ଶିକ୍ଷା ଓ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ
ଦିନ ଥିଲା ପିତାମାତା ପୁତ୍ରକନ୍ୟାଙ୍କୁ ଯେଉଁ ଶିକ୍ଷା ଦେବାକୁ ଚାହୁଁଥିଲେ ତାହା ଭକ୍ତକବି ମଧୁସୂଦନଙ୍କ ଭାଷାରେ ଥିଲା, ‘କ୍ଷୁଦ୍ରକୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର/ ମୁହିଁ ସେହିପରି ଯତନେ ସଞ୍ଚିବି ଧର୍ମଧନ ନିରନ୍ତର।’ ଆଜି ସମୟ ବଦଳି ଯାଇଛି। ଧର୍ମଧନର ସ୍ଥାନ ନେଇଛି କେବଳ ଧନ। ପିତାମାତା ତାଙ୍କ ପୁତ୍ରକନ୍ୟାଙ୍କ ପାଇଁ ଏଭଳି ସ୍କୁଲ ଅନ୍ୱେଷଣ କରୁଛନ୍ତି ଯେଉଁଠି ଅଧ୍ୟୟନ କଲେ ସେମାନେ ନିଜକୁ ମେଧାବୀ ଭାବରେ ଗଢ଼ି ତୋଳିବେ ଓ ପରୀକ୍ଷାରେ ଉଚ୍ଚନମ୍ବର ରଖି ଉଚ୍ଚଚାକିରି ପାଇବେ ଓ ବିପୁଳ ଅର୍ଥ ରୋଜଗାର କରିପାରିବେ। ମନେପଡ଼େ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଏକ ଅଭିଜ୍ଞତା। ଥରେ ସେ ବିମାନଯାତ୍ରା କରୁଥାନ୍ତି। ପାଖରେ ବସିଥାନ୍ତି ଜଣେ ଶିଳ୍ପପତି। ସେ ମନୋଜ ବାବୁଙ୍କ ସହ କଥାବାର୍ତ୍ତା କରୁକରୁ କହିଲେ, ‘ବୁଝିଲେ ଆଜ୍ଞା ! ମୋ ଝିଅର ଡାକ୍ତରୀ ପାଠ ପଢ଼଼ିବା ପାଇଁ ସଉକ ଅଛି।
ଗୋଟିଏ କଲେଜ କହିଲା ତାହା ସମ୍ଭବ ନୁହେଁ କାରଣ ନାମଲେଖା ମାପଦଣ୍ଡ ଅନୁସାରେ ପରୀକ୍ଷାରେ ତାର ନମ୍ବର କମ୍ ଅଛି। ମୁଁ କହିଲି ଆପଣ ଯେତେ ଲକ୍ଷ ଟଙ୍କା ଦାବି କଲେ ମୁଁ ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ ମୋ ଝିଅର ଡାକ୍ତରୀ ପାଠ ପଢ଼଼ିବା ଦରକାର। ତା ସତ୍ତ୍ବେ ସେହି କଲେଜ କର୍ତ୍ତୃପକ୍ଷ ରାଜି ହେଲେ ନାହିଁ। ଠିକ୍ ଅଛି, ମୋ ଝିଅ ଡାକ୍ତର ହେବା ଦରକାର ନାହିଁ। ମୁଁ ଏଭଳି ବ୍ୟବସ୍ଥା କରିବି ଯେମିତି ତା ପାଖରେ ଦଶଜଣ ଡାକ୍ତର ଖଟୁଥିବେ।’ ମନୋଜ ଦାସ ଏହା ଶୁଣି କହିଲେ, “ତା’ହେଲେ ଆପଣ ତା’ର ନାମଲେଖାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।” ଶିଳ୍ପପତି କହିଲେ, ‘‘ଠିକ୍ ଯେ ଆଜ୍ଞା। ଯେଉଁ ଦେଶର ଲୋକ ଅର୍ଥର ମର୍ଯ୍ୟାଦା ବୁଝନ୍ତି ନାହିଁ ସେ ଦେଶରେ ଆପଣ କ’ଣ କରିପାରିବେ ?” ଏହା ହେଉଛି ଆମ ଦେଶର ଜଣେ ସମ୍ଭ୍ରାନ୍ତ ଅଭିଭାବକର ଦୃଷ୍ଟିଭଙ୍ଗୀ। ଆଜି ଅଭିଭାବକମାନେ ଚାହୁଁଛନ୍ତି ସେମାନଙ୍କ ପିଲା ମେଧା ବଳରେ ନ ହେଲେ ଅର୍ଥ ବଳରେ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନରେ ପ୍ରବେଶ କରୁ, ପରୀକ୍ଷାରେ ଉଚ୍ଚ ନମ୍ବର ପାଇବା ପାଇଁ ଆବଶ୍ୟକ ହେଲେ ଅସାଧୁ ଉପାୟ ଅବଲମ୍ବନ କରୁ ଓ ଶେଷରେ ଲାଞ୍ଚ ଦେଇ ଅଯୋଗ୍ୟ ହେବା ସତ୍ତ୍ବେ ଉଚ୍ଚ ଚାକିରି ପାଉ। ଆଜି ଏହା ହେଉଛି ବହୁ ଅଭିଭାବକଙ୍କ ମାନସିକତା।
ଏହି ପ୍ରସଙ୍ଗରେ ମନେପଡ଼େ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନର ଏକ ଘଟଣା। ବନ୍ଧୁ ବ୍ରଜମୋହନ ପଣ୍ଡା ଗଙ୍ଗାଧରଙ୍କୁ ତାଙ୍କ ଗାଁ ଲରମ୍ଭାରେ ପ୍ରତିଷ୍ଠିତ ହୋଇଥିବା ସ୍କୁଲରେ ତାଙ୍କ ପୁଅ ଭଗବାନ ମେହେରଙ୍କୁ ଜଣେ ଶିକ୍ଷକ ଭାବରେ ଗ୍ରହଣ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ ହେଁ ଗଙ୍ଗାଧର ସେହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ। ତାଙ୍କ ଆଶଙ୍କା ଥିଲା ସେଠାରେ ଆତ୍ମସମ୍ମାନ ବଜାୟ ରଖି ଚାକିରି କରିବା ଭଗବାନ ମେହେରଙ୍କ ପକ୍ଷରେ ସମ୍ଭବ ନ ଥିଲା, କାରଣ ସେ ଶିକ୍ଷକତା କରିବା ପାଇଁ ଆବଶ୍ୟକ କୌଣସି ପ୍ରମାଣପତ୍ର ପାଇନଥିଲେ। କେବଳ ବନ୍ଧୁଙ୍କ ଜୋରରେ ଜଣେ ଯୋଗ୍ୟତାହୀନ ବ୍ୟକ୍ତି ସ୍କୁଲରେ ଛାତ୍ରମାନଙ୍କ ଦ୍ୱାରା ଉପହସିତ ହେବା ଓ ତଦ୍ଦ୍ବାରା ଛାତ୍ରମାନଙ୍କର କ୍ଷତି ହେବା ତାଙ୍କର ଆଶଙ୍କା ହେଲା। ଏଣୁ ସେ ବ୍ରଜମୋହନଙ୍କ ନିକଟକୁ ଚିଠିରେ ଲେଖିଲେ, “ଭଗବାନ ଲରମ୍ଭା ନ ଯିବାକୁ ଆପଣ ମୋ ପ୍ରତି ଅସନ୍ତୁଷ୍ଟ ହୋଇନାହାନ୍ତି ତ? ଭଗବାନ ଏନ୍ଟ୍ରାନ୍ସ ପାସ୍ କରି ନ ଥିବାରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅପମାନ ପାଇବାର ବଡ଼ ଆଶଙ୍କା ହେବାରୁ ତାଙ୍କୁ ପଠାଇବାର ଦ୍ୱିଧା ହେଲା। ଛାତ୍ରମାନେ ମଧ୍ୟ ଅନାଗ୍ରହ କଲେ ସ୍କୁଲର ଅବନତି ହେବ। ଆପଣଙ୍କ ସ୍ନେହ ଏଡ଼ିବା ମୋ ପକ୍ଷରେ ଉଚିତ ନୁହେଁ, ତଥାପି ସ୍କୁଲର ଉନ୍ନତିରେ ବାଧା ହେବ ଭାବି ସେପରି କରିଛି।” ଏହା ଥିଲା ଅଭିଭାବକ ଭାବରେ ଗଙ୍ଗାଧରଙ୍କ ଦୃଷ୍ଟିଭଙ୍ଗୀ। ପୁତ୍ର ବରଂ ଚାକିରି ନ ପାଉ, ମାତ୍ର ତା’ର ଅଯୋଗ୍ୟତା ଛାତ୍ରମାନଙ୍କ କ୍ଷତି ନ କରୁ। ଅଭିଭାବକ ଗଙ୍ଗାଧର ଏହିଭଳି ଏକ ମହତ ଭାବନା ପୋଷଣ କରିଥିଲେ।
ଆଉ ଜଣେ ଅଭିଭାବକଙ୍କ କଥା। ଆମେରିକାର ଷୋଡ଼ଶ ରାଷ୍ଟ୍ରପତି ଆବ୍ରହମ୍ ଲିଙ୍କନ୍ ତାଙ୍କ ପୁଅର ଶିକ୍ଷକଙ୍କୁ ଚିଠିଟିଏ ଲେଖିଥିଲେ। ପୁଅକୁ ଭଲ ମଣିଷ କରିବା ପାଇଁ କେଉଁ ପ୍ରକାର ଶିକ୍ଷା ଦରକାର ତାହା ଥିଲା ଚିଠିର ବିଷୟବସ୍ତୁ। ସେ ଲେଖିଥିଲେ, “ହେ ପ୍ରିୟ ଶିକ୍ଷକ, ଯଦି ପାରିବ ତାକୁ ଶିଖାଅ ଯେ ମାଗଣାରେ ଦଶ ଡଲାରର ମୂଲ୍ୟ ଅପେକ୍ଷା ନିଜେ ଅର୍ଜନ କରିଥିବା ଦଶ ସେଣ୍ଟ୍ର ମୂଲ୍ୟ ଅଧିକ। ସେ ଶିଖୁ ଯେ ପ୍ରତାରଣା କରି ପାସ୍ କରିବା ଅପେକ୍ଷା କ୍ଲାସରେ ଫେଲ୍ ହେବା ଭଲ। ନିର୍ବିକାରରେ ହାରିବା ସେ ଶିଖୁ। ଯଦି ଜିତେ ବିଜୟକୁ ଉପଭୋଗ କରିବା ମଧ୍ୟ ଶିଖୁ। ସେ ଲୋକଙ୍କ ପ୍ରତି ନମ୍ରଭାବ ଦେଖାଉ; କିନ୍ତୁ ଶକ୍ତ ଲୋକଙ୍କ ସହ ମିଶିବା ବେଳେ ନିଜେ ଶକ୍ତ ହେବାର ଶିଖୁ। ଈର୍ଷାଠାରୁ ତାକୁ ଦୂରେଇ ରଖନ୍ତୁ। ଏକୁଟିଆ ହସିବାର ଆନନ୍ଦ ତାକୁ ଶିଖାନ୍ତୁ। ଯଦି ସମ୍ଭବ ଦୁଃଖରେ ହସିବା ଶିଖାନ୍ତୁ। ସେ ଆଖିରୁ ଲୁହ ପୋଛିଲେ ଲଜ୍ଜିତ ହେଉ। ସେ ଶିଖୁ ଯେ ବିଫଳତା ମଧ୍ୟ ମହିମାମୟ ଓ ସଫଳତା ମଧ୍ୟ ଗ୍ଲାନିକର ହୋଇପାରେ।” ଆବ୍ରାହମ୍ ଲିଙ୍କନ୍ ଚାହିଁ ନଥିଲେ ତାଙ୍କ ପୁଅ ଅସାଧୁ ଉପାୟରେ ସଫଳତା ଅର୍ଜନ କରୁ। ସେ ଥିଲେ ଜଣେ ଦାୟିତ୍ୱବାନ୍ ଅଭିଭାବକ।
