www.samajalive.in
Sunday, December 14, 2025
19.1 C
Bhubaneswar

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି ; ଜଣେ ମୃତ, ୮ ଗୁରୁତର

ଲାଞ୍ଜିଗଡ଼: ସପ୍ତାହେ ହେଲା ଦୁଇଟି ଗାଁରେ ଦଶରୁ ଅଧିକ ଲୋକେ ଝାଡ଼ାବାନ୍ତି ରୋଗର ଶିକାର ହୋଇଥିବା ବେଳେ ଏଥିଯୋଗୁଁ ଜଣକର ମ୍ରୁତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଆଠଜଣ ରୋଗୀ ଗୁରୁତର ଥିବା ଜଣାପଡ଼ିଛି । ଲଗାଣ ବର୍ଷା ଏବଂ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ । ଆଶା ଓ ମହିଳା ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଉଦ୍ୟମ କରୁଥିଲେ ହେଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଲଗାଣ ବର୍ଷା ପରେ ପରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ବାଲାପଦର ଓ ସେମେଲପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ଫଳରେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢ଼ିଯାଇଛି । ଏଥିରେ ବାଲାପଦର ଗାଁର ନିରନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁର ଚମ୍ପା ମାଝୀ ଓ ବିସ୍କୁଟି ମାଝୀ ଗୁରୁତର ହୋଇଛନ୍ତି । ସେହିପରି ସେମେଲପଦର ଗାଁର ବେଣୁଧର ଗଉଡ଼, ବିପ୍ର ମାଝୀ, ଢୁଷା ମାଝୀ, ନେତ୍ରା ମାଝୀ, ସାଏବନୀ ମାଝୀ ଆକ୍ରାନ୍ତ ହୋଇଥିବାବେଳେ ସୁକାନ୍ତି ମାଝୀଙ୍କ ଅବସ୍ଥା ଗୁରୁତର ହୋଇଛି । ସେମେଲପଦର ଗାଁକୁ ରାସ୍ତା ନଥିବାବେଳେ ବାଟରେ ପଡ଼ୁଥିବା ନାଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଲୋକେ ଡାକ୍ତରଖାନା ମଧ୍ୟ ଯାଇପାରୁନାହାନ୍ତି ।

ଗତକାଲି ରବିବାର ସେମେଲପଦର ଗାଁର ବେଣୁଧର ଗଉଡ଼ଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡକାଯିବାବେଳେ ଗାଁକୁ ଆମ୍ବୁଲାନ୍ସ ଯାଇପାରିନଥିଲା । ସେହିପରି ଗାଁରେ ବୃଦ୍ଧ ବୃଦ୍ଧାଙ୍କୁ ଛାଡ଼ିଦେଲେ ଆଉ କେହି ନଥିବାରୁ ଗୁରୁତର ବେଣୁଙ୍କୁ ନାଳ ପାରି କରି ଆମ୍ବୁଲାନ୍ସ ଯାଏଁ ନେବା କୌଣସି ସୁବିଧା ହୋଇପାରିନଥିଲା । ଏହି ସମୟରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଗୁରୁତର ବେଣୁଙ୍କୁ ଆମ୍ବୁଲାନ୍ସ ଯାଏଁ ନେବାକୁ ଅଣ୍ଟା ଭିଡ଼ି ଆଗେଇ ଆସିଥିଲେ । ତାଙ୍କ ସହିତ ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ, ସ୍ବେଚ୍ଛାସେବୀ ଅଜିତ ପ୍ରଧାନ, ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଟୁନା ବିଭାର, ୧୦୮ କର୍ମଚାରୀ ସୁଦର୍ଶନ ବିଭାର, ନୀଳ ରାଉତ ପ୍ରମୁଖ ମିଶି ଏକ ଖଟିଆରେ ବୋହି ନାଳ ପାରି କରିବା ପରେ ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ବୋହି ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ବେଣୁକୁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି । ଏହି ସମୟରେ ମହିଳା ସ୍ବାସ୍ଥ୍ୟ କର୍ମୀ ଦୀପ୍ତିରାଣୀ ସ୍ବାଇଁ, ପୁରୁଷ ସ୍ବାସ୍ଥ୍ୟକର୍ମୀ କିଶୋର ମାଝୀ, ଆଶା କର୍ମୀ ପ୍ରେମଶିଳା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, କର୍ଣ୍ଣ ହରିଜନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହିପରି ମୃତକ ନିରନ ମାଝୀଙ୍କ ପରିବାର ବର୍ଗଙ୍କୁ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories