ଶିକ୍ଷା ବିଭାଗର ବିଚିତ୍ର ନିତି; ଅବସର ପରେ ଶିକ୍ଷକଙ୍କୁ ପଦୋନ୍ନତି
ବୌଦ୍ଧ: ବିଭିନ୍ନ କାରଣକୁ ନେଇ ଜିଲା ଶିକ୍ଷା ବିଭାଗ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପୂର୍ବରୁ ଗୋଟିଏ ଗ୍ରାମରେ ବିଦ୍ୟାଳୟ ନଥାଇ ସେଠାକୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ବେଳେ ପରେ ଏହା ବିଧାୟକଙ୍କ ଭୁଲ ଯୋଗୁଁ ହୋଇଯାଇଥିବା ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା । ବିଧାୟକ କିଛି ଶିକ୍ଷକଙ୍କୁ ବଦଳି କରାଯିବାକୁ ନେଇ ନିଜେ ଜିଲା ଶିକ୍ଷା ବିଭାଗକୁ ଚିଠି କରିବାପରେ ସେହି ତାଲିକା ଅନୁଯାୟୀ ବଦଳି କରାଯାଇଥିବାରୁ ଭୁଲ ହୋଇଯାଇଥିବା କୁହାଯାଇଥିଲା । ବର୍ତ୍ତମାନ ଦୀର୍ଘଦିନ ହେଲା ପଡିରହିଥିବା ଶିକ୍ଷକଙ୍କ ପଦୋନ୍ନତି ଫାଇଲ ରାଜ୍ୟ ଶିକ୍ଷା ବିଭାଗର ଅନୁମୋଦନ ପରେ ତାଲିକାକୁ ନେଇ ଜିଲାରେ ଚର୍ଚ୍ଚା ହୋଇଛି ।
ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକାରେ ଅବସର ନେଇସାରିଥିବା ଜଣେ ଶିକ୍ଷକଙ୍କ ନାମ ରହିଥିବା ଜଣାଯାଇଛି । ସୂଚନା ମୁତାବକ ଶିକ୍ଷକ ଧରଣୀଧର ମହାପାତ୍ର ଗତ ଜୁଲାଇ ମାସରୁ ଅବସର ଗ୍ରହଣ କରିସାରିଥିବା ବେଳେ ପଦୋନ୍ନତି ଦିଆଯାଇ ତାଙ୍କୁ ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟରୁ କଣ୍ଟାମାଳ ବ୍ଲକ ଉମା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ ବଦଳି କରାଯାଇଛି । ତେବେ ଏନେଇ ଜିଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝିଙ୍କୁ ପଚାରିବାରେ ସେ ଚାକିରୀରେ ଥିବାବେଳେ ପଦୋନ୍ନତି ପାଇଁ ରାଜ୍ୟ ଶିକ୍ଷା ବିଭାଗକୁ ତାଲିକା ପଠାଯାଇଥିଲା । କିନ୍ତୁ ପଦୋନ୍ନତି ତାଲିକା ପ୍ରକାଶ ପାଇବା ବେଳେ ସେ ଅବସର ଗ୍ରହଣ କରିସାରିଛନ୍ତି । ତେଣୁ ତାଲିକାରେ ଏହିଭଳି ତ୍ରୁଟି ରହିଯାଇଥିବା ବୋଲି ପ୍ରକାଶ କରିଛନ୍ତି ।
Comments are closed.