www.samajalive.in
Monday, December 15, 2025
17.1 C
Bhubaneswar

ବଢ଼ି ଆଁରେ ମୂଳପୋଛ ଧାନ ଓ ପନିପରିବା

ତିଗିରିଆ :  ବେଉଷଣ ସରିବାର ଦିନ କେଇଟାରେ ବଢ଼ି ମାଡ଼ି ଆସିଲା। ପୋଛି ନେଇଛି ମହାନଦୀ କୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକର ସବୁ ଫସଲ । ୮ଦିନ ତଳେ କଅଁଳ ଛନଛନ ସବୁଜିମାରେ ହସୁଥିବା ବିସ୍ତୀର୍ଣ୍ଣ କୃଷିକ୍ଷେତ୍ର ଏବେ ଲକ୍ଷ୍ମୀଛଡ଼ା ହୋଇପଡ଼ିଛି । ଗତ ତିନିମାସ ଧରି ଫସଲ ଡେରିବାରେ ମାଟି ସହ ମାଟି ହୋଇ ଅଜସ୍ର ଶ୍ରମ ଓ ପୁଞ୍ଜି ବିନିଯୋଗ କରିଥିବା ଚାଷୀ ଏବେ ନିଜ କ୍ଷେତକୁ ଚାହିଁବାର ଧର୍ଯ୍ୟ ହରାଇଛି । ଯୁଆଡ଼େ ଦେଖିବ ପଚାସଢ଼ା ଧାନ ଓ ପନିପରିବା କ୍ଷେତ ପଙ୍କ କାଦୁଅରେ ମିଶିଯାଇଛି । ଏଥର ବଢ଼ି ମୁହଁରେ ଚାଲିଗଲା ଚାଷୀର ସବୁ ଫସଲ ।
ବର୍ଷକର ଆହାର ଚିନ୍ତାରେ ଏବେ ଚାଷୀ । ଅଗଷ୍ଟ ସରନ୍ତିକୁ ହାତରେ ଆଉ ସମୟ ନାହିଁ । ଏଭଳି ସ୍ଥିତି ତିଗିରିଆ ବ୍ଲକର ମହାନଦୀ ଅବବାହିକାର ୪ଟି ପଞ୍ଚାୟତରେ ଦେଖିବାକୁ ମିଳିଛି । ମହାନଦୀର ଜଳସ୍ତର ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ଏବେବି ବନ୍ୟା ପ୍ରଭାବିତ ଅଞ୍ଚଳର ପାଖାପାଖି ୭୦% ଜମିରେ ବନ୍ୟାଜଳ ଭରି ରହିଛି । ବନ୍ୟାଜଳ ଛାଡ଼ିଯାଇଥିବା ଜମିର ସ୍ଥିତି ଏଭଳି ହୋଇଥିବା ବେଳେ ଜଳଭରି ରହିଥିବା କ୍ଷେତର ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ। ବ୍ଲକରେ ମହାନଦୀ ବନ୍ୟାରେ ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ପୁରୁଣା ତିଗିରିଆ, ସୋମପଡ଼ା, ବିନ୍ଧାଣିମା, ଜେମାଦେଇପୁର, ଭୋଗଡ଼ା, ବାଲିପୁଟ ପଞ୍ଚାୟତ ସମେତ ସାପୁଆ ନଦୀ ବନ୍ୟାରେ ଭିରୁଡ଼ା ପଞ୍ଚାୟତର ସମୁଦାୟ ୨୦୪୮ ହେକ୍ଟର ଜମିରେ ଧାନ ଓ ପନିପରିବା ଫସଲ ବୁଡ଼ି ରହିଥିବା ତିଗିରିଆ କୃଷି ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି । ପର୍ଯ୍ୟାୟକ୍ରମେ ବନ୍ୟା ପଞ୍ଚାୟତ ଗୁଡ଼ିକୁ ତଳି ଅଞ୍ଚଳରୁ ଗ୍ରାସ କରିଚାଲିଥିଲା । ବନ୍ୟା ଫେରିବା ବେଳକୁ କ୍ରମାନ୍ୱୟରେ କ୍ଷତିର ପରିମାଣକୁ ମଧ୍ୟ ବଢ଼ାଇ ଚାଲିଛି । ଚଳିତ ଥର ବେଉଷଣର ସ୍ୱଳ୍ପ ଦିନ ମଧ୍ୟରେ ବଢ଼ି ଆସିଥିବାରୁ ଧାନଗଛ ମୂଳ ଟାଣ ହେବା ପୂର୍ବରୁ ବଢ଼ି ପାଣିରେ ବୁଡ଼ିଯିବାଯୋଗୁଁ ଏଭଳି କ୍ଷୟକ୍ଷତି ଘଟିଲା ବୋଲି ଚାଷୀମାନେ କହିଛନ୍ତି।
ମହାନଦୀ କୂଳ ବଡ଼ନାଉପୁଟ, ହାଟମାଳ ଏବଂ ଗଦାଧରପୁର ସହିତ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମର ପନିପରିବା କ୍ଷେତ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଛି। ଏହିସବୁ ଅଞ୍ଚଳରେ ଏବେ ପ୍ରଚୁର ପରିମାଣରେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, ପୋଟଳ, କଲରା, କଖାରୁ, ବାଇଗଣ, ଲଙ୍କା ଆଦି ଚାଷ କରାଯାଇଥିଲା। ଏହାର ପ୍ରଭାବ ନିପଟ ଗ୍ରାମାଞ୍ଚଳର ଚାଷୀ ପରିବାରକୁ ଭୀଷଣ ପ୍ରଭାବିତ କରିଛି । ଏବେ ପରିବା କଷିଟେ ଦେଖିବାକୁ ମିଳୁନି । ଚାଷୀ ବାଦ୍ ଅନ୍ୟାନ୍ୟ ବର୍ଗର ଖାଉଟିଙ୍କୁ ବନ୍ୟାର ଶକ୍ତ ପାହାର ପଡ଼ିଛି । ହାଟ ବଜାରରେ ପନିପରିବା ମିଳୁନି। କାଁଭା ଯାହା କିଛି ମିଳୁଛି ତାହାର ଦାମ ଆକାଶ ଛୁଆ। ପୋଟଳ କିଲୋ ୭୦ଟଙ୍କା, ଭେଣ୍ଡି ୫୦ଟଙ୍କା, ଝୁଡ଼ଙ୍ଗ ୫୦, ବାଇଗଣ ୭୦ଟଙ୍କା, କଲରା ୭୦, ଲଙ୍କା ୬୦ଟଙ୍କା ଏସବୁ ସାଙ୍ଗକୁ ଆଳୁ, ପିଆଜ, ଅଦା, ରସୁଣ ଅଞ୍ଚଳର ଏବେକାର ଉତ୍ପାଦିତ ଖାଦ୍ୟ ସାମଗ୍ରୀ ହୋଇନଥିଲେ ମଧ୍ୟ ସେଗୁଡ଼ିକର ଦର ମଧ୍ୟ ସାମାନ୍ୟ ଉଚ୍ଚ ରହିଥିବା ଜଣାପଡ଼ିଛି । ବନ୍ୟା ପରିସ୍ଥିତି ପରେ ପରେ ଦରଦାମରେ ଗରିବ ଚାଷୀଙ୍କ ପରିବାର ପୋଷଣ ନିଶ୍ଚିତ ଭାବରେ କଷ୍ଟଦାୟକ ହୋଇପଡ଼ିଛି ।

