ଜନସେବା କେନ୍ଦ୍ରର କଳାକାରନାମା; ଜାଲ ପ୍ରମାଣପତ୍ର ଦେଇ ହେଉଛି ଠକେଇ
ମୋହନା: ଜନସେବା କେନ୍ଦ୍ରରେ ଜନତାଙ୍କୁ ଠକେଇ । ଜାଲି ପ୍ରମାଣପତ୍ର ଦେଇ ଠକେଇ କରୁଛନ୍ତି ଜନସେବା କେନ୍ଦ୍ରର ପରିଚାଳକ । ଗଜପତି ଜିଲ୍ଲାର ମୋହନା ଏକ ଦୁର୍ଗମ ପାହାଡ଼ିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ରାତି ପାହିଲେ ଏଠାକୁ ବହୁ ଦୂର ଦୁରାନ୍ତରରୁ ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟରେ ମୋହନାକୁ ଆସନ୍ତି । ଆଦିବାସୀ ଓ ଦଳିତ ବର୍ଗର ଲୋକଙ୍କ ସରଳତାର ସୁଯୋଗ ନେଇ ଅନେକ ଜନସେବା କେନ୍ଦ୍ରର ପରିଚାଳକ ମାନେ ଜାଲ ପ୍ରମାଣ ପତ୍ର ପ୍ରଦାନ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ଫାଇଦା ମାରୁଥିବା ଦେଖିବାକୁ ମିଳୁଛି । ମୋହନା ଠାରେ ଥିବା ଏକାଧିକ ଜନସେବା କେନ୍ଦ୍ର ବିଭିନ୍ନ ଅଞ୍ଚଳମାନଙ୍କ ନାମରେ ରହିଥିବା ବେଳେ ମୋହନା ଠାରେ ଖୋଲିଥିବା ମାଲିକ ଚିତ୍ତରଞ୍ଜନ ନାୟକଙ୍କ ନାମରେ ରହିଥିବା ଶ୍ରୀ ରଞ୍ଜନ ଇଣ୍ଟରପ୍ରାଇଜେସରେ ଚାଲିଥିବା ସିଏସସି, ଜନସେବା କେନ୍ଦ୍ରରୁ ସୀତା ଶବରଙ୍କ ଭାଇ ନିଜ ଭଉଣୀଙ୍କ ପାଇଁ ୨୯/୬/୨୨ତାରିଖ ସମୟ ପ୍ରାୟ ୯ଟା ୩୦ରେ ଏକ ଜାତି ପ୍ରମାଣପତ୍ର ପାଇବା ପାଇଁ ଆବେଦନ କରିଥିଲେ ।
ଜାତି ପ୍ରମାଣ ପତ୍ରଟି ପାଇବା ପରେ ସେ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ନିକଟକୁ ଯାଇ ଯାଞ୍ଚ କରିବା ବେଳେ ଶ୍ରୀ ପଲାଇ ଜାଣିବାକୁ ପାଇଥିଲେ ପ୍ରମାଣପତ୍ର ଉପରେ ଉଲ୍ଲେଖ ରହିଥିଲା ରା.ଉଦୟଗିରି ତହସିଲ ଏବଂ ତଳେ ମୋହନା ଅତିରିକ୍ତ ତହସିଲଦାରଙ୍କ ଜାଲ ଦତଖସ୍ତ ଏବଂ ପ୍ରମାଣପତ୍ର ମଝିରେ ରହିଥିବା ବାରକଟ(ସ୍କେନର)ଦେଖି ଜାଣିବାକୁ ପାଇଥିଲେ ଏହା ଏକ ନକଲି ପ୍ରମାଣପତ୍ର । ଏହା ଜାଣିବାପରେ ପ୍ରମାଣ ପତ୍ରଟି ନେଇ ଆସିଥିବା ଆବେଦନକାରୀଙ୍କ ଭାଇଙ୍କୁ ପଚାରିବାରୁ ସେ କହିଥିଲେ ଷ୍ଟେଟ ବ୍ୟାଙ୍କ ନିକଟରେ ରହିଥିବା ଚିତ୍ତରଞ୍ଜନ ନାୟକଙ୍କ ଜନସେବା କେନ୍ଦ୍ରରୁ ୭ଶହ ଟଙ୍କା ଦେଇ ପ୍ରମାଣପତ୍ର ଆଣିଥିବା କହିଥିଲେ। ଏନେଇ ସ୍ଥାନୀୟ ତହସିଲଦାର କିଶୋର ଚନ୍ଦ୍ର ଦାସ ଉକ୍ତ ଜନ ସେବା କେନ୍ଦ୍ରର ମାଲିକଙ୍କୁ ଡକାଇଥିବା ବେଳେ ମାଲିକ ନ ଆସିବାରୁ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ତାଗିତ କରିବା ସହ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି ମୋହନା ଅଞ୍ଚଳରେ ଜନସେବା କେନ୍ଦ୍ର ଗୁଡିକ ଛତୁ ଫୁଟିଲା ଭଳି ଫୁଟିଥିବା ବେଳେ ଲୋକଙ୍କୁ ଜାଲ ପ୍ରମାଣପତ୍ର ଦେଇ ଲୁଟିବାରେ ଲାଗିଛନ୍ତି କେନ୍ଦ୍ର ମାଲିକମାନେ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହ ଯେଉଁ ଗ୍ରାମ ଗୁଡିକ ନାମରେ କେନ୍ଦ୍ର ପାଇଁ ଆବେଦନ ହୋଇଛି ସେହି ସ୍ଥାନରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ଜନ ସାଧାରଣରେ ଦାବି ହେଉଛି।
Comments are closed.