www.samajalive.in
Monday, December 15, 2025
15.1 C
Bhubaneswar

ଖସୁଛି ସୁବର୍ଣ୍ଣରେଖା; ହେଲେ ସ୍ଥିତିରେ ଆସୁନି ସୁଧାର, ଏବେବି ପାଣି ଘେରରେ ହଜାର ହଜାର ଲୋକ

ବାଲେଶ୍ୱର: ଗତ ୨୨ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ୪୪୭ଟି ଗାଁରେ ସୁବର୍ଣ୍ଣରେଖା ନଦୀର ପାଣି ପଶିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ତେବେ ଗତକାଲି ଠାରୁ ନଦୀର ଜଳସ୍ରୋତ କମିବାରେ ଲାଗିଛି । ତଟଦେଶ ଅଞ୍ଚଳରୁ ପାଣି ଖସୁଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ତଥାପି ବାଲେଶ୍ୱର ଜିଲାର ୧୭୦ରୁ ଅଧିକ ଗାଁ ପାଣିଘେରରେ ରହିଥିବା ଜଣାଯାଇଛି । ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଏହି ଖବର ଲେଖା ହେବାକୁ ବେଳକୁ ନଦୀର ଜଳସ୍ତର ୯.୪୦ ମିଟର ରହିଥିଲା । ମହାବନ୍ୟାର ଆତଙ୍କ ଦୂର ହୋଇଥିଲେ ବି ନଦୀର ଜଳ ବିଭିନ୍ନ ଗାଁକୁ ମାଡ଼ିଯିବାରୁ ବିଶେଷ ଭାବେ ଧାନ, ପରିବା, କୁକୁଡା ଓ ମାଛ ଚାଷୀଙ୍କ ସମେତ ଗୋପାଳକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ବିପନ୍ନଙ୍କୁ ସହାୟତା ନେଇ ଜିଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବାବେଳେ କେଉଁଠି କେଉଁଠି ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ, ବିଷ୍ଣୁପୁର ପଞ୍ଚାୟତର ରସୁଲପୁର ଠାରେ ସୁବର୍ଣ୍ଣରେଖା ନଦୀ ତଟରେ ସୃଷ୍ଟି ହୋଇଥିବା ବଡ଼ ଘାଇ ପାଇଁ ପାଣିର ପ୍ରଖର ସୁଅ ଛୁଟୁଛି । ଏହି ପାଣି ଜାମକୁଣ୍ଡା ଅଞ୍ଚଳର ବଡ଼ ତାଳପଦା, ସାନ ତାଳପଦା, କୁହ୍ଲାଚଡ଼, ବିଷ୍ଣୁପୁର ପଞ୍ଚାୟତର ବିଷ୍ଣୁପୁର, ଇକଡପାଳ, ରସୁଲପୁର, ନୟାବାଲି ଆଡ଼କୁ ମାଡ଼ିଚାଲିଥିବାରୁ ଏହି ୭ ଗାଁ ପାଣିଘେରରେ ରହିଛି । ଘାଇ ମରାମତି ନ ହେବା ଯାଏ ଏହି ଗାଁ ସବୁ ପାଣିଘେରରେ ରହିବା ନିଶ୍ଚିତ । ଫଳରେ ଲୋକେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇରହିବେ । ସେହିପରି ବାଲିଆପାଳ ବ୍ଲକର ପାଳ ଚମ୍ପେଇ, ରାଉତୁରାପୁର, ଚୌଧୁରୀକୁଦ, ସୂର୍ଯ୍ୟାପୁର ଆଦି ୩୦ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ପାଣିଘେରରେ ରହିଛି। ବିଷ୍ଣୁପୁରରୁ ପନ୍ତେଇ ଘାଟ ଯାଏ ରାସ୍ତା ପାଣିରେ ବୁଡ଼ି ରହିଥିବାରୁ ଏଥିରେ ଯାତାୟାତ ବନ୍ଦ ରହିଛି। ସେହିପରି ଆଜି ମଧ୍ୟ ଜଳେଶ୍ୱର ବ୍ଲକର ୪୦ ଗାଁ ପାଣିଘେରରେ ରହିଥିଲା। ବ୍ଲକର ବାଇଗଣବାଡ଼ିଆ, ପଶ୍ଚିମବାର୍ଡ, ଖାଲିନା, ଝାଡପିପଳ, ରାୟା ରାମଚନ୍ଦ୍ରପୁର, ଗଡ଼ସାହି ବାଲିଆପାଳ, ପାଇକସିଦା ପଞ୍ଚାୟତର ଗାଁ ପାଣିଘେରରେ ରହିଥିବାବେଳେ ୧୬ଟି ଗାଁରେ ସଙ୍ଗୀନ ପରିସ୍ଥିତି ରହିଥିବା ଜଣାଯାଇଛି। ଜଳେଶ୍ୱର-ପଶ୍ଚିମବାର୍ଡ ରାସ୍ତାରେ ଯାତାୟାତ ବନ୍ଦ ରହିଛି। ସେହିପରି ଆଜି ମଧ୍ୟ ଭୋଗରାଇ ବ୍ଲକର ପ୍ରାୟ ଶହେ ଗାଁ ପାଣିଘେରରେ ରହିଥିଲା। ଦହମୁଣ୍ଡା-ଭୋଗରାଇ ଓ ଭୁଷଣ୍ଡେଶ୍ୱର ଭୁଆବନ୍ଧ ରାସ୍ତାରେ ପାଣିର ସୁଅ ଛୁଟୁଥିବାରୁ ଯାତାୟାତ ବନ୍ଦ ରହିଛି।

- Advertisement -

ପରିବା ଚାଷ ପାଇଁ ଉତ୍ତର ବାଲେଶ୍ୱର ପ୍ରସିଦ୍ଧ। ଜଳେଶ୍ୱର, ବସ୍ତା, ବାଲିଆପାଳ ଅଞ୍ଚଳରୁ ପଶ୍ଚିମ ବଙ୍ଗ ସମେତ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନକୁ ପରିବା ରତ୍ପାନୀ ହୋଇଥାଏ। ପଶ୍ଚିମ ବଙ୍ଗର ବହୁ ବ୍ୟବସାୟୀ ବସ୍ତା ବ୍ଲକର ଭେଲୋରା, ବେଣାପୁର; ଜଳେଶ୍ୱର ବ୍ଲକର କୁଅଁରପୁର, ପଶ୍ଚିମବାର୍ଡ, ଗୋକୁଣ୍ଡି, ନାମ୍ପୋ ଆଦି ହାଟକୁ ଆସି ପରିବା ନେଇଥାନ୍ତି। ତେବେ ବନ୍ୟାରେ ବାଇଗଣ, କାକୁଡି, ଲଙ୍କା, ଶାଗ, ଜହ୍ନି ଆଦିର ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି। ପାଣି ଛାଡ଼ିଲେ ବି ଜଳମଗ୍ନ ହୋଇ ରହିବାରୁ ପରିବା ଗଛ ନଷ୍ଟ ହେବା ନିଶ୍ଚିତ। ଫଳରେ ଅଞ୍ଚଳରେ ପରିବା ଦର ଆକାଶଛୁଆଁ ହେବାକୁ ଥିବାବେଳେ ଚାଷୀ ଓ ବ୍ୟବସାୟୀ ବେଶ କ୍ଷତି ସହିବେ। କେବଳ ଜଳେଶ୍ୱର ବ୍ଲକର ବିଭିନ୍ନ ଗାଁରେ ୧ ହଜାର ହେକଟର ବା ଅଢ଼େଇ ହଜାର ଏକର ଜମିରେ ପରିବା ଚାଷ ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ବିଳମ୍ବ ବର୍ଷା ପାଇଁ ଅଳ୍ପ ଦିନ ତଳେ ବିଲରେ ରୁଆଯାଇଥିବା ଧାନ ତଳି ପାଣିରେ ବୁଡ଼ି ରହିବାରୁ ଏହା ପଚିଯିବାର ଆଶଙ୍କା ରହିଛି। ଚାଷୀ ହଳ, ମଜୁରି, ବିହନ, ସାର ବାବଦ ୧ ଏକର ପିଛା ୧୨ରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ପୁଣି ଖର୍ଚ୍ଚାନ୍ତ ହୋଇ ଚାଷ କରିବା କଷ୍ଟକର ହେବ। ଖରିଫ ଚାଷର ସମୟ ସରିଯିବାକୁ ବସିଥିବାବେଳେ ଚାଷୀ ଚିନ୍ତାରେ ଅଛନ୍ତି। ବନ୍ୟା ପାଇଁ ମଧ୍ୟ ବିଭିନ୍ନ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଯିବ। ବିପନ୍ନ ୪୪୭ଟି ଯାକ ଗାଁରେ ଥିବା ଅଧିକାଂଶ ସରକାରୀ ଓ ବ୍ୟକ୍ତିଗତ ନଳକୂପରେ ବନ୍ୟା ପାଣି ପଶିଥିବାରୁ ଏସବୁର ତୁରନ୍ତ ମରାମତି ଓ ବିଶୋଧନ ଆବଶ୍ୟକ।