ମହାତ୍ମା ଗାନ୍ଧୀଙ୍କ ପୁତ୍ର ମଣିଲାଲ ଗାନ୍ଧୀ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ରହୁଥାନ୍ତି। ଥରେ ସେ ପୁତ୍ର ଅରୁଣ ଗାନ୍ଧୀଙ୍କ ସହ ୧୮କିଲୋମିଟର ଦୂରସ୍ଥ ଏକ ସ୍ଥାନକୁ ଯାଇଥାନ୍ତି। ଅରୁଣ ପିତାଙ୍କୁ ଏକ ସେମିନାର ହଲରେ ଛାଡ଼ି ଦେଇ ଗାଡ଼ି ମରାମତି ପାଇଁ ଏକ ଗ୍ୟାରେଜକୁ ଗଲେ। ସନ୍ଧ୍ୟା ୫ଟା ବେଳେ ସେ ପିତାଙ୍କୁ ଧରି ଘରକୁ ଫେରିବା କଥା। ଅରୁଣ ଗାଡ଼ି ମରାମତି କାମ ସରିବା ପରେ ଚାଲିଗଲେ ସିନେମା ଦେଖିବାକୁ। ସିନେମା ଦେଖିବାରେ ସେ ଏତେ ଭୋଳ ହୋଇଗଲେ ଯେ କେତେବେଳେ ସମୟ ଅତିକ୍ରାନ୍ତ ହୋଇଗଲା ଜାଣିପାରିଲେ ନାହିଁ। ବାପାଙ୍କ ପାଖରେ ପହଞ୍ଚିବା ବେଳକୁ ଏକ ଘଣ୍ଟା ବିଳମ୍ବ ହୋଇ ସାରିଥିଲା। ବାପା ବିଳମ୍ବର କାରଣ ପଚାରନ୍ତେ ଅରୁଣ କହିଲେ ଗାଡ଼ି ମରାମତିରେ ବିଳମ୍ବ ହେଲା। ଅରୁଣଙ୍କ ପାଖରୁ ଏହି ମିଥ୍ୟା ଉତ୍ତର ଶୁଣି ମଣିଲାଲ ମର୍ମାହତ ହେଲେ; କାରଣ ସେ ସତ୍ୟ କଥାଟି ଗ୍ୟାରେଜ ମାଲିକ ପାଖରୁ ଜାଣି ସାରିଥିଲେ। ମଣିଲାଲ ଅରୁଣଙ୍କୁ କହିଲେ, “ତୋତେ ବଢ଼଼ାଇବାରେ ମୋର ବୋଧେ କିଛି ଭୁଲ ରହିଯାଇଛି ଯେଉଁଥି ପାଇଁ ତୁ ଆଜି ମୋତେ ମିଛ କହିଲୁ। ଏଣୁ ସେହି ଭୁଲ ହୃଦୟଙ୍ଗମ କରିବା ପାଇଁ ମୁଁ ଆଜି ଚାଲିଚାଲି ଘରକୁ ଫେରିବି।” ଏହା କହି ଦୀର୍ଘ ପାଞ୍ଚଘଣ୍ଟା ଚାଲି ଘରେ ପହଞ୍ଚିଲେ। ନିଜ ପୁଅକୁ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ସେ ଜଣେ ଆଦର୍ଶ ଅଭିଭାବକର ଭୂମିକା ତୁଲାଇଲେ।
ସମ୍ପ୍ରତି ଅଭିଭାବକମାନଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ସେମାନେ ଗୋଟିଏ ବ୍ୟାଧି ଦ୍ୱାରା ପୀଡ଼ିତ। ସେହି ବ୍ୟାଧିଟି ହେଉଛି ସ୍ଥୂଳ ଉପଯୋଗିତାବାଦ। ଏହି ଦୃଷ୍ଟିକୋଣରୁ ସବୁ କଥାକୁ ବିଚାର କରାଯାଉଛି। ଦରକାରୀ ହୋଇ ନଥିଲେ କୌଣସି କଥାର ମୂଲ୍ୟ ନାହିଁ। ନିଜକୁ ସଭ୍ୟ ବୋଲାଉଥିବା ଲୋକେ ଦରକାରୀ ବୋଇଲେ ତାକୁ ହିଁ ବୁଝୁଛନ୍ତି ଯାହା ଅର୍ଥ ଆକର୍ଷଣ କରିପାରିବ, ଅର୍ଥ ଉପୁଜାଇପାରିବ। ଏହି ବ୍ୟାଧି ଭୀଷଣ ସଂକ୍ରାମକ। ଏବେ ଏହି ବ୍ୟାଧି ଅଭିଭାବକମାନଙ୍କଠାରୁ ପିଲାମାନଙ୍କ ପାଖକୁ ସଂକ୍ରମଣ ହୋଇଛି। ସେମାନେ ଭାବନ୍ତି ଅଧିକ ଅର୍ଥ ଆମ ଆୟତ୍ତରେ ଥିଲେ ଆମେ ଅଧିକ ସ୍ୱାଧୀନ। ଯାହା ମନ ଚାହିଁବ ଆମେ ତାହା କରିପାରିବା। ଏହି ଧାରଣାରୁ ସେମାନେ ଅର୍ଥ ଉପାର୍ଜନ ଓ ସଞ୍ଚୟ କରିଚାଲନ୍ତି। ମାତ୍ର ଅର୍ଥ ସ୍ୱାଧୀନତାର ମାଧ୍ୟମ ହୋଇ ରହେନାହିଁ। ସେମାନଙ୍କ ଅଜାଣତରେ ସେହି ମାଧ୍ୟମ ହିଁ ତାଙ୍କ ଉପରେ ପ୍ରଭୁତ୍ୱ ଜାହିର କରେ। ଯେଉଁ ସ୍ୱାଧୀନତାର ସ୍ୱପ୍ନରେ ସେମାନେ ଅର୍ଥ ଲୋଡ଼ିଥିଲେ ସେ ସ୍ୱାଧୀନତା ହରାଇ ସେମାନେ ଅର୍ଥର ଦାସ ହୋଇଯାନ୍ତି। ଯେଉଁ ବୟସରେ ସେମାନେ ଜୀବନର ମହତ୍ତ୍ୱ ଓ ଉତ୍କର୍ଷର ସ୍ୱପ୍ନ ଦେଖିବା କଥା ସେହି ବୟସରେ ସେମାନେ ଟଙ୍କାର ସ୍ୱପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ବିଦ୍ୟା ଅର୍ଜନରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଶ୍ରୀମା କହିଛନ୍ତି, “ଜ୍ଞାନ ପାଇଁ ବିଦ୍ୟାର୍ଜନ କରିବା, ପ୍ରକୃତିର ତଥା ଜୀବନର ଗୋପନ ରହସ୍ୟ ବୁଝିବା ପାଇଁ ଅଧ୍ୟୟନ କରିବା, ଚେତନାର ଅଭିବୃଦ୍ଧି ପାଇଁ, ନିଜକୁ ଶୃଙ୍ଖଳିତ କରିବା ପାଇଁ, ନିଜ ଭିତରେ ଥିବା ଦୁର୍ବଳତା, ଅକ୍ଷମତା ଓ ଅଜ୍ଞାନ ଅତିକ୍ରମ କରିବା ନିମନ୍ତେ ଏକ ମହତ୍ତର ସତ୍ୟ ସକାଶେ ପ୍ରସ୍ତୁତ ହେବା ହେଉଛି ଶିକ୍ଷାର ଉଦ୍ଦେଶ୍ୟ। ମାତ୍ର ସ୍ଥୂଳ ଉପଯୋଗିତାବାଦ ଦ୍ୱାରା ପୀଡ଼ିତ ଆଜିର ଅଭିଭାବକମାନେ ଏ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ। ସେମାନଙ୍କ ପାଇଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ କଥା ହେଲା କେମିତି ସେମାନଙ୍କ ପୁତ୍ରକନ୍ୟା ବିପୁଳ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରସ୍ତୁତ ହେବେ। ଏହିଭଳି ଅଧଃପତିତ ଅବସ୍ଥାରୁ ଉର୍ତ୍ତୀଣ୍ଣ ହେବା ପାଇଁ ଲୋଡ଼ା ବ୍ୟାପକ ସାମୂହିକ ସଚେତନତା। ଏ ଦିଗରେ ସମାଜର ବିଜ୍ଞବର୍ଗ ଆଗଭର ହେବା ଉଚିତ।
Comments are closed.