ବୁର୍ଲା ସହରରେ ବଢ଼ୁଛି ଅପରାଧ; ଶକ୍ତିନଗରରେ ନୃଶଂସ ହତ୍ୟା
ବୁର୍ଲା: ଶିକ୍ଷାନଗରୀ ଏବଂ ସ୍ୱାସ୍ଥ୍ୟନଗରୀ ଆଖ୍ୟା ପାଇଥିବା ବୁର୍ଲା ସହର ଏକ ଅପରାଧର ସହର ପାଲଟିବାକୁ ବସିଲାଣି । ଏପରିକି ଧୀରେ ଧୀରେ ବାଳ ଅପରାଧୀଙ୍କ ସହର ପାଲଟିବା ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ପ୍ରବଳ ନିଶା ଅବୈଧ କାରବାର ଯୋଗୁଁ ଏପରି ଘଟଣା ଘଟୁଥିବା ସ୍ଥାନୀୟ ମହଲରେ ଚର୍ଚ୍ଚା ହେବା ସହିତ ଅଭିଯୋଗ ହେଉଛି । ଏପରିକି ଗତ ୫ ମାସ ମଧ୍ୟରେ ଆଜିକୁ ମିଶାଇ ତିନୋଟି ହତ୍ୟାକାଣ୍ଡ ଘଟଣା ଘଟିଯାଇଛି । ବୁର୍ଲା ପିଡ଼ବ୍ଲୁଡ଼ି କଲୋନି ଶକ୍ତିନଗରରେ ଗତକାଲି ସଂନ୍ଧ୍ୟା ସମୟରେ ସର୍ବସମ୍ମୁଖରେ ମୃତକଙ୍କ ଘରେ ତାଙ୍କୁ କରାଯାଇଥିବା ହତ୍ୟା ଘଟଣା ସ୍ଥାନୀୟ ମହଲରେ ଚହଳ ପକାଇ ଦେବା ସହିତ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ସୃଷ୍ଟି କରୁଛି । ତେବେ ବୁର୍ଲା ପୁଲିସର ନିଷ୍କ୍ରିୟତା ଭାବ ତଥା ବେଧଡ଼କ ନିଶା କାରବାର ଏଭଳି ଘଟଣା ଭିଆଇବାର ମୁଖ୍ୟକାରଣ ପାଲଟିଛି । ତେବେ ବୁର୍ଲା ପୁଲିସ ଏହା ବିଷୟରେ ମୁହଁ ଖୋଲିବାକୁ ନାରାଜ ରହିଥିବା ସ୍ଥାନୀୟ ସଚେତନ ମହଲକୁ ଆହୁରୀ ମାତ୍ରାରେ ଅସୁରକ୍ଷିତ ବାତାବରଣ ପ୍ରଦାନ କରିଛି ।
ଘଟଣାରୁ ପ୍ରକାଶ, ବୁର୍ଲା ପିଡ଼ବ୍ଲୁଡ଼ି କଲୋନି ଶକ୍ତିନଗରରେ ହତ୍ୟାର ଶିକାର ହୋଇଥିବା ବେଦନାଥ ଶର୍ମା(୫୦)ଙ୍କୁ ତାଙ୍କ ଘରେ ହିଁ କିଛି ଦୁର୍ବୃତ୍ତ ମାରଣାନ୍ତକ ଆକ୍ରମଣ କରିଥିଲେ । ପ୍ରାୟ ୬ ଜଣ ଯୁବକ ଏହି ଘଟଣା ସର୍ବ ସମ୍ମୁଖରେ ବେଦନାଥଙ୍କୁ ପୂର୍ବ କୌଣସି ଶତ୍ରୁତାକୁ ନେଇ ମାରଣାସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ବେଦନାଥ । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ବୁର୍ଲା ଭୀମସାରର ଆଶୁଚିକିତ୍ସା ବିଭାଗକୁ ନିଆଯାଇଥିଲା । ମାତ୍ର ସେଠାରେ ବେସ କିଛି ସମୟ ପରେ ବେଦନାଥଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଏହାକୁ ନେଇ ବୁର୍ଲା ଭୀମସାର ଆଶୁଚିକିତ୍ସା ବିଭାଗରେ ସ୍ଥାନୀୟ ବାସୀନ୍ଦା ତଥା ପଡ଼ାବାସୀ ଜମା ହେବା ସହିତ ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ମେଡିକାଲରେ ପହଞ୍ଚି ଘଟଣା ଆହୁରି ଉତ୍ତେଜନା ପୂର୍ଣ୍ଣ ହେବା ଆଶଙ୍କାକରି ଶବକୁ ବୁର୍ଲା ଭୀମସାର ମେଡ଼ିକାଲ ଫାଣ୍ଡି ଶବ ଗୃହରେ ରଖାଯାଇଥିଲା ।
ତେବେ ସ୍ଥାନୀୟ ଅଞ୍ଚଳର ଶକ୍ତିନଗରରେ ଏକ ଆତଙ୍କର ମାହୋଲ ଖେଳିଯିବା ସହିତ ସେମାନଙ୍କ ମଧ୍ୟରେ ·ପା ଉତ୍ତେଜନା ଲାଗି ରହିଛି । ତେବେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବୁର୍ଲା ପୁଲିସ ଗୁରୁତର ସହିତ ନେବା ସହିତ ତିନିଜଣ ଯୁବକ ଯେଉଁମାନେ ଏହି ଆକ୍ରମଣ ଘଟଣାରେ ସାମିଲ ରହିଥିଲେ ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ସୂଚନା ଦେବା ସହିତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ତିନିଜଣଙ୍କ ନାମ ଜଣା ପଡ଼ିଥିବା ବେଳେ ପୁଲିସ ସମସ୍ତଙ୍କୁ ଗିରଫ୍ କରାଯିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ପ୍ରବଳ ନିଶାସେବନ ହିଁ ଏହି ହତ୍ୟାର କାରଣ ସାଜିଥିବା ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି । ତେବେ ସୂଚନା ଥାଉକି ଗତ ୪ରୁ୫ ମାସ ମଧ୍ୟରେ ଏହାକୁ ମିଶାଇ ତିନୋଟି ହତ୍ୟା ଘଟଣାହେବ । ସ୍ଥାନୀୟ ସଚେତନ ବର୍ଗଙ୍କୁ ଚିନ୍ତାରେ ପକାଇବା ସହିତ ସହରର ଗତି କୁଆଡ଼େ ବୋଲି ପ୍ରଶ୍ନ ଉଠୁଛି ।
ସୂଚନା ଥାଉକି, ଚଳିତ ବର୍ଷ ଗତ ମେ’ ମାସ ୧୧ ତାରିଖ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ସାମାନ୍ୟ କଥାକୁ ନେଇ ଜଣେ ୧୭ ବର୍ଷିୟ ନାବାଳକଙ୍କ ଛୁରାମାଡ଼ରେ ବୁର୍ଲା ସଦେଇପାଲି ବିଜୁ କଲ୍ୟାଣ ମଣ୍ଡପ ମଧ୍ୟରେ ସୁମିତ ଷଣ୍ଢ(୨୮) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ପୁଣି ପୂର୍ବରୁ ଗତ ଏପ୍ରିଲ ମାସରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଛତାବର ଗ୍ରାମର ୪୫ ବର୍ଷିୟ ପୁଅ ଲମ୍ବୋଦର ନାୟକଙ୍କୁ ଦୁଇଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଲମ୍ବୋଦରଙ୍କ ଛାତିରେ ଛୁରୀ ଭୁସି ଅତି ନୃଶଂସ ଭାବରେ ହତ୍ୟା କରି ଫେରାର ହୋଇଯାଇ ଥିଲେ । ଏହି ଦୁଇଟି ଯାକ ହତ୍ୟା ଘଟଣା ଏକମାସ ବ୍ୟବଧାନରେ ଘଟିଥିଲା । ପୁଣି ପିଡ଼ବ୍ଲୁଡ଼ି କଲୋନିରେ ହୋଇଥିବା ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ସଚେତନ ମହଲକୁ ଚିନ୍ତାଗ୍ରସ୍ତ କରି ରଖିବା ସହିତ ପୁଲିସର ନିଷ୍କ୍ରିୟତାକୁ ନେଇ ବିଭିନ୍ନ ମହଲରେ ପ୍ରବଳ ନିନ୍ଦା କରାଯାଉଛି । ସେପଟେ ବର୍ତ୍ତମାନ ବୁର୍ଲା ଥାନା ବିନା ଥାନାଧିକାରୀରେ ଭାରପ୍ରାପ୍ତ ଥାନାଧିକାରୀରେ ଗତି କରୁଛି । ଗତ ପ୍ରାୟ ଏକବର୍ଷ ଧରି ଭୁଶୁଡ଼ି ପଡ଼ିଥିବା ସୁରକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ସ୍ଥାନୀୟ ମହଲରେ ଦାବି ହେବା ସହିତ ପୁଣି ସହରରେ କିଭଳି ଶାନ୍ତି ଫେରିଆସିବ ସେ ନେଇ ଦାବି ହେଉଛି ।
Comments are closed.