ଦୌଡ଼କୁଦର ଉନ୍ନତି ପାଇଁ ଏଏଫ୍ଆଇ ସହ ହାତ ମିଳାଇଲା ରିଲାଏନ୍ସ୍
ମୁମ୍ବଇ : ଦେଶରେ ଦୌଡ଼କୁଦ କ୍ରୀଡ଼ାର ଉନ୍ନତି ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ସହ ହାତ ମିଳାଇଛି। ଉଭୟଙ୍କ ମିଳିତ ଭାବେ ଦେଶରେ ଦୌଡ଼କୁଦ କ୍ରୀଡ଼ାର ବିକାଶ ନେଇ କାର୍ଯ୍ୟ କରିବେ। ଦେଶରେ ଦୌଡ଼କୁଦ କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି, ପ୍ରଶିକ୍ଷକ, କ୍ରୀଡ଼ା ବିଜ୍ଞାନ ଓ ସ୍ପୋର୍ଟସ ମେଡିସିନ ସେଣ୍ଟର ପ୍ରତିଷ୍ଠା ପ୍ରମୁଖ ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ଓ ଏଏଫ୍ଆଇ କାର୍ଯ୍ୟ କରିବେ। ଓଡ଼ିଶାରେ ରିଲାଏନ୍ସ ଦୌଡ଼କୁଦ ଉତ୍କର୍ଷ କେନ୍ଦ୍ର ନିର୍ମାଣ ହୋଇଥିବାବେଳେ ଆଗାମୀ ଦିନରେ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ ଚିକିତ୍ସାଳୟ ନିର୍ମାଣ ନେଇ ଲକ୍ଷ୍ୟ ରହିଛି। ବିଶେଷ କରି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମହିଳା ଦୌଡ଼କୁଦ ଖେଳାଳି ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉଛି। ଏଏଫ୍ଆଇ ସହ ହାତ ମିଳାଇବା ପରେ ଏହା ଅଧିକ ବିକଶିତ ହେବ। ଏହାଛଡ଼ା ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏଏଫ୍ଆଇ ସହ ରିଲାଏନ୍ସର ଲୋଗୋ ମଧ୍ୟ ଖେଳାଳିମାନଙ୍କ ଜର୍ସିରେ ସ୍ଥାନ ପାଇବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦେଶକ ତଥା ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଦସ୍ୟ ନୀତା ଅମ୍ବାନୀ କହିଛନ୍ତି ଯେ, ଦେଶରେ ଦୌଡ଼କୁଦ କ୍ରୀଡ଼ାକୁ ଗତ କିଛି ବର୍ଷ ହେବ ରିଲାଏନ୍ସ ପ୍ରୋତ୍ସାହିତ କରି ଆସୁଛି। ଏଏଫ୍ଆଇ ସହ ହାତ ମିଳାଇବା ପରେ ପ୍ରତିଭାବାନ୍ ଖେଳାଳି ସୃଷ୍ଟି କରିବାରେ ଅଧିକ ସହାୟକ ହେବ । ଦେଶରୁ ଅଲିମ୍ପିକ୍ସ ପୋଡିୟମ ଦଖଲକାରୀ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବ ବୋଲି ନୀତା ଅମ୍ବାନୀ କହିଛନ୍ତି। ଏଏଫ୍ଆଇ ସଭାପତି ଆଦିଲ ସୁମାରିୱାଲା କହିଛନ୍ତି ଯେ, ଦୌଡ଼କୁଦ କ୍ରୀଡ଼ାକୁ ଆଗକୁ ନେବା ନେଇ ରିଲାଏନ୍ସର ସହଯୋଗ ଆମକୁ ଉତ୍ସାହିତ କରିଛି। ଆଗାମୀ ଦିନରେ ଦେଶରେ ବିଶ୍ବସ୍ତରୀୟ ଭିତ୍ତିଭୂମି ଓ ଅଲିମ୍ପିକ୍ସ ପଦକ ହାସଲକାରୀ ପ୍ରତିଭା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସୁମାରିୱାଲା କହିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରୁ ରିଲାଏନ୍ସ ଫାଉଣ୍ଡେସନ ଦୌଡ଼କୁଦର ବିକାଶ ନେଇ ରିଲାଏନ୍ସ ଫାଉଣ୍ଡେସନ ୟୁଥ୍ ସ୍ପୋର୍ଟସ କାର୍ଯ୍ୟକ୍ରମ ହାତକୁ ନେଇଛି। ସାରା ଦେଶରେ ୫୦ଟି ଜିଲାରେ ୫୫୦୦ ଶିକ୍ଷାନୁଷ୍ଠାନରେ ଉକ୍ତ କାର୍ଯ୍ୟକ୍ରମ ପ୍ରଚଳିତ ହେଉଛି।
Comments are closed.