ଶିକ୍ଷକ ନିଯୁକ୍ତି ଦାବିରେ ୧୦୦ କିମି ଯାତ୍ରା କଲେ କୁନିକୁନି ଛାତ୍ରଛାତ୍ରୀ; ଜିଲାପାଳଙ୍କୁ ଜଣାଇଲେ ଅଭିଯୋଗ
ସମ୍ବଲପୁର: ସମସ୍ତଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ସମ୍ବଲପୁର ଜିଲାରେ ସରକାରଙ୍କ ଶିକ୍ଷାର ବାସ୍ତବ ଚିତ୍ର ବୁଧବାର ପଦାକୁ ଆସିଛି । ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର କେଉଁଟବେର୍ଣ୍ଣା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଦ ହୋଇଛି । ଅନେକବାର ଅଞ୍ଚଳବାସୀଙ୍କ ଦାବି ପରେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜିଲା ମୁଖ୍ୟାଳୟ ସମ୍ବଲପୁରରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଗ୍ରାମର ଅଧିବାସୀ ଓ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଫେରାଦ ହୋଇଛନ୍ତି । ନାକଟିଦେଉଳ ବ୍ଲକର ସାଲେଭଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ କେଉଁଟବେର୍ଣ୍ଣା ପ୍ରାଥମିକ ବିଦ୍ୟାଳୟ ୧୯୫୯ରେ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ୟାଳୟରେ ମୋଟ ୪୮ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଗତ ଜୁନ ମାସରୁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ।
ପ୍ରାୟ ୧ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଆସୁଥିବା ବେଳେ ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ଏହା ବନ୍ଦ ହୋଇଯାଇଛି । ଶତାଧିକ ପରିବାର ରହୁଥିବା ଉକ୍ତ ଗ୍ରାମଟି ଜିଲାର ଅହପଞ୍ଚ ଅଞ୍ଚଳ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଆଦିବାସୀ, ହରିଜନ ଏବଂ ପଛୁଆ ଜାତିର ଲୋକେ ଗ୍ରାମରେ ରହୁଥିବା ବେଳେ ଗ୍ରାମରୁ ପ୍ରାୟ ୨ କିମିରୁ ଊର୍ଦ୍ଧ୍ଵ ଦୂରରେ ରହିଥିବା ବିଦ୍ୟାଳୟକୁ ଯାତାୟାତ ପାଇଁ ଦୁର୍ଗମ ଓ ବିପଦଶଙ୍କୁଳନ ରାସ୍ତା ରହିଛି । ଏଣୁ ଗ୍ରାମବାସୀ କୁନି କୁନି ଛାତ୍ରଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟକୁ ଯିବା ଆସିବା ଆଦୌ ନିରାପଦ ନ ଥିବାରୁ ସେମାନେ ଛାଡି ପାରୁନାହାନ୍ତି । ଏ ସର୍ମ୍ପକରେ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ବହୁଥର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏଣୁ ବାଧ୍ୟ ହୋଇ ପ୍ରାୟ ୪୦ ଜଣ କୁନି କୁନି ଛାତ୍ରଛାତ୍ରୀ ମାନେ ଅଭିଭାବକ ମାନଙ୍କ ସହିତ ଗତକାଲି ପୂର୍ବାହ୍ନରେ ବିଦ୍ୟାଳୟ ପରିଧାନ ପିନ୍ଧି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଅପରପକ୍ଷରେ ଅଚାନକ ଜିଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନରେ ଏତେ ସଂଖ୍ୟକ କୁନିକୁନି ଛାତ୍ରଛାତ୍ରୀଙ୍କ ଦେଖି ସମସ୍ତେ ବିସ୍ମିତ ହୋଇଯାଇଥିଲା । ଓଡିଶାରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ଅଭାବ କିଛି ନୂଆ କଥା ନୁହେଁ । ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପୋଷାକ ପରିଧାନ, ବହି, ଖାତା, ସାଇକେଲ ଆଦି ବଣ୍ଟନ କରୁଥିବା ବେଳେ କିନ୍ତୁ ଶିକ୍ଷା ପ୍ରତି କୌଣସି ଧ୍ୟାନ ଦେଉ ନ ଥିବାରୁ ଜିଲା ମୁଖ୍ୟାଳୟରୁ ୧୦୦ କିମିରୁ ଉର୍ଦ୍ଧରେ ରହିଥିବା କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟ ହୋଇ ଜିଲା ମୁଖ୍ୟାଳୟକୁ ଆସି ଦୁଃଖ ଗୁହାରୀ କରିବାକୁ ପଡିଛି । ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲାପାଳ ଅଜମ୍ବର ମହାନ୍ତିଙ୍କୁ କୁନି କୁନି ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନେ ସାକ୍ଷାତକାର କରି ଦାବିପତ୍ର ପ୍ରଦାନ କରି ଅସୁବିଧା ସର୍ମ୍ପକରେ ଗୁହାରୀ କରିଛନ୍ତି । ଅତିରିକ୍ତ ଜିଲାପାଳ ମହାନ୍ତି ଅସୁବିଧା ସର୍ମ୍ପକରେ ଅବଗତ ହେବା ପରେ ତୁରନ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଗୁରୁବାର ଠାରୁ ବିଦ୍ୟାଳୟରେ ଶିକ୍ଷକର ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାର ଅନ୍ୟତମ ଅପହଞ୍ଚ ଅଞ୍ଚଳ ନାକଟିଦେଉଳ ବ୍ଲକ ଅର୍ନ୍ତଗତ ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି । ଅନେକ ବର୍ଷ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଦ୍ୱାରା ଶିକ୍ଷାଦାନ ଚାଲିଥିବା ବେଳେ ଚଳିତ ବର୍ଷ ସେ ଅବସର ଗ୍ରହଣ କରିବା ପରେ ପାଠପଢ଼ା ଠପ ହୋଇଯାଇଛି । ବିଗତ ୨ ବର୍ଷ ହେବ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଏବେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଇ କେବଳ ମଧ୍ୟାହ୍ନ ଭୋଜନ କରି ଫେରି ଆସୁଛନ୍ତି । ଯାହାକି ଅଭିଭାବକ ମାନଙ୍କର ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଏଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ତୁରନ୍ତ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି । ଜିଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ବୈକୁଣ୍ଠ ପ୍ରଧାନ, ପୁପୁନ ପ୍ରଧାନ, ସତ୍ୟା ମାଝୀ, କିଶୋର ଚନ୍ଦ୍ର ପ୍ରଧାନ, ବିନୋଦ ବିହାରୀ ମାଝୀ, ରୁଚିନ୍ଦ୍ର କୁମାର ଧଳ, ରବି ବେହେରା, ରୀତା ପ୍ରଧାନ, ଲକ୍ଷ୍ମୀ ଷଣ୍ଢ, ରିଙ୍କି ଷଣ୍ଢ, ମାଧୁରୀ ବେହେରା, ବେଦମତୀ ବେହେରା, ରୁନୁବାଳା ପ୍ରଧାନ ଙ୍କ ସମେତ ଅନେକ ଗ୍ରାମବାସୀଙ୍କର ଦସ୍ତଖତ ରହିଛି ।
Comments are closed.