କନ୍ଧମାଳ ଲଗାଣ ବର୍ଷା: ମାଟିରେ ମିଶିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ଅନେକ ଝାଟିମାଟି ଘର ଭାଙ୍ଗିରୁଜି ଯାଇଛି। କେଉଁଠି ଅଧା ଭଙ୍ଗା ତ କେଉଁଠି ମାଟିଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏଭଳି ଘଟଣା ଘଟିଛି ଆର.ନୂଆଁଗାଁ ସ୍ଥିତ ପ୍ରଧାନ ସାହିରେ। ଜ୍ଞାନବନ୍ତ ପ୍ରଧାନ ଆଜି ସକାଳୁ ଉଠି ବାହାରେ ରହିଥିବା ବେଳେ ତାଙ୍କ ପତ୍ନୀ ଘର ବାହାରେ ବାସନ ସଫା କରୁଥିଲେ। ଏତିକି ବେଳେ ହଠାତ୍ ତାଙ୍କର ଚାଳଘର ସମ୍ପୂର୍ଣ୍ଣ ଭୂଷୁଡି ପଡିଥିଲା। ଘରର ଆସବାବପତ୍ର ସବୁ ମାଟିରେ ପୋତିହୋଇ ରହିଥିଲା। ଖବର ପାଇ ରାଜସ୍ୱ ନୀରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଭୂଷୁଡି ପଡିଥିବା ଘର ଏବଂ କ୍ଷୟକ୍ଷତି ମଧ୍ୟ ଆକଳନ କରିଥିଲେ। ସେହିଭଳି ଗରାକୁମ୍ପା ଗ୍ରାମରେ ବୈଜୟନ୍ତୀ ସାହାଣୀ ନିଜ ଖର୍ଚ୍ଚରେ ଘର ତିଆରି କରୁଥିବା ବେଳେ ଅସମ୍ପୂର୍ଣ୍ଣ ରହିଥିବା ଆଜବେଷ୍ଟସ୍ ଘର ମଧ୍ୟ ଭୂଷୁଡି ପଡିଥିବା ଦେଖିବାକୁ ମିଳିଥିଲା। ଗରାକୁମ୍ପା ଗ୍ରାମରେ ଆଉକିଛି ଚାଳଘର କ୍ଷୟକ୍ଷତି ହୋଇଥିବା ବେଳେ ଅରାପାଜୁ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ଦୈତାରୀ ନାୟକଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡ଼ିପଡିଥିଲା।
ତେବେ ଏହି ଦୁର୍ଘଟଣାରୁ ତାଙ୍କର ଦୁଇ ପୁଅ ଅଳ୍ପକେ ରକ୍ଷା ପାଇଥିବାବେଳେ ଘରର ନିତ୍ୟ ବ୍ୟବହାର ଆସବାବପତ୍ର ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ସେହିଭଳି ଅରାପାଜୁ ରାକାଡିପଦର ଧରଣୀଧର ଗଣ୍ଡା, ବିଶ୍ୱଜିତ୍ ଯାନୀ, ସୁଜିତ ଯାନୀ, ଜନକ ପ୍ରଧାନଙ୍କ ସହ ଅନେକଙ୍କ ଘର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଦୁତିପଡା ସିଦିଙ୍ଗି ଗ୍ରାମରେ ସୁକାନ୍ତୀ ନାୟକଙ୍କ ଘରଭାଙ୍ଗିଥିବା ବେଳେ ଆହୁରୀ ଅନେକ ଅଞ୍ଚଳ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି। ପ୍ରସାଶନିକ ସ୍ତରରେ କ୍ଷତିଗ୍ରସ୍ତ ପରିବାରକୁ ରାଜସ୍ବ ନୀରିକ୍ଷକମାନଙ୍କ ଜରିଆରେ ତଦନ୍ତ କରାଯାଇ ପଲିଥିନ ପ୍ରଦାନ କରାଯାଉଥିବା ନେଇ ତହସିଲଦାର ସ୍ୱପ୍ନିତା ନାୟକ ପ୍ରକାଶ କରିଛନ୍ତି। ଏହାସହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଲଗାଣ ବର୍ଷାକୁ ଖାତିରି ନକରି ସମାଜସେବୀ ଅନନ୍ତ କୁମାର ଦିଗାଲ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସେମାନଙ୍କୁ ସହଯୋଗ ପ୍ରଦାନ କରିଛନ୍ତି।
Comments are closed.