ୟୁପି ଜବରଦଖଲ ଉଚ୍ଛେଦ ଉପରେ ରହିତାଦେଶ ଦେଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଛନ୍ତି। ଜମାତ-ଉଲେମା-ଇ-ହିନ୍ଦ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ବିଚାରପତି ବିଆର ଗଭାଇ ଓ ପିଏସ୍ ନରସିଂହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ ପ୍ରଶାସନର କାର୍ଯ୍ୟ ଉପରେ ଏହା ରହିତାଦେଶ ଜାରି କରିପାରିବେ ନାହିଁ। ଜମାତ ଏହାର ଆବେଦନରେ ଅଭିଯୋଗ କରିଥିଲା ଯେ ପ୍ରଶାସନ ମୁସଲମାନ ସମ୍ପ୍ରଦାୟକୁ ନିଶାଣ କରି ଜବରଦଖଲ ଉଚ୍ଛେଦ କରୁଛି। ଜମାତର ଏପରି ଆବେଦନ ଉପରେ ଅଗଷ୍ଟ ୧୦ରେ ଶୁଣାଣି କରିବାକୁ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷର ଓକିଲ ଦୁଷ୍ୟନ୍ତ ଡାଭେ କହିଥିଲେ ଯେ ୟୁୟି ସରକାର ନିର୍ଦ୍ଦିଷ୍ଟ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି। ଡାଭେଙ୍କ ଏପରି ଯୁକ୍ତିକୁ ରାଜ୍ୟ ସରକାରଙ୍କ ଓକିଲ ତୁଷାର ମେହେଟା ବିରୋଧ କରିଥିଲେ। ମେହେଟା କହିଥିଲେ ଯେ ଗୋଟିଏ ସମ୍ପ୍ରଦାୟ ରହିଛି ତାହା ହେଉଛି ଭାରତୀୟ ସମ୍ପ୍ରଦାୟ। ତେଣୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ବାଛବିଚାର କରିବାର ପ୍ରଶ୍ନ ଉଠି ନାହିଁ। ଜବରଦଖଲ ଉଚ୍ଛେଦ ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ଅବଲମ୍ବନ କରାଯାଉଛି। ନୋଟିସ ଦିଆଯିବା ପରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଉତ୍ତରପ୍ରଦେଶ ହିଂସା ସହିତ ଏହି ଉଚ୍ଛେଦ କାର୍ଯ୍ୟର ସମ୍ପର୍କ ନାହିଁ କାରଣ ହିଂସା ପୂର୍ବରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।
Comments are closed.