ଗୋପବନ୍ଧୁ ବିଜ୍ଞାନ କଲେଜର ୬୦ତମ ପ୍ରତିଷ୍ଠା ଦିବସ
ଆଠଗଡ : ଆଠଗଡର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ କଲେଜର ୬୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାମରେ ନାମିତ ଏହି ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ବିଦ୍ୟାର୍ଥୀ ନିଜେ ଗର୍ବ ଅନୁଭବ କରିବା ଏବଂ ଗୋପବନ୍ଧୁଙ୍କ ସେବା ମନୋଭାବକୁ ଆଦର୍ଶ ଭାବେ ଗ୍ରହଣ କରିବା ଲାଗି ଆହ୍ୱାନ ଜଣାଇଥିଲେ । ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ସହିତ ଜଣେ ଜଣେ ଭଲ ମଣିଷ ହେବା ଏବଂ ଉତ୍କଳମଣିଙ୍କ ସେବା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବା ଲାଗି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। କଲେଜର ପ୍ରତିଷ୍ଠାତା ତଥା ଉତ୍କଳମଣିଙ୍କର ପ୍ରିୟ ଶିଷ୍ୟ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ସ୍ମୃତିଚାରଣ କରି ମୁଖ୍ୟଅତିଥି ଡଃ ରଥ ଆଠଗଡ ମାଟି ଓ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। କଲେଜର ସାମଗ୍ରିକ ବିକାଶ ପାଇଁ ପୁରାତନ ଛାତ୍ରମାନେ ଗୋଷ୍ଠିଗତ ଉଦ୍ୟମ କରି ମୋ କଲେଜ ଅଭିଯାନକୁ ସଫଳ କରିବା ଲାଗି ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ଆହ୍ୱାନ ଜଣାଇଥିଲେ।
କର୍ମଚାରୀ ସଂଘ ସମ୍ପାଦକ ଅଧ୍ୟାପକ ପ୍ରଣବ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟକ୍ଷ ଡଃ ସାହୁ କଲେଜର ବିଭିନ୍ନ ସମସ୍ୟାର ଏବଂ ବିଶେଷ କରି କଲେଜର ଜମିଜମା ସଂକ୍ରାନ୍ତିୟ ସମସ୍ୟାଗୁଡିକ ସମାଧାନ ଦିଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାଧ୍ୟାପକ ପ୍ରତାପ କେଶରୀ ଖାଟୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଚ୍ଛବ ପାଳନ କମିଟିର ଅଧ୍ୟକ୍ଷା ପ୍ରାଧ୍ୟାପିକା ମଳୟ ମଞ୍ଜରୀ ଦାସ, ପ୍ରାଧ୍ୟାପିକା ପ୍ରଭାତୀ ଦେବୀ, ଅଧ୍ୟାପକ ଅନିରୁଦ୍ଧ ସେନାପତି, ଡେମୋନଷ୍ଟ୍ରେଟର ସଚ୍ଚିଦାନନ୍ଦ ଜେନା ରଞ୍ଜିତ ସାମନ୍ତରାୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଆନ୍ତଃମହାବିଦ୍ୟାଳୟସ୍ତରୀୟ ଖୋ-ଖୋ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଁ ୫ଜଣ ଖୋ-ଖୋ ଖେଳାଳି ଏବଂ ପୁରୀ ରଥଯାତ୍ରାରେ ସେବା ଯୋଗାଇଥିବା ଦୁଇ ଜଣ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ମୁଖ୍ୟଅତିଥି ଓ କଲେଜ ଅଧ୍ୟକ୍ଷ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଦୁ ଏବଂ ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରତିଷ୍ଠା ଦିବସ ଉପଲକ୍ଷେ ରେଡକ୍ରସ ପରାମର୍ଶଦାତା ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନସିସି ଓ ସ୍କାଉଟ ବାହିନୀ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.