ପାଟଣା ବନାଞ୍ଚଳରେ ହାତୀ ଉପଦ୍ରବ; ଭାଙ୍ଗିଲେଣି ୨୪ଘର
ପାଟଣା: ପାଟଣା ବନାଞ୍ଚଳରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ହାତୀମାନେ ୨୪ଟି ଘର ଭାଙ୍ଗି ଥିବା ବେଳେ, କିଛି ଘରୁ ଧାନ ଚାଉଳ ମଧ୍ୟ ଖାଇଛନ୍ତି । ହାତୀ ଭୟରେ ରାତି ହେଲେ ଲୋକେ ବିଦ୍ୟାଳୟରେ ଆଶ୍ରୟ ନେଉଥିବା ଦେଖାଯାଇଛି । ଗତକାଲି ଏହି ହାତୀପଲଙ୍କ ଭୟରେ ମିରିଗିଖୋଜି ପଞ୍ଚାୟତ ଅସନବାହାଲି ଗ୍ରାମର ୧୨ଟି ପରିବାର ସନ୍ଧ୍ୟାରୁ ଆସି ବିଦ୍ୟାଳୟରେ ଆଶ୍ରୟ ନେବା ପରେ ସକାଳୁ ସେମାନେ ଘରକୁ ଫେରି ଆସିଥିଲେ । ହେଲେ ଘରକୁ ଫେରିବା ପରେ ୫ ଜଣଙ୍କ ଘର ହାତୀ ପଲ ଭାଙ୍ଗିବା ସହ ଗଚ୍ଛିତ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି ।
ଅସନବହାଳି ଗ୍ରାମର କାଳିଚରଣ ମହାନ୍ତ, ପର୍ଶୁରାମ ଭୂମିଜ, ମଥୁରା ଭୂମିଜ, ଯଦୁମଣି ଭୂମିଜ ଓ କାହୁଁ ଚରଣ ମହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ କଟାବେଡା ଗ୍ରାମର ବାବୁଲା ମୁଣ୍ଡା, ଓ ବୈଷ୍ଣବ ମହାନ୍ତଙ୍କ ଘର ଭାଙ୍ଗିଥିବା ଦେଖାଯାଇଛି । ରାତିରେ ହାତୀପଲ ତାଣ୍ଡବ କରିବା ପରେ ଆଜି ସକାଳୁ କପୁଣ୍ଡି ପଞ୍ଚାୟତ ଖଜୁରିଡିହା ଠାରେ ଡେରା ପକାଇଛନ୍ତି । ହାତୀପଲଙ୍କ ଉପଦ୍ରବ ଦେଖି ଆଖପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଯାବତ ଏହି ହାତୀପଲଙ୍କ ଦ୍ଵାରା ପାଖାପାଖି ୫୦ ଏକର ଧାନ ଫସଲ ସହ ୩୦ ଏକରରୁ ଊର୍ଦ୍ଧ୍ବ ବୋଇତିକଖାରୁ ଓ ମକା ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
Comments are closed.