www.samajalive.in
Monday, December 15, 2025
14.1 C
Bhubaneswar

ପୂର୍ବତନ ସାଂସଦ ସୁବାସ ନାୟକଙ୍କ ଦେହାନ୍ତ

ଭବାନୀପାଟଣା : କଳାହାଣ୍ଡିର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବାସ ଚନ୍ଦ୍ର ନାୟକଙ୍କ ରବିବାର ‍ହୃଦ୍‍ଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।
ଆଜି ଭବାନୀପାଟଣା ଇରିଗେସନ ‍କଲୋନୀ ବାସଭବନରେ ସେ ହଠାତ ସଂଜ୍ଞାହୀନ ହୋଇପଡ଼ିଥିଲେ। ପରିବାର ସଦସ୍ୟ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ନାୟକଙ୍କ ପତ୍ନୀ ସତ୍ୟଭାମା, ବଡ଼ପୁଅ ସାମ୍ବାଦିକ ଶିବରାମ ଓ ସାନପୁଅ ସୀତାରାମ ଓ ସାନଭାଇ ଶରତ ନାୟକ ଅଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ସ୍ବର୍ଗତ ନାୟକଙ୍କ ଶବସତ୍କାର କରାଯିବ ବୋଲି ତାଙ୍କ ସାନ ଭାଇ ଶରତ କହିଛନ୍ତି। ଶ୍ରୀ ନାୟକଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କ ବାସଭବନକୁ ରାଜନୈତିକ ଦଳର ନେତୃମଣ୍ଡଳୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଯାଇ ତାଙ୍କର ଶେଷଦର୍ଶନ କରିଛନ୍ତି।
ସ୍ବର୍ଗତ ନାୟକ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। କଳାହାଣ୍ଡି ଜିଲା କଂଗ୍ରେସ ସଭାପତି ଓ ସାଧାରଣ ସମ୍ପାଦକ ଥିଲେ। ୧୯୯୧ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ତତ୍କାଳିନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସମୟରେ କଂଗ୍ରେସ ଦଳରୁ କଳାହାଣ୍ଡି ଲୋକସଭା ସାଂସଦ ଥିଲେ। ସାଇକଲରେ ସଂସଦ ଭବନକୁ ଯାଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ଦିନ ସଂସଦ ଭବନର ପାହାଚକୁ ମୁଣ୍ଡିଆ ମାରି ସଂସଦକୁ ମନ୍ଦିର ବୋଲି କହିଥି​ଲେ। ଡାକ୍ତରଖାନା କର୍ମଚାରୀ ଭାବେ କ୍ୟାରିଅର ଆରମ୍ଭକରି ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ଛାପାଖାନା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜାଗ୍ରତ ଓଡ଼ିଶାର ଆବାହକ ଥିଲେ। ସେ ରାଜୀବ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଭିନ୍ନକ୍ଷମଙ୍କୁ ନେଇ ଭେଟାଇଥିଲେ। ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ କଳାହାଣ୍ଡି ଲୋକସଭା ଆସନ ପାଇଁ ତାଙ୍କୁ ବିଜେଡି ଟିକଟ ଦେଇଥିଲା; କିନ୍ତୁ ସେ ନିର୍ବାଚନ ହାରିଥିଲେ। ଏହା ପରେ ସେ ପୁଣି କଂଗ୍ରେସକୁ ଫେରି ଆସିଥିଲେ। କିଛି ମାସ କଂଗ୍ରେସରେ ରହି ପୁଣି ବିଜେପିରେ ଯୋଗ ଦେଇଥିଲେ। ଲାଞ୍ଜିଗଡ଼- ଜୁନାଗଡ଼ ରେଳ ଲାଇନ ପ୍ରକଳ୍ପ ଅନୁମୋଦନ, ଲାଞ୍ଜିଗଡ଼ ରୋଡ଼ରେ ରେଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ, ଭବାନୀପାଟଣା ରେଳଷ୍ଟେସନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ସ୍ଥାପନ, କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦିଗରେ ତାଙ୍କ ପ୍ରମୁଖ ଅବଦାନ ଥିଲା। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ସେ ସେମାନଙ୍କୁ ହଜାର ହଜାର ସଂଖ୍ୟକ ଚିଠି ଲେଖୁଥିବାରୁ ତାଙ୍କୁ ‘ଏମପି ଅଫ ଲେଟର୍ସ’ ବୋଲି ସମ୍ବୋଧନ କରାଯାଉଥିଲା। ତାଙ୍କ ସମୟରେ ଦେଶରେ ପ୍ରଥମ କରି ଆରମ୍ଭ ହୋଇଥିବା ସାଂସଦ ପାଣ୍ଠି ବାବଦରେ ତାଙ୍କୁ ମିଳିଥିବା ୧ କୋଟି ଟଙ୍କାକୁ ସେ କଳାହାଣ୍ଡି ଓ ନୂଆପଡ଼ା ଜିଲାର ୧୦୦ଟି ଜରାଜୀର୍ଣ୍ଣ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଦେଇ ପ୍ରଶଂସାଭାଜନ ହୋଇଥିଲେ।
ତାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂହ, ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଅବିଭକ୍ତ କଳାହାଣ୍ଡିର ବିକାଶ ପାଇଁ ସ୍ବର୍ଗତ ନାୟକଙ୍କ ଅବଦାନ ଅତୁଳନାୟ ଓ ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ମହାନ୍ତି ଶୋକବାର୍ତ୍ତାରେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories