶ୍ରୀରାମ ବରିଷ୍ଠ ନାଗରିକ ମଞ୍ଚ କଖଡି ନଦୀକୂଳର ସଦସ୍ୟମାନେ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନିଙ୍କୁ ଆଠଗଡ ଠାରେ ଭେଟି ଲିଖିତ ଦାବିପତ୍ର ଦେବା ସହିତ ଏହାର ସୁବିଚାର ପାଇଁ ନିବେଦନ କରିଛନ୍ତି । ଏହାର ସୁବିଚାର ତ୍ୱରିତ କରାନଗଲେ ଆସନ୍ତା ସପ୍ତାହରେ ବରିଷ୍ଠ ନାଗରିକ ସଦସ୍ୟମାନେ ନାରଙ୍ଗବସ୍ତଠାରେ ଥିବା ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ନୀରବ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶଯୋଗ୍ୟ ଟିପିସିଏଓଡିଏଲ କର୍ତ୍ତୃପକ୍ଷ ଆଠଗଡରେ ବିଦ୍ୟୁତ୍ ସରବରାହ ଦାୟିତ୍ୱ ନେଇଥିବା ବେଳେ ଚଢା ଦରରେ ବିଦ୍ୟୁତ୍ ବିଲ ନେବାରେ ପଛାଉନାହାନ୍ତି ।
ହେଲେ ଏହା ବଦଳରେ ଉପଭୋକ୍ତାମାନଙ୍କୁ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇଦେବା ତାଙ୍କର କର୍ତ୍ତବ୍ୟ । ହେଲେ ତାହା ହେଉନାହିଁ । ବିନା ବଜ୍ରପାତ ଓ ହାଲୁକା ବର୍ଷାରେ ମଧ୍ୟ ବିଦ୍ୟୁତ୍ ତାର ଛିଡିଯାଉଛି । ଏହା ବିଦ୍ୟୁତ୍ ବିଭାଗର ଚରମ ଅବହେଳାର ନିଦର୍ଶନ । ଦୀର୍ଘବର୍ଷ ଧରି ପୁରୁଣା ବିଦ୍ୟୁତ୍ ତାରକୁ ବଦଳାଉନାହାନ୍ତି କିମ୍ବା ଉନସୁଲେଟର ନୂଆ ଲଗାଉନାହାନ୍ତି । ଯାହା ଫଳରେ କି ବାରମ୍ବାର ବିଦ୍ୟୁତ୍ ବିଭ୍ରାଷ୍ଟ ଦେଖାଦେଉଛି । ବିଦ୍ୟୁତ୍ ମରାମତି ଆଳ ଦେଖାଇ କାରଖାନା ପ୍ରୀତିକରି ବିଦ୍ୟୁତ୍ କାଟ କରୁଛନ୍ତି । ନୀରବଚ୍ଛିନ୍ନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ଘୋର ବ୍ୟତିକ୍ରମ ଆଠଗଡର ଗୁରୁଡିଝାଟିଆ ଅଞ୍ଚଳରେ ଦେଖିବାକୁ ମିଳୁଛି ।
ଯାହାଫଳରେ ମଞ୍ଚେଶ୍ୱର, କଖଡି, ମେଘା, ଧୁରୁଷିଆ, ଅନନ୍ତପୁର, ଘଣ୍ଟିଖାଲ, ଓରନ୍ଦା, କୁଷ୍ପଙ୍ଗି, କୁମାରପୁର, ଛଅଗାଁ, ଗୋବରା, ଗୁରୁଡିଝାଟିଆ ଆଦି ପଞ୍ଚାୟତର ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ଏପରିକି ବରିଷ୍ଠ ନାଗରିକ ସଦସ୍ୟମାନେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭେଟି ଏହାର ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବିପତ୍ର ଦେବା ସହିତ ଖୁଣ୍ଟୁଣିରୁ ଏକ ବିକଳ୍ପ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଭାଗିରଥି ସାହୁ, ସଂପାଦକ କିରଣ ବିହାରୀ ଖଟୁଆ, ଚନ୍ଦ୍ରଶେଖର ପରିଡା, ବିଷ୍ଣୁଚରଣ ମହାରଣା ,ଗୌରାଙ୍ଗ ଅମହନ୍ତ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।
Comments are closed.