ଆଣିଲା ବିପର୍ଯ୍ୟୟ
ଆକଳନ ବାହାରେ ସୁବର୍ଣ୍ଣରେଖା ବନ୍ୟା
ଝାଡ଼ଖଣ୍ଡ ଉପରେ ଦୋଷ ଝାଡ଼ିଲେ, ବାଲେଶ୍ବର ଜିଲାପାଳଙ୍କୁ ଏସ୍ଆର୍ସି କ୍ଷମତା, ୨୩ରୁ ଦୁଇଦିନ ବର୍ଷା, ବିଗାଡ଼ିବ ସ୍ଥିତି
ଭୁବନେଶ୍ୱର : ଚଳିତବର୍ଷର ପ୍ରଥମ ଲଘୁଚାପ ବର୍ଷା ମହାନଦୀ ଅବବାହିକାର ୧୧ ଜିଲାରେ ବିପର୍ଯ୍ୟୟ ସୃଷ୍ଟି କଲା। ସପ୍ତାହରୁ ଅଧିକ ସମୟ ବିତିଥିଲେ ବି ସରକାରୀ ତଥ୍ୟ କହୁଛି, ଏବେ ବି ୭୬୮ଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ। ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏଣେ ଦୁଇଦିନ ହେଲା ବ୍ରାହ୍ମଣୀ, ବୈତରଣୀ, ଜଳକା, ସାଳନ୍ଦୀ ଓ ସୁବର୍ଣ୍ଣରେଖା ଉତ୍ତର ଓଡ଼ିଶାରେ ସୃଷ୍ଟି କରିଛି ଭୟଙ୍କର ସ୍ଥିତି। ବିଶେଷକରି ସୁବର୍ଣ୍ଣରେଖା ଆଣିଛି ବଡ଼ ବିପତ୍ତି। ପ୍ରଥମ ପର୍ଯ୍ୟାୟରେ ମହାନଦୀରେ ପ୍ରବଳ ପାଣି ଆସି ସମ୍ବଲପୁର, ବୌଦ୍ଦ, ସୋନପୁର, ନୟାଗଡ଼, ଅନୁଗୋଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଦି ୧୧ଟି ଜିଲାରେ ବଡ଼ ବନ୍ୟା ସୃଷ୍ଟି କରିଥିଲା। ଏବେ ତୃତୀୟ ଲଘୁଚାପଜନିତ ଅତିପ୍ରବଳ ବର୍ଷା ମୟୂରଭଞ୍ଜ ସମେତ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ତେବେ ୨୦୦୮ ପରେ ସୁବର୍ଣ୍ଣରେଖାରେ ଯେଉଁ ବନ୍ୟା ଆସିଥିଲା ଏଥର ତା’ଠାରୁ ଅଧିକ ପ୍ରଭାବ ପଡିବ ବୋଲି ସରକାର ସତର୍କ କରାଇଛନ୍ତି। ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ବନ୍ୟା ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବାଲେଶ୍ବରରେ ସୁବର୍ଣ୍ଣରେଖା ଭୟଙ୍କର ସ୍ଥିତି ସୃଷ୍ଟି କରିଥିବାବେଳେ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ। ସୋମବାର ମଧ୍ୟାହ୍ଣରେ ରାଜଘାଟରେ ଏହାର ଜଳସ୍ତର ଶୀର୍ଷ ଛୁଇଁବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ.ବିଜୟ କୁମାର ମିଶ୍ରଙ୍କ ସତର୍କ ସୂଚନା ଉତ୍ତର ଓଡ଼ିଶାବାସୀଙ୍କୁ ଛାନିଆଁ କରିଛି। ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ସ୍ତର ୧୦.୩୬ମିଟର ଥିବାବେଳେ ବନ୍ୟାଜଳ ୧୧.୦୩ ମିଟର ଅତିକ୍ରମ କରିଛି। ସେହିପରି ବୈତରଣୀର ବିପଦ ସଙ୍କେତ ସ୍ତର ୧୭.୮୩ ଥିବାବେଳେ ଏବେ ଏହା ୧୮.୯୯ ମିଟର ଉପରେ ପ୍ରବାହିତ ହେଉଛି। ଅନୁରୂପ ଭାବେ ଜଳକାର ବିପଦ ସ୍ତର ୭.୨୧ ମିଟର ଥିବାବେଳେ ଏହା ୭.୩୬ ଉପରେ ରହିଛି। ସେହିପରି ସାଳନ୍ଦୀ ମଧ୍ୟ ଭଦ୍ରକ ପାଇଁ ବିପଦ ବଢ଼ାଇଛି।
ଏହା ଭିତରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ୨୩ରୁ ୨୫ ପର୍ଯ୍ୟନ୍ତ ପୁଣି ଉତ୍ତର ଓଡ଼ିଶାର ତିନିଟି ଜିଲାରେ ପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡାର କିଛି ସ୍ଥାନରେ ବଜ୍ରପାତକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏଣେ ଓଡ଼ିଶାର ପୀଡା ବଢାଉଛି ପଡ଼ିଶା। ସ୍ବତନ୍ତ୍ର ରିଲିଫ ଆୟୁକ୍ତ କେତେବେଳେ ଛତିଶଗଡ଼ ଅଧିକ ପାଣି ଛାଡ଼ିବା ଯୋଗୁଁ ମହାନଦୀରେ ସ୍ଥିତି ବିଗିଡ଼ିଲା ବୋଲି ଦୋଷାରୋପ କରୁଥିବାବେଳେ, ଆଉ କେତେବେଳେ ଝାଡ଼ଖଣ୍ଡର ଗାଲୁଡିହ ଫାଟକ ଉପରେ ଦୋଷ ଝାଡୁଛନ୍ତି। ମାତ୍ର ବାସ୍ତବରେ ବନ୍ୟା ସ୍ଥିତି ଓ ମୌସୁମୀ କାଳରେ ନଦୀଜଳ ପରିଚାଳନାକୁ ସରକାର କିଭଳି ଆକଳନ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଖୋଦ୍ ହୀରାକୁଦ ବନ୍ଧ ଯନ୍ତ୍ରୀ ପରିଚାଳନାଗତ ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇବା ଏଭଳି ସନ୍ଦେହକୁ ଅଧିକ ଦୃଢୀଭୂତ କରିଛି।
ଏଭଳି ସ୍ଥିତିରେ ଆଜି ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଝାଡ଼ଖଣ୍ଡର ଗାଲୁଡିହ ଜଳଭଣ୍ଡାରର ସମସ୍ତ ୧୮ଟି ଫାଟକ ଖୋଲାଯାଇଛି। ଏଥିଯୋଗୁଁ ସୁବର୍ଣ୍ଣରେଖା ନଦୀରେ ରବିବାର ସନ୍ଧ୍ୟାରୁ ଜଳସ୍ତର ବୃଦ୍ଧି ପାଇଛି। ଆସନ୍ତାକାଲି ମଧ୍ୟାହ୍ଣ ପର୍ଯ୍ୟନ୍ତ ଏହା ସର୍ବାଧିକ ବଢିବ ବୋଲି କୁହାଯାଉଛି। ସେଥିଯୋଗୁଁ ବଡ଼ ଧରଣର ବନ୍ୟା ହେବା ନେଇ ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ପ୍ରଦୀପ ଜେନା କହିଛନ୍ତି। ଏହାଫଳରେ ବାଲେଶ୍ବର ଜିଲାର ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ପ୍ରବଳ ବନ୍ୟାଜଳ ପ୍ରବେଶ କରିଛି। ମୁକାବିଲା ଲାଗି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ୪୦ଟି ଟିମ୍ ଏବଂ ୧୧ଟି ଡାକ୍ତରୀଦଳ ମୁତୟନ କରାଯାଉଛି।
ପରିସ୍ଥିତିକୁ ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଘନ ଘନ ବୈଠକ ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବନ୍ୟା ନିୟନ୍ତ୍ରଣ ଲାଗି ଶିଳ୍ପମନ୍ତ୍ରୀ ପ୍ରତାପକେଶରୀ ଦେବଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହିତ ବାଲେଶ୍ବର ଜିଲାପାଳ ଦତ୍ତତ୍ରୟା ଭାଉସାହେବ ସିନ୍ଦେଙ୍କୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ଭାବେ କ୍ଷମତା ପ୍ରଦାନ କରାଯାଇଛି। ଶ୍ରୀ ସିନ୍ଦେ ବନ୍ୟା ମୁକାବିଲା ଲାଗି ଯେକୌଣସି ପଦକ୍ଷେପ ଗ୍ରହଣ କରିପାରିବେ। ଜରୁରୀ ଆବଶ୍ୟକସ୍ଥଳେ ହେଲିକପ୍ଟର ବ୍ୟବହାର କରିପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ନଦୀବନ୍ଧ ଦାୟିତ୍ବରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ସତର୍କ ରହି ନିୟମିତ ତଦାରଖ କରିବାକୁ ନିର୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ନଦୀ ଗୁଡିକରେ ବିଭିନ୍ନ ସମୟରେ ଜଳସ୍ତର ଓ ଜଳପ୍ରବାହ ସଂପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ପରାମର୍ଶ ଦେଇଛନ୍ତି। ବୈଠକରେ ବିଭାଗୀୟ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଝାଡ଼ଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି। ବୈତରଣୀ ନଦୀରେ ଆଖୁଆପଦାଠାରେ ଓ ସୁବର୍ଣ୍ଣରେଖା ଜାମଶୋଳାଘାଟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜାମଶୋଳାଠାରେ ଜଳସ୍ତର ୫୩.୩୪ ମିଟର ଉଚ୍ଚରେ ରହିଛି, ଏହା କ୍ରମଶଃ ବୃଦ୍ଧି ପାଉଛି। କାଣୀ ନଦୀରେ ହୋଇଥିବା ଘାଇ ମରାମତି ହୋଇ ପାରିନି। ପୁଣି ବନ୍ୟା ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ ହୋଇଛି। ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକ ଜିଲାର ତଳିଆ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି। ସେହିଭଳି ବ୍ରାହ୍ମଣୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୮ହଜାର ୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୧୭୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୩ ଲକ୍ଷ ୬୫ ହଜାର କ୍ୟୁସେକ୍ ଜଳ, ବଡମୂଳଠାରେ ୫ ଲକ୍ଷ ୭୬ ହଜାର କ୍ୟୁସେକ୍ ଓ ମୁଣ୍ଡଳିଠାରେ ୮ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ ହ୍ରାସ ପାଉଛି ବୋଲି ଶ୍ରୀ ଜେନା କହିଛନ୍ତି। କୋଣାର୍କର ଧନୁଆ ନଦୀରେ ୩୦ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଏବେ ବି ନିମାପଡ଼ା, ଗୋପ, କଣାସ ଆଦି ବ୍ଲକର ଶହଶହ ଗାଁ ଜଳବନ୍ଦୀ ରହିଛି।
ଅନ୍ୟପଟେ ଗଭୀର ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡ଼ାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ସୁନ୍ଦରଗଡ଼ର ବଣାଇଁଗଡ଼ରେ ସର୍ବାଧିକ ୧୪୦ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅମ୍ବାଡୋଳା ୧୦୨ମିମି, ଦେବଗଡ ୯୬ମିମି, ବରଗଁା ୯୦ ମିମି, କେ.ନୂଆଗାଁ ୮୧.୨ ମିମି, ଲହୁଣିପଡ଼ା ୮୧.୧ ମିମି, ଯମନକିରା ୭୭.୨ ମିମି, ଟିକାବାଲି ୭୬ ମିମି, ଫିରିଙ୍ଗିଆ ୭୪ ମିମି, ବାଲିଶଙ୍କରା ୭୦ ମିମି, କୁତ୍ରା ୬୯ ମିମି, ରାଜଗାଙ୍ଗପୁର ୬୫ ମିମି ଏବଂ କଣ୍ଟାମାଳରେ ୬୫ ମିମି ବର୍ଷା ହୋଇଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୮କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ବବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଅବପାତ। ଏହା ଆଗାମୀ ୨୪ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପନେବ। ବନ୍ୟାରେ ବାଲେଶ୍ବର ପ୍ରଭାବିତ ହୋଇଥିବା ବେଳେ ରବିବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ମଧ୍ୟରେ ଏଠାରେ ସର୍ବାଧିକ ୨୯.୨ମିମି ବର୍ଷା ହେବା ଦ୍ବାରା ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢିବାରେ ଲାଗିଛି। ହୀରାକୁଦ ୨୨ମିମି, ସୁବର୍ଣ୍ଣପୁର ୧୦.୮ ମିମି, ସମ୍ବଲପୁର ୧୨.୨ ମିମି, ଅନୁଗୋଳ ୯ ମିମି ଏବଂ ନୟାଗଡ଼ ୮ ମିମି ବର୍ଷା ରେକର୍ଡ ହୋଇଛି। ଅପରପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ହେଉଥିବାରୁ ଦିନ ତାପମାତ୍ରା ବଢୁଛି।
Comments are closed.