ଭାଇକୁ ହତ୍ୟା ପାଇଁ ଲକ୍ଷେ ଟଙ୍କା ସୁପାରୀ, ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସହ ୪ ଗିରଫ
ଅଜୁ ଦୋରା ହତ୍ୟାକାଣ୍ଡର ଗୁମର ଖୋଲିଲେ ଏସ୍ପି: ଖଣ୍ଡା, ବାଇକ ଓ ଟଙ୍କା ସହ ୫ ମୋବାଇଲ୍ ଜବତ
ବଲାଙ୍ଗିର: ବେପାରକୁ ନେଇ ବିବାଦ। ଆଉ ଏହି ବିବାଦ ଭୟଙ୍କର ରୂପ ହତ୍ୟାକାଣ୍ଡ। ଗତ ମଙ୍ଗଳବାର ଭୋରରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ଘରୋଇ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଡଲି ଠେଲା ଲଗାଇ ବେପାର କରୁଥିବା ମା’ ଜୟନ୍ତୀ ଦୋରା ଓ ଅଜୁ ଦୋରା(୨୫)ଙ୍କ ସ୍କୁଟି ଆଡକୁ ଧାଇଁ ଆସିଥିଲେ ୨ ମୁଖାଧାରୀ। ଗାଡିକୁ ଧକ୍କା ଦେବା ସହ ୨ଜଣ ଅଜୁଙ୍କ ଉପରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ମା’ ପ୍ରତିବାଦ କରିବାରୁ ତାଙ୍କୁ ବି ଛାଡି ନଥିଲେ। ଆକ୍ରମଣ ପରେ ହତ୍ୟାକାରୀ ୨ଜଣ ବାଇକରେ ଚମ୍ପଟ ମାରିଥିଲେ। ମା’ ଜୟନ୍ତୀ ଇଡଲି ଠେଲା ଲଗାଇବାକୁ ନେଇ ବିବାଦ କଥା କହୁଥିବା ବେଳେ ପୁଲିସ ମୃତ ଅଜୁଙ୍କ ବଡ ବାପା ପୁଅ ମୁନା ଦୋରାଙ୍କ ଉପରେ ସନ୍ଦେହ କରିଥିଲା। ଆଉ ୨ ଦିନର ଖୋଳତାଡ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ପାଇଥିଲା। ହତ୍ୟାକାରୀ ଅଜୁଙ୍କୁ ହତ୍ୟା କରିବା ପାଇଁ ଏକ ଲକ୍ଷ ଟଙ୍କାର ସୁପାରି ଦେଇଥିଲା। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ଟଙ୍କା, ମୋବାଇଲ୍ ଜବତ କରାଯାଇଛି। ଶୁକ୍ରବାର ଜିଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଅଜୁ ହତ୍ୟାକାଣ୍ଡ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ସ୍ଥାନୀୟ ସୁଦପଡ଼ା ପୋଷ୍ଟ ଅଫିସ ଗଳିରେ ରାଧାକୃଷ୍ଣ ଦୋରାଙ୍କ ପରିବାର ଓ ବଡ ଭାଇ ନୀଳ ମାଧବ ଦୋରାଙ୍କ ପରିବାର ଅଲଗା ଅଲଗା ରହନ୍ତି। ରାଧାକୃଷ୍ଣଙ୍କ ପୁଅ ଅଜୁ ଓ ନୀଳମାଧବଙ୍କ ପୁଅ ମୁନା(୨୭) ଭୀମ ଭୋଇ ଡାକ୍ତରଖାନା ସୁଦପଡ଼ା ପାଶ୍ୱର୍ଞ୍ଚଳରେ ତରଭୁଜ ଦୋକାନ ଦେଇଥିଲେ। ତେବେ ଦୋକାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଆଜୁଙ୍କୁ ସବୁଦିନ ପାଇଁ ବାଟରୁ ହଟାଇବାକୁ ମୁନା ଯୋଜନା କରିଥିଲା। ଅଜୁ ହତ୍ୟା ପାଇଁ ଲଳିତ ନଗରରେ ରହୁଥିବା ରାହୁଲ ପାଣିଗ୍ରାହୀ(୨୭) ଓ ନୂଆପଡ଼ା ଜିଲା ମନ୍ଦିର ପଡ଼ାର ମୂଳ ବାସିନ୍ଦା ଓ ବର୍ତ୍ତମାନ ବଲାଙ୍ଗିର ଲଳିତ ନଗରରେ ରହୁଥିବା ସୋମ ପୁଞ୍ଜି(୨୪)ଙ୍କୁ ଲକ୍ଷେ ଟଙ୍କାର ସୁପାରୀ ମୁନା ଦେଇଥିଲା। ସେହିପରି ବ୍ରାହ୍ମଣପଡ଼ାର ଚନ୍ଦ୍ର ପ୍ରଧାନ(୨୭)କୁ ବି ମୁନା ଅଜୁ ହତ୍ୟାକାଣ୍ଡରେ ନିୟୋଜିତ କରିଥିଲା। ଚନ୍ଦ୍ର ଓ ରାହୁଲ ଅଜୁକୁ ଜୀବନରୁ ମାରିଦେବାକୁ ୨/୩ଥର ପ୍ରୟାସ କରି ବିଫଳ ହୋଇଥିଲେ। ଷଡଯନ୍ତ୍ରକାରୀ ମୁନା ୩୦ହଜାର ଟଙ୍କା ଆଗ୍ରୀମ ଦେବା ସହ ଓଡି ୩୧ଏଚ୍ ୨୯୯୮ ପଲସର, ଖଣ୍ଡା, ନଡିଆ କଟା ଚାଇନା ଛୁରୀ ଆଦି ଯୋଗାଇ ଦେଇଥିଲା। ମଙ୍ଗଳବାର ଦିନ ରାହୁଲ ହତ୍ୟାକାରୀ ସୋମ ଓ ଚନ୍ଦ୍ର ସହ ଫୋନରେ ଯୋଗାଯୋଗରେ ରହିଥିଲା। ସୁଦପଡ଼ା ଘରୁ ମା’ ଓ ପୁଅ ବାହାରିବା, ସେମାନେ କେଉଁ ରାସ୍ତାରେ ଯାଉଛନ୍ତି ତାର ସବିଶେଷ ସୂଚନା ହତ୍ୟାକାରୀଙ୍କୁ ଦେଇ ଚାଲିଥିଲା। ପ୍ରାୟ ୪୫ ମିନିଟ ଧରି ଅଜୁ ହତ୍ୟାର ଯୋଜନା ମୋବାଇଲ ମାଧ୍ୟମରେ ଚାଲିଥିବା ଏସ୍ପି ଶ୍ରୀ କୁଶଲକର କହିଛନ୍ତି।
ମୃତ ଅଜୁଙ୍କ ବଡ ଭାଇ ରାଜୁ ଦୋରାଙ୍କ ହତ୍ୟା ଅଭିଯୋଗକୁ ଆଧାର କରି ସହରାଞ୍ଚଳ ପୁଲିସ ଆଇପିସିର ଧାରା ୩୦୨, ୩୦୭ ଓ ୧୨୦(ବି)ରେ ୪୧୨ନମ୍ବର ମାମଲା ରୁଜୁ କରିଥିଲା। ହତ୍ୟାକାରୀଙ୍କୁ ଧରିବା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ(ଏସ୍ଡିପିଓ) ତୋଫାନ ବାଗ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ, ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ବେହେରା, ଏସ୍ଆଇ ଅବିନାଶ ନାୟକ, ପୂର୍ଣ୍ଣିମା ଓରାମ, ଏଏସ୍ଆଇ ବୈକୁଣ୍ଠ ଦେହୁରୀ, ମମତା ପ୍ରଧାନଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢଉ କରି ହତ୍ୟା ଷଡଯନ୍ତ୍ରକାରୀ ବଡ ବାପା ପୁଅ ଭାଇ ମୁନା, ରାହୁଲ, ସୋମ ଓ ଚନ୍ଦ୍ରକୁ ଗିରଫ କରିଥିଲା। ହତ୍ୟାରେ ବ୍ୟବହୃତ ରକ୍ତ ଲଗା ଖଣ୍ଡା, ଚାଇନା ଛୁରୀ, ପଲସର୍ ବାଇକ, ୯ହଜାର ଶହ ଟଙ୍କା ଓ ୫ଟି ମୋବାଇଲ୍ ପୁଲିସ ଜବତ କରିଛି। ସେମାନଙ୍କୁ ଜେରା କରାଯିବା ସହ ସେମାନଙ୍କ ହତ୍ୟା ସ୍ୱୀକାରୋକ୍ତି ମନ୍ତବ୍ୟ ରେକର୍ଡ କରାଯାଇଛି। ଶୁକ୍ରବାର ସକାଳେ ଭୀମ ଭୋଇ ଡାକ୍ତରଖାନାକୁ ନେଇ କେମିତି ହତ୍ୟା କରାଗଲା ତାର ଡେମା ୨ ହତ୍ୟାକାରୀ ଦେଖାଇଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ୪ ଅଭିଯୁକ୍ତଙ୍କୁ ସହରାଞ୍ଚଳ ପୁଲିସ କୋର୍ଟ ଚାଲାଣ କରିଛି
Comments are closed.