www.samajalive.in
Monday, December 15, 2025
27.1 C
Bhubaneswar

ୟୁକ୍ରେନକୁ ଲଢ଼ୁଆ ବିମାନ ଯୋଗାଇବ ଆମେରିକା

ୱାଶିଂଟନ/କିଭ୍‍: ଆମେରିକା ସରକାର ରୁଷ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବା ସମ୍ପର୍କରେ ବିଚାର କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଛଅମାସରେ ପ୍ରବେଶ କରିବାକୁ ଯାଉଥିବାବେଳେ ଆମେରିକା ପ୍ରଶାସନ ୟୁକ୍ରେନକୁ ଏଭଳି ସହାୟତା ଯୋଗାଇଦେବା ସମ୍ପର୍କରେ ବିଚାର କରୁଛି। ତେବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ବିଧିବଦ୍ଧ ଭାବରେ ଏହା ଉପରେ ନିଷ୍ପତ୍ତି ନିଆଯାଇନାହିଁ ବୋଲି ହ୍ୱାଇଟ ହାଉସ ମୁଖପାତ୍ର ଜନ୍‍ କିର୍ବି ସାମ୍ବାଦିକମାନଙ୍କୁ କହିଛନ୍ତି। ଅନ୍ୟଏକ ସୂତ୍ରରୁ ଜଣାଯାଇଛି ଯେ ୟୁକ୍ରେନ ସରକାର ଏଫ-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇଦେବାକୁ ଆମେରିକାକୁ ଅନୁରୋଧ କରିଥିବାବେଳେ ଆମେରିକା ସରକାର ୫୦ ବର୍ଷର ପୁରୁଣା ଯୁଦ୍ଧ ବିମାନ ୟୁକ୍ରେନକୁ ଯୋଗାଇବାକୁ ବିଚାର କରୁଛନ୍ତି। ଉକ୍ତ ବିମାନ ଚାଳନା ସମ୍ପର୍କରେ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେବାକୁ ଆମେରିକା ନିଜର ସାମରିକ ପାଇଲଟଙ୍କୁ ମଧ୍ୟ ପଠାଇବ। ତାହା ପୂର୍ବରୁ ୟୁକ୍ରେନକୁ ଡ୍ରୋନ ସମେତ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକାର ବାଇଡେନ ପ୍ରଶାସନ ଘୋଷଣା କରିଛନ୍ତି। ଶନିବାର ରୁଷ ପକ୍ଷରୁ କୃଷ୍ଣସାଗର ତଟରେ ଥିବା ୟୁକ୍ରେନର ବନ୍ଦର ସହର ଓଡ଼େସା ଉପରେ କାଲିବର କ୍ରୁଜ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଦୁଇଟି କ୍ଷେପଣାସ୍ତ୍ର ବନ୍ଦର ପରିସର ମଧ୍ୟରେ ପଡ଼ିଥିବାବେଳେ ଆଉ ଦୁଇଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିଦେଇଥିଲା।

ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳକୁ ୟୁକ୍ରେନ ନିଜ ଅଧିନକୁ ଫେରାଇ ନଆଣିବା ପର୍ଯ୍ୟନ୍ତ ଯୁଦ୍ଧବିରତି ସମ୍ଭବ ନୁହେଁ। ଶୁକ୍ରବାର ରୁଷ ଓ ୟୁକ୍ରେନ ମଧ୍ୟରେ ଗହମ ରପ୍ତାନି ପାଇଁ ସ୍ୱାକ୍ଷରିତ ରାଜିନାମାକୁ ସେ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ବିଶ୍ୱରେ ଖାଦ୍ୟ ନିରାପତ୍ତା ପ୍ରତି ଦେଖାଦେଇଥିବା ଅଚଳାବସ୍ଥାରେ ପରିସମାପ୍ତି ଘଟିବ ବୋଲି ସେ କହିଛନ୍ତି। ଓଡ଼େସା ଉପରେ ରୁଷ ଆକ୍ରମଣ ଦୁଇ ଦେଶ ମଧ୍ୟରେ ଶସ୍ୟ ରପ୍ତାନି ନେଇ ହୋଇଥିବା ରାଜିନାମା ପ୍ରତି ଶକ୍ତ ଧକ୍କା ସଦୃଶ ହୋଇଛି ବୋଲି ୟୁକ୍ରେନ ସାମରିକ ବାହିନୀ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ୟୁକ୍ରେନରେ ସମ୍ପ୍ରତି ବିକ୍ରି ପାଇଁ ପ୍ରାୟ ୧୦ ବିଲିଅନ ଡଲାର ମୂଲ୍ୟର ଶସ୍ୟ ଉପଲବ୍ଧ ରହିଛି। ତାହାସହିତ ସମ୍ପ୍ରତି ଚାଲିଥିବା ଅମଳ ମଧ୍ୟ ବିକ୍ରି କରିବାକୁ ୟୁକ୍ରେନ ସରକାର ନିଷ୍ପତ୍ତି ନେଇପାରନ୍ତି। ୟୁକ୍ରେନର କିରୋହୋଭ୍ରାଦ ଅଞ୍ଚଳର ଗଭର୍ଣ୍ଣର ଆନ୍ଦ୍ରିଭ ରାଇକୋଭିଚ୍‍ କହିଛନ୍ତି, କିରୋହୋଭ୍ରାଦ ଅଞ୍ଚଳରେ ଥିବା ବିମାନ ବନ୍ଦର ଓ ରେଳବାଇ ଭିତ୍ତିଭୂମି ଉପରେ ୧୩ଟି ରୁଷ କ୍ଷେପଣାସ୍ତ୍ର ମାଡ ହୋଇଛି। ଏଥିରେ ଅନେକ ସାଧାରଣ ଲୋକ ମୃତାହତ ହୋଇଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories