‘ସମାଜ’ ପକ୍ଷରୁ ବନ୍ୟାବିପନ୍ନଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ
ବାଙ୍କୀ: ଶୁକ୍ରବାର ‘ସମାଜ’ ପକ୍ଷରୁ ବାଙ୍କୀ-ଡମପଡ଼ା ବ୍ଲକ୍ ଅଧିନ ଶିମିଳିପୁର ପଞ୍ଚାୟତ ଶୁଖୁଆଖଳା ଗ୍ରାମରେ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ‘ସମାଜ’ ରିଲିଫ୍ କମିଟି ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସେବାମୂଳକ କାର୍ଯ୍ୟ ସଞ୍ଚାଳିତ ହୋଇଥିଲା। ମହାନଦୀରେ ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଗୁରୁବାର ରାତ୍ରୀ ଏବଂ ଶୁକ୍ରବାର ଦିନ ପ୍ରବଳ ବର୍ଷାରେ ଅଞ୍ଚଳର ବିପନ୍ନ ପରିବାରମାନେ ଆଶ୍ରୟ ନେଇଥିବା ଖୋଲାସ୍ଥାନ, ପଲିଥିନ୍ କୁଡ଼ିଆ ଏବଂ ଛାତଘର ଉପରେ ଜୀବନ ବିତାଉଛନ୍ତି। ‘ସମାଜ’ ରିଲିଫ୍ କମିଟି ପକ୍ଷରୁ ଶୁଖୁଆଖଳା ଗ୍ରାମରେ ଦୀର୍ଘ ୨କି.ମି. ପାଣିରେ ଯନ୍ତ୍ର ଚାଳିତ ଡଙ୍ଗାରେ ରିଲିଫ୍ ସାମଗ୍ରୀ ପହଞ୍ଚିଲା ପରେ ଗ୍ରାମବାସୀଙ୍କ ମନରେ ଖୁସି ଦେଖା ଦେଇଥିଲା। ଶୁଖିଲା ଖାଦ୍ୟ ସାଙ୍ଗକୁ ଚିନି, ବିସ୍କୁଟ୍, ମହମବତୀ ଓ ଦିଆସିଲି ପୁଡ଼ିଆ ମଧ୍ୟ ପ୍ରଦାନ କରାଯାଇଛି। ଗ୍ରାମର ୧୮୫ ପରିବାର, ଏହି ପଞ୍ଚାୟତ ଅଧିନ କରବର ଗ୍ରାମର ୬୦ପରିବାର କରି ମୋଟ ୨୪୫ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ରିଲିଫ୍ କମିଟି ସଦସ୍ୟ ଭବାନୀ ଶଙ୍କର ମିଶ୍ର, ଜିମସାର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ, ନିତ୍ୟସୁନ୍ଦର ସ୍ୱାଇଁ, ତପନ ବାରିକ ଏବଂ ବାଙ୍କୀ ସମାଜ ପ୍ରତିନିଧି ଗୌରାଙ୍ଗ ବେହେରା, ସାମ୍ବାଦିକ ଶେତ୍ୱକାନ୍ତ ବେହେରା ପ୍ରମୁଖ ବନ୍ୟା ବିପନ୍ନମାନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ। ଗୋପବନ୍ଧୁ ନର୍ସିଂ କଲେଜର ଜାତୀୟସେବା ଯୋଜନାର ଛାତ୍ରୀମାନେ ପାଣିରେ ପଶି ଘର ଘର ବୁଲି ଖାଦ୍ୟପୁଡ଼ିଆ ବଣ୍ଟନ କରିଛନ୍ତି।
ସ୍ଥାନୀୟ ସରପଞ୍ଚ ସୁକାନ୍ତ କୁମାର ବେହେରା, ସମିତିସଭ୍ୟ ପ୍ରତିନିଧି ଇନ୍ଦ୍ରମଣି ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପାଲ, ସଂଯୋଜକ ଅକ୍ଷୟ କୁମାର ଭଟ୍ଟ, ଶୁଖୁଆଖଳା ଗ୍ରାମର ୱାର୍ଡ଼ମେମ୍ବର ମିଟନ ପିରୋଇ, କୃଷ୍ଣଚନ୍ଦ୍ର ନାୟକ, ଶ୍ୟାମସୁନ୍ଦର ଗୋଚ୍ଛାୟତ, ଉପେନ୍ଦ୍ର ପିରୋଇ ଏବଂ କରବର ଗ୍ରାମରେ ଫକୀର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ବିଡ଼ିଓ ଶ୍ୟାମସୁନ୍ଦର ରାୟ ‘ସମାଜ’ ପକ୍ଷରୁ ପ୍ରଦାନ କରାଯାଇଥିବା ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଡମପଡ଼ା ବ୍ଲକ୍ ୩୮ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ ପହଞ୍ଚି କରବର ଗ୍ରାମରେ ରିଲିଫ୍ କାର୍ଯ୍ୟରେ ସହଯୋଗ କରି ‘ସମାଜ’ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଛନ୍ତି। ୨ଗ୍ରାମ ପକ୍ଷରୁ ମୁରବୀମାନେ ‘ସମାଜ’କୁ ସାଧୁବାଦ ଜଣାଇଛନ୍ତି।
Comments are closed.