ଲୁହା ଗେଟକୁ ବାଉଁଶ ଠେସ ଭରସା
ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଠାରେ ଥିବା ପ୍ରାଣୀ ଚିକିତ୍ସାଳୟରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲୁହା ଗେଟ୍ ଲଗାଯାଇଥିଲା । ହେଲେ ଗେଟଟି ନିର୍ମାଣ ହେବା ଦିନ ଠାରୁ ଅକାମୀ ହୋଇପଡିଛି । ଫଳରେ ଉକ୍ତ ଗେଟରେ ବାଉଁଶ ଠେସ ଦିଆଯାଇ ଥିବା ଦେଖିବାକୁ ମିଳୁଛି । ଏପରିକି ମୁଖ୍ୟ ଗେଟ ଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ କଂକ୍ରିଟ୍ ରାସ୍ତା ନିର୍ମାଣ ହେବା ପାଇଁ ୨ ଲକ୍ଷ ଟଙ୍କା ଆସିଥିବା ବେଳେ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଗତ ଏକମାସ ତଳେ ଘଟଣାସ୍ଥଳକୁ ଆସି ପରିଦର୍ଶନ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟ ହେବାରେ କାହିଁକି ବିଳମ୍ବ ହେଉଛି ସେ ସଂକ୍ରାନ୍ତରେ କେହି କିଛି ଜାଣିପାରୁନାହାନ୍ତି ।
୨୦୨୧-୨୨ଆର୍ଥିକ ବର୍ଷରେ ଉକ୍ତ ଗେଟ ନିର୍ମାଣ ହେବା ପାଇଁ ୫ମ ରାଜ୍ୟ ଅର୍ଥ କମିଶନ ମାଧ୍ୟମରେ ୨ ଲକ୍ଷ ଟଙ୍କା ଆସିଥିଲା । ଉକ୍ତ କାର୍ଯ୍ୟର କାର୍ଯ୍ୟାଦେଶ ବିଭାଗୀୟ କର୍ମଚାରୀଙ୍କ ନାମରେ ରହିଥିବା ବେଳେ ନିମ୍ନ ମାନର ଲୁହା ଗେଟ୍ ନିର୍ମାଣ କରାଯାଇ ଠିକ ଭାବରେ ଲଗାଯାଇ ନଥିବାରୁ ଗେଟଟି ଠିକ ଭାବରେ କାର୍ଯ୍ୟ କରୁନାହିଁ । ଅଧା ଖୋଲାହୋଇ ରହୁଛି । ଫଳରେ ଗାଈ ଗୋରୁ ଉକ୍ତ କାର୍ଯ୍ୟାଳୟରେ ପଶି ପରିବେଶକୁ ନଷ୍ଟ କରି ସେମାନଙ୍କର ଆଶ୍ରୟସ୍ଥଳରେ ପରିଣତ କରିଛନ୍ତି । ଏପରିକି ଅସାମାଜିକ ବ୍ୟକ୍ତିମାନେ ଏଠାରେ ମଦ, ଗଞ୍ଜେଇ ଏବଂ ଧଳାଜହର ଆଦି ସେବନ କରି ସେମାନଙ୍କର ଆଡ୍ଡା ସ୍ଥଳୀରେ ପରିଣତ କରିଛନ୍ତି ।
୧୯୯୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏଠାରୁ ନିର୍ବାଚିତ ହୋଇଥିଲେ । ପରେ ଏହି କାର୍ଯ୍ୟାଳୟଟି ପ୍ରଥମେ ସିକୋ କୁମ୍ଭରସାହିରେ ଏକ ବଖରା ଘରେ ଆରମ୍ଭ ହୋଇଥିଲା । ତାହାପରେ ପଞ୍ଚାୟତ ନିକଟରେ ଥିବା ଏବେ କୃଷି କାର୍ଯ୍ୟାଳୟ ହୋଇଥିବା ଗୃହରେ କିଛିଦିନ ଚାଲିବା ପରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେଵଙ୍କ ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଗୃହ ନିର୍ମାଣ କରାଯାଇ କାର୍ଯ୍ୟାଳୟଟି ଚାଲୁଅଛି । କିନ୍ତୁ କାର୍ଯ୍ୟାଳୟ ଥିବାବେଳେ ଏଠାରେ କର୍ମଚାରୀ ନାହାନ୍ତି । ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀଚିକିତ୍ସା ଅଧିକାରୀ ନିଜର ସୁବିଧା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତାରେ ଭୁବନେଶ୍ୱର ଡେପୁଟେସନ ଯାଇ ସେଠାରେ କାମ କରୁଛନ୍ତି ।
ଫଳରେ ଯେଉଁ ଉଦେଶ୍ୟ ନେଇ ଏଠାରେ ଏହି କାର୍ଯ୍ୟାଳୟଟି ଖୋଲିଥିଲା ତାହା ଚାଷୀ ମାନଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି । ଏଠାରେ ପ୍ରାଣୀ ଚିକିତ୍ସା ସେବା ବିପର୍ଯ୍ୟସ୍ଥ ହୋଇପଡି ଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ପାଲଟିଛି । ନିକଟରେ କାର୍ଯ୍ୟାଳୟ ଥିଲେ ମଧ୍ୟ ଚାଷୀ ମାନେ ସେମାନଙ୍କର ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଉପଯୁକ୍ତ ସେବା ଅଭାବରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ଅଭାବରୁ ବହୁ ପ୍ରାଣୀ ମୃତ୍ୟୁ ମୁଖରେ ମଧ୍ୟ ପଡୁଥିବାର ଦେଖିବାକୁ ମିଳୁଛି ।
Comments are closed.