ତିଗିରିଆ ଅଞ୍ଚଳରେ ରବିବାର ଠାରୁ ପୁଣି ଥରେ  ପ୍ରବଳ ବର୍ଷା ଆରମ୍ଭ ହୋଇଛି । ବନ୍ୟାରେ ନଦୀକୂଳର ପନିପରିବା ଉଜୁଡ଼ିଯାଇଥିବା ବେଳେ ପାହାଡ଼ତଳି ଅଞ୍ଚଳ ବାଲିପୁଟ, ଅଚଳକୋଟ ଏବଂ ଭିରୁଡ଼ା ଆଦି ପଞ୍ଚାୟତରେ ବ୍ୟାପକ ପନିପରିବା ନଷ୍ଟ ହେବା ସହିତ ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା ଅଞ୍ଚଳରେ ଆଗକୁ ପନିପରିବାର ଘୋର ସଂକଟ ଦେଖାଦେବା ଅନୁମାନ କରାଯାଉଛି । କେବଳ ତିଗିରିଆ ନୁହେଁ ଆଠଗଡ଼ ଓ ବାଙ୍କୀ ଉପଖଣ୍ଡରେ ମହାନଦୀ ଅବବାହିକାରେ ପ୍ରଚୁର ପରିମାଣର ବିଭିନ୍ନ ପନିପରିବା ଉତ୍ପାଦନ ହେଉଥାଏ। ଏଣୁ ଏହି ଦୁଇ ଉପଖଣ୍ଡରେ ବନ୍ୟାଦ୍ୱାରା ସେସବୁ ଉଜୁଡ଼ିଯାଇଥିବାରୁ ଏହାର ପ୍ରଭାବ ସ୍ଥାନୀୟ ଗ୍ରାମାଞ୍ଚଳ ସହିତ ନିର୍ଭରଶୀଳ ନିକଟସ୍ଥ କଟକ, ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ପନିପରିବା ସଙ୍କଟ ଦେଖାଦେବ। ଆଉ ଯେଉଁ କେତେକ ଢ଼ିପ କିସମ ଜମିରେ ପରିବା ଉତ୍ପାଦନ ହେବ ତାହା ଚଢ଼ା ଦରରେ ଖାଉଟିଙ୍କ ନିକଟରେ ଉପଲବ୍ଧ ହେବ । ସାମ୍ପ୍ରତିକ ପାଣିପାଗରେ ପରିବର୍ତ୍ତନ ଆସିଲେ ଚାଷୀ ପରିବା ଚାଷ କରି ଧାନରେ ହୋଇଥିବା କ୍ଷତିକୁ ଭରଣା କରିବାକୁ ଉଦ୍ୟମ କରିବା ସହିତ ଖାଉଟି ଉପକୃତ ହେବା ଏକମାତ୍ର ଆଶା ଓ ଭରସା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories