ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଧାରଣା
ଆଜିଠୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ
ଭୁବନେଶ୍ବର: ୨୦୦୮ ମସିହା ପରବର୍ତ୍ତୀ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା ୧୫୦ ଦିନରେ ପହଞ୍ଚିଛି। ଗତ ୫ ତାରିଖେର ସଂଘ ପକ୍ଷରୁ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରାଯାଇଥିଲା। ବାରମ୍ବାର ସରକାରଙ୍କ ସହ ଆଲୋଚନା ସତ୍ତ୍ବେ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସୋମବାରଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି ଅଧ୍ୟାପନା କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ବିଶ୍ବରଞ୍ଜନ ଦାସ କହିଛନ୍ତି, ୨୦୦୮ ମସିହା ପରେ ରାଜ୍ୟର ବିଭିନ୍ନ ଅଣଅନୁଦାନ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ନେଇ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ଗତ ୫ ତାରିଖରେ ସଂଘର ଏକ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କ ସହ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିଲା। ବିଭାଗୀୟ ମନ୍ତ୍ରୀ ପୂର୍ବରୁ ସଂଘକୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ୮ ଦିନ ମଧ୍ୟରେ ବିଭାଗୀୟ ଆଲୋଚନା ହେବ। ହେଲେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ତେଣୁ ଅନିର୍ଦିଷ୍ଟକାଳ ପାଇଁ କଳାବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।
Comments are closed.