ଟି୨୦ ବିଶ୍ବକପ୍: ଭାରତୀୟ ଦଳକୁ ଫେରିଲେ ବୁମ୍ରା, ହର୍ଷଲ
ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ଶୃଙ୍ଖଳା ପାଇଁ ଦଳ ଘୋଷଣା
ନୂଆଦିଲ୍ଲୀ: ପୂର୍ଣ୍ଣ ଶକ୍ତିରେ ଫାଷ୍ଟବୋଲିଂ ଆକ୍ରମଣ ସହ ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳିବାକୁ ଯାଉଛି। ସୋମବାର ଏହି ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷଣା କରା ଯାଇଥିବା ବେଳେ ଦଳକୁ ଦୁଇ ପ୍ରମୁଖ ଫାଷ୍ଟବୋଲର ଯଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ ଫେରିଛନ୍ତି। ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ୍ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ବିଶ୍ବକପ୍ ପାଇଁ ବିସିସିଆଇର ବରିଷ୍ଠ ମନୋନୟନକାରୀ ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ମନୋନୟନକାରୀ ଯୁବ ବାମହାତି ପେସ୍ ବୋଲର ଅର୍ଶଦୀପଙ୍କ ଉପେର ଆସ୍ଥା ପ୍ରକଟ କରିଛନ୍ତି। ଚଳିତମାସରେ ଅର୍ଶଦୀପ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଏହାସହ ବ୍ୟାଟିଂ ଅଲ୍ରାଉଣ୍ଡର ଭାବେ ଦୀପକ ହୁଡା ଓ ଆହତ ରବୀନ୍ଦ୍ର ଜାଡ଼େଜାଙ୍କ ବଦଳ ଖେଳାଳି ଭାବେ ଅକ୍ଷର ପଟେଲ ଦଳରେ ରହିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି; ଅଷ୍ଟ୍ରେଲିଆର ପିଚ୍ ଓ ବାତାବରଣରେ ଅଭିଜ୍ଞ ମହମ୍ମଦ ସାମିଙ୍କ ବୋଲିଂ ଉପଯୋଗୀ ହେବ ବୋଲି ଆଶା କରା ଯାଉଥିବା ବେଳେ ତାଙ୍କୁ ସ୍ଥାନ ମିଳିନାହିଁ। ସାମି ଷ୍ଟାଣ୍ଡବାଇ ଭାବେ ରହିଛନ୍ତି। ସାମିଙ୍କ ସହ ଫିଟ୍ ହୋଇଥିବା ଦୀପକ ଚହରଙ୍କୁ ସୁଯୋଗ ନଦେଇ ମନୋନୟନକାରୀ ଅର୍ଶଦୀପଙ୍କୁ ଦଳରେ ରଖିଛନ୍ତି। ସ୍ଲଗ୍ ଓଭରରେ ଭଲ ବୋଲିଂ କରୁଥିବାରୁ ପଞ୍ଜାବର ଏହି ପେସ୍ ବୋଲର ସୁଯୋଗ ପାଇଛନ୍ତି। ଦଳର ଦୁଇ ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ ଆହତ ହେବା ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଥିବା ବେଳେ ଦୁହେଁ ସୁସ୍ଥ ଘୋଷିତ ହେବା ଯୋଗୁଁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମା ଆଶ୍ବସ୍ତ ହୋଇଛନ୍ତି। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟରୁ ବାଦ୍ପଡ଼ିବା ପରେ ଭାରତୀୟ ଦଳ ଟ୍ବେଣ୍ଟି୨୦ କ୍ରିକେଟ୍ରେ ବହୁତ ପରୀକ୍ଷା ନିରୀକ୍ଷା କରିବା ପରେ ତା’ର ଶ୍ରେଷ୍ଠ ୧୫ ଖେଳାଳିଙ୍କୁ ପାଇଛି। ଅବଶ୍ୟ ଆହତ ହୋଇନଥିଲେ ଅକ୍ଷରଙ୍କ ସ୍ଥାନରେ ଜାଡ଼େଜା ଦଳରେ ରହିଥାଆନ୍ତେ। ସ୍ପିନ୍ ବୋଲିଂ ବିଭାଗରେ ଅଭିଜ୍ଞତା ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ନିଆଯାଇଛି। ଚଳିତବର୍ଷ ପଦାର୍ପଣ କରିଥିବା ଦୀପକ ହୁଡା ଟ୍ବେଣ୍ଟି୨୦ ଶତକ ହାସଲ କରିବା ପରେ ତାଙ୍କୁ ବ୍ୟାଟିଂ ଅଲ୍ରାଉଣ୍ଡର ଭାବେ ଦଳରେ ରଖାଯାଇଛି। ରୋହିତ ଶର୍ମା ଅଧିନାୟକ ଥିବା ବେଳେ କେ.ଏଲ୍. ରାହୁଲଙ୍କୁ ଉପଅଧିନାୟକ ଘୋଷଣା କରାଯାଇଛି। ଋଷଭ ପନ୍ତ୍ ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଥିବା ବେଳେ ଦିନେଶ କାର୍ତ୍ତିକ ଦଳରେ ରହିଛନ୍ତି। ଫଳରେ ସଞ୍ଜୁ ସାମ୍ସନ ନିରାଶ ହୋଇଛନ୍ତି। ଆଭେସ୍ ଖାଁ ଓ ରବି ବିଷ୍ଣୋଇଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ୨ୟ ୱିକେଟ ରକ୍ଷକ ପାଇଁ ଦାବିଦାର ଥିବା ଇଶାନ୍ କିଷନ୍ ଓ ସଞ୍ଜୁ ସାମ୍ସନ ମଧ୍ୟ ନିରାଶ ହୋଇଛନ୍ତି। ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ୍ର ପ୍ରଥମ ଲିଗ୍ ମ୍ୟାଚ୍ ଖେଳିବ।
Comments are closed.