ଛାତ ଉପରେ ଦୟନୀୟ ଜୀବନ ବିତାଉଛନ୍ତି ବନ୍ୟା ବିପନ୍ନ, ୩୧ପଞ୍ଚାୟତର ୮୪ଗ୍ରାମରେ ୧ଲକ୍ଷ ୪୫ହଜାର ୩୧୩ଜଣ ପ୍ରଭାବିତ
ବାଙ୍କୀ: ମହାନଦୀରେ ବନ୍ୟା ପରିସ୍ଥିତି ଦୀର୍ଘ ୫ଦିନ ଧରି କୂଳ ବାସୀଙ୍କୁ ବିପଦ ସଙ୍କୁଳ ପରିସ୍ଥିତିର ସାମ୍ନା କରାଇଛି। ବୁଧବାର ମହାନଦୀର ଜଳସ୍ତର ହ୍ରାସ ପାଇବାରୁ ନଦୀକୂଳ ବାସୀ ନିଶ୍ଚିତ ବିପଦରୁ ସୁଧାର ଆସିବା ଅନୁଭବ କରିଥିଲେ। ମାତ୍ର ସନ୍ଧ୍ୟାରେ ହୀରାକୁଦର ଜଳଭଣ୍ଡାରରୁ ୪୦ଫାଟକ ଦେଇ ବନ୍ୟାଜଳ ଛଡାଯିବା ପରେ ଗୁରୁବାର ମହାନଦୀର ବନ୍ୟାଜଳ ସ୍ଥିତି ଗମ୍ଭୀର ହୋଇ ବାଙ୍କୀ ଡାକ ବଙ୍ଗଳାଠାରେ ମହାନଦୀର ଜଳସ୍ତର ୮.୧୧ମିଟର ଉପରେ ପ୍ରବାହିତ ହେଉଛି। ମହାନଦୀରେ ବିପଦ ସଙ୍କେତ ଉପରେ ଜଳ ସ୍ତର ରହୁଥିବାରୁ ପ୍ରଭାବିତ ଅଞ୍ଚଳରେ ବନ୍ୟାଜଳ କମିବାର ନାଁ ଧରୁନି। ଜଳମଗ୍ନ ରହିଥିବା ବିଭିନ୍ନ ଅଞ୍ଚଳରେ ବିପନ୍ନ ମାନେ ଖୋଲା ଛାତ ଉପରେ ଏବଂ କଦବା କେଉଁଠି ଚିରା ଦଦରା ପାଲ ତଳେ ପରିବାର ସହ ଜୀବନ ବିତାଉଛନ୍ତି। ଚାରିଆଡେ ପାଣି ଆଉ ପାଣି। ଯୋଜନ ଯୋଜନ ଦୂରକୁ ବ୍ୟାପିଛି। ମହାନଦୀ ଓ କୃଷିକ୍ଷେତ୍ରରେ କେବଳ ପାଣି। ବିପଦ ସଙ୍କୁଳ ଓ ଭୟଭୀତ ଅବସ୍ଥାରେ ଗ୍ରାମବାସୀ। ପାନୀୟଜଳ ଓ ବିଦ୍ୟୁତ୍ ଏବଂ ଆବଶ୍ୟକ ଔଷଧ,ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସମସ୍ୟା ହୋଇଛି।
ସୂଚନା ଅନୁଯାୟୀ ବାଙ୍କୀ ବ୍ଲକର ୧୪ପଞ୍ଚାୟତରେ ୪୫ଗ୍ରାମର ୬୨ହଜାର ୫୭୩ଜଣ ପ୍ରଭାବିତ ହୋଇଥିଲା ବେଳେ ଡମପଡା ବ୍ଲକର ୧୭ଟି ପଞ୍ଚାୟତର ୩୯ଗ୍ରାମରେ ୭୨ହଜାର ୭୪୦ଜଣ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ସେହିପରି ୧୦ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଖରିପ୍ ଓ ପନିପରିବା ଚାଷ ଉଜୁଡି ନଷ୍ଟ ହୋଇଛି। ଏବେ ବାଙ୍କୀ ବଜାରରେ ପରିବା ସଙ୍କଟ ବଢିଛି। ସେପଟେ ବିପନ୍ନ ତଥା ଜଳବନ୍ଦୀ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ବେଳେ ବାଙ୍କୀ ବ୍ଲକର ୧୨ଟି ଏବଂ ଡମପଡା ବ୍ଲକର ୧୦ଟି ମାଗଣା ରନ୍ଧନ ଖାଦ୍ୟ ଯୋଗାଣ କେନ୍ଦ୍ରରେ ୧୦ହଜାର ୯୮୯ଜଣ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନର ବନ୍ୟା ପରିଚାଳନା ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ଓଡ୍ରାପ୍ଟ,ଏନଡିଆରଏଫ୍ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରଦତ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ଜବାନ ମାନେ ଉପସ୍ଥିତ ରହି ଆବଶ୍ୟକ ସେବା ଯୋଗାଉଛନ୍ତି। ସେହିପରି ବାଙ୍କୀ ବ୍ଲକର ଅନୁୟାରୀ,ଗୋଳାଗଣ୍ଡ,ସୁବର୍ଣ୍ଣପୁର, ରତାଗଡ,ଓସ୍ତିଆ ଆଦି ପଞ୍ଚାୟତରେ ଆବଶ୍ୟକ ସେବା କାର୍ଯ୍ୟ ଚାଲୁ ରହିଛି। ଜଳବନ୍ଦୀ ଥିବା ବିଲିପଡା ପଞ୍ଚାୟତ ଏବଂ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗ୍ରାମ ଉପରେ ତୀଖ୍ନ ଦୃଷ୍ଟି ଦିଆଯାଇଛି। ମହାନଦୀର ଶାଖା ନଦୀ ରଣ ନଦୀର ପଛୁଆ ଜଳ ଏବଂ ମହାନଦୀର ବନ୍ୟାଜଳ ଉଭୟର ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମୀ ଜଳ ମଗ୍ନ ହୋଇଛି। ଆଗକୁ ବନ୍ୟାଜଳ ହ୍ରାସ ନପାଇଲେ ବିପନ୍ନଙ୍କ ଜୀବନ ଜିବିକା ଅଧିକ ପ୍ରଭାବିତ ହୋଇ ଜନ ଜୀବନ ବିପର୍ଯ୍ୟସ୍ତ ହେବାର ଆଶଙ୍କା ପରିସ୍ଥିତି ଆସିଥିବା ବନ୍ୟା ପ୍ରଭାବିତ ପୁରୁଖା ଲୋକ ମାନେ କହିଛନ୍ତି।
ଗୁରୁବାର ଦିନ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସାଂସଦ ଭତ୍ତୃହରି ମହତାବ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ଅପରାହ୍ନରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତି,ପ୍ର ଭାବିତଙ୍କ ସ୍ଥିତି ଓ ବନ୍ୟା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଆଲୋଚନା ପରେ ଲୋକମାନଙ୍କୁ ଯଥେଷ୍ଟ ରିଲିଫ୍ ସହାୟତା ଯୋଗାଇବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଚଳିତ ୨୦୨୨ବନ୍ୟାରେ ବାଙ୍କୀ ଓ ଡମପଡା ବ୍ଲକର ୩୧ପଞ୍ଚାୟତର ୮୪ଟି ଗ୍ରାମରେ ୧ଲକ୍ଷ ୪୫ହଜାର ୩୧୩ଜଣ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି। ସେହିପରି ବୁଧବାର ଦିନ ବାଙ୍କୀ ଏନ.ଏ.ସିର ୪ଗୋଟି ଓାର୍ଡରେ ବନ୍ୟାଜଳ ପ୍ରବେଶ ପରେ ଏନ.ଏ.ସି ପକ୍ଷରୁ ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ସେବା ପ୍ରଦାନ କରାଯାଇଛି।
Comments are closed.