ବାଲିଆପାଳ ବ୍ଲକର ୧୧୫, ବସ୍ତା ବ୍ଲକର ୧୫, ଭୋଗରାଇ ବ୍ଲକର ୧୫୦, ଜଳେଶ୍ୱର ବ୍ଲକର ୧୪୯ ଗାଁରେ ନଦୀର ବନ୍ୟାଜଳ ପଶିଥିବାବେଳେ ଅଧିକାଂଶ ଗାଁର ସରକାରୀ ପୋଖରୀ ଓ ବ୍ୟକ୍ତିଗତ ପୋଖରୀରେ ମାଛ ଚାଷ କରିଥିବା ଚାଷୀ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ନଦୀ ତଟ ଓ ମୁହାଣ ଅଞ୍ଚଳରେ ହଜାର ହଜାର ଚାଷୀ ଚିଙ୍ଗୁଡି ଘେରି କରିଥିବାବେଳେ ବନ୍ୟା ପାଇଁ ସେମାନଙ୍କର ବିଶେଷ କ୍ଷତି ହୋଇଛି। କେବଳ ଭୋଗରାଇ ବ୍ଲକର ୩ ହଜାରରୁ ଅଧିକ ଚିଙ୍ଗୁଡି ଘେରି ବନ୍ୟାଜଳରେ ବୁଡ଼ିଯାଇଥିବା ଜଣାଯାଇଛି। ସେହିପରି ବନ୍ୟା ପ୍ରଭାବିତ ପ୍ରାୟ ସବୁ ଅଞ୍ଚଳରେ ଖାଦ୍ୟ ବିନା ଗୃହପାଳିତ ପଶୁ ତିନି ଦିନ ହେଲା ଉପାସରେ ରହିଛନ୍ତି। କେବଳ ଜଳେଶ୍ୱର ବ୍ଲକର ବିପନ୍ନ ଅଞ୍ଚଳରେ ୪୦ ହଜାରରୁ ଅଧିକ ଗୋରୁଗାଈ ଉପାସରେ ରହିଥିବା ଜଣାଯାଇଛି। ପାଣିରେ କୁଟା ଗଦା ନଷ୍ଟ ହୋଇଥିବାବେଳେ ବାହାରୁ ଗୋ ଖାଦ୍ୟ ଆଣିବା ସମ୍ଭବ ହେଉନି। ସେହିପରି ଏତେ ଶୀଘ୍ର ଦୋକାନ ବଜାର ଖୋଲି କାରବାର ହେବାର ସମ୍ଭାବନା ନାହିଁ। ତେଣୁ କ୍ଷୀର, ଛେନା ଆଦି ବିକି ନ ପାରି ଗୋପାଳକଙ୍କ ହାତ ବନ୍ଦ ରହିବ। ପ୍ରଶାସନ ତୁରନ୍ତ ଗୋ ଖାଦ୍ୟ ଯୋଗାଣ କରିବା ଆବଶ୍ୟକ। ତେବେ ବନ୍ୟା ପରିପ୍ରେକ୍ଷୀରେ ପ୍ରଶାସନ ସବୁ ପ୍ରକାର ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories