ଅଳଗୁମ କାଠିଯାତ୍ରାରେ ଶ୍ରଦ୍ଧାଳୁଙ୍କ ସମାବେଶ

ସୁଆଣ୍ଡୋ: ସତ୍ୟବାଦୀ ବ୍ଳକ ସ୍ଥିତ ଅଳଗୁମ ଗ୍ରାମର ଦେବୀ  ମା’ଜାଗୁଳେଇଙ୍କ ପାରମ୍ପରିକ କାଠିଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି । ମା’ଙ୍କର ପିୟ ଭୋଗ ମଣ୍ଡା ପିଠା । ଏହି ପରିପ୍ରେକ୍ଷୀରେ ଭାଦ୍ରବମାସ ଷଷ୍ଠୀ ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଠାକୁରାଣୀଙ୍କ ଆଖି ବର୍ଷକୁ ମାତ୍ର ୧୨ ଦିନ ଖୋଲାରହେ । ଅନ୍ୟ ଦିନରେ ମା’ଙ୍କ ଆଖି ବୁଜା ଯାଇଥାଏ । ୧୨ଟି ପଡାରେ ଦୁଆରୀ ଭୋଗ ଖାଇ ମା’ଙ୍କର ବିଜେ ପ୍ରତିମା ରବିବାର ମଧ୍ୟାହ୍ନରେ ମନ୍ଦିରକୁ ଫେରିବା ପରେ କାଠିଯାତ୍ରା ଆରମ୍ଭ ହୋଇଥିଲା । ଘଣ୍ଟ, କାହାଳୀ, ଢୋଲ, ମହୁରୀ, ହରିବୋଲ, ହୁଳହୁଳି ଧ୍ୱନି ମଧ୍ୟରେ ମା’ଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଅଣାଯାଇ ୨୨ହାତ ୨୨ଅଙ୍ଗୁଳ ଲମ୍ବ ବିଶିଷ୍ଟ ଶାଳ କାଠରେ ଫୁଲମାଳ ବନ୍ଧା ଯାଇଥିଲା ।

prayash

ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମାନେ ମା’ଙ୍କୁ ଅର୍ପଣ କରିଥିବା ଶହଶହ ସଂଖ୍ୟାରେ ଶାଢ଼ି ଗୁଡିକ ମହାରଣା ସେବକମାନେ ସେହି କାଠିରେ ବାନ୍ଧିଥାନ୍ତି । ଗ୍ରାମର ରଜକ ସେବକ ମାନେ ଶାଢି ବାନ୍ଧିବାରେ ସହଯୋଗ କରିଥିଲେ । ଶାଢି ବନ୍ଧା ପର୍ବ ସରିବା ପରେ ସୁସଜ୍ଜିତ କାଠି ମା’ଙ୍କ ଶ୍ରୀଅଙ୍ଗରେ ଲଗାଯାଇ ବେଢା ପରିକ୍ରମା କରାଯାଇଥିଲା । ଭକ୍ତ ମାନଙ୍କ ଗହଣରେ କାଠିଟିକୁ ମନ୍ଦିର ଠାରୁ ଏକ କିଲୋମିଟର ଦୂର ବାରବାଟୀ ପଡିଆକୁ ବିରାଟ ପଟୁଆରରେ ନିଆଯାଇଥିଲା । ପଡିଆରେ କାଠିଯାତ୍ରା ଦେଖିବା ପାଇଁ ହଜାର ହଜାର ପୁରୁଷ ମହିଳା ଶ୍ରଦ୍ଧାଳୁ ଜମା ହୋଇଥିଲେ । ଉପସ୍ଥିତ ଭକ୍ତ ଓ ଦେଖାଣାହାରୀ ମାନଙ୍କ ହରିବୋଲ ଓ ହୁଳହୁଳିରେ ଚତୁର୍ଦ୍ଦିଗ କମ୍ପି ଉଠିଥିଲା । ପରେ ପରେ ମା’ଙ୍କୁ ମହାପ୍ରସାଦ, ପଣା, ପଇଡ ପୂଜାରୀ ସେବକ ମାନେ ସମର୍ପଣ କରିଥିଲେ ।

ସନ୍ଧ୍ୟାରେ କାଠି ମନ୍ଦିରକୁ ଫେରିଥିଲା । ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜେ ପ୍ରତିମା ସୁରାଲାଗି ନିମନ୍ତେ ସୁରାଲାଗି ବରଗଛ ମୂଳରେ ରାତ୍ରି ଯାପନ କରିଥିଲେ ।  ଏହି ଅବସରରେ ମନ୍ଦିର ଆଖପାଖରେ ଖୋଲିଥିବା ବଜାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣାବିକା ଲାଗିଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ଅଳଗୁମ ଗ୍ରାମରେ ଗହଳ ଚହଳ ଲାଗିବା ସହ ଉତ୍ସବ ମୁଖର ହୋଇପଡିଥିଲା ।

kalyan agarbati

Comments are closed.