ଅଶ୍ଳୀଳ ଭିଡ଼ିଓ ପ୍ରଘଟ, ଜୀବନ ହାରିଲେ ଛାତ୍ରୀ
ଭଞ୍ଜନଗର : ରାସ୍ତାରେ ଅଟକାଇ ଟଣାଓଟରା କରିବା ବେଳର ଭିଡିଓକୁ ପ୍ରଘଟ କରିବା ଘଟଣାରେ ଜଣେ ନାବାଳିକା ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣା ଭଞ୍ଜନଗର ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ଏପରି ଅଭାବନୀୟ ଘଟଣା ଏହି ମାସ ୮ ତାରିଖରେ ତାରସିଂ ଥାନା ଅର୍ନ୍ତର୍ଗତ ଜଡାହାଟୁଣି ଗ୍ରାମରେ ଘଟିଛି। ପୁଲିସ ଏହି ଘଟଣାରେ ସମ୍ପକ୍ତ ୨ ଜଣ ନାବାଳକକୁ ଧରି ଜୁଭେନାଇଲ ହୋମକୁ ପଠାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁଶେଖର ମିଶ୍ର ସୂଚନା ଦେଇଛନ୍ତି।
ପ୍ରାୟ ବର୍ଷକ ତଳେ ଗ୍ରାମର ଜଣେ ନାବାଳିକା ନିଜ ଗ୍ରାମ ଦେଇ ପ୍ରବାହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳକ ଝିଅଟିକୁ ନଦୀ ରାସ୍ତାରେ ଅଟକାଇ ଟଣାଓଟରା କରିବା ସହ ସେହି ସମୟର ଭିଡିଓ ଉତ୍ତୋଳନ କରିଥିଲା। ପରେ ନାବାଳକ ସେହି ଭିଡିଓକୁ ତାର ଜଣେ ସାଙ୍ଗ ମୋବାଇଲକୁ ପଠାଇ ଦେଇଥିଲା। ଏହା ଜଣକ ପରେ ଜଣକ ମୋବାଇଲକୁ ପହଞ୍ଚିଥିଲା। ନାବାଳିକାର ଦାଦାପୁଅ ଭାଇଙ୍କ ନିକଟକୁ ଏହି ଅଶ୍ଳିଳ ଭିଡିଓ ପହଞ୍ଚିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲା। ନାବାଳିକାର ପରିବାର ଲୋକେ କୁଳ ସମାଜର ଆଶ୍ରୟ ନେଇଥିଲେ। କୁଳ ସମାଜର ବୈଠକ ବସି ଉଭୟଙ୍କୁ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉଭୟଙ୍କ ବୟସ ହୋଇ ନ ଥିବାରୁ କିଛିଦିନ ଅପେକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ନାବାଳିକାଟି କିଛିଦିନ ପାଇଁ ମାମୁ ଘରକୁ ଚାଲିଯାଇଥିଲା। ନାବାଳିକା ଚାଲିଯିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ସମ୍ପୃକ୍ତ ନାବାଳକ ପୁଣି କନ୍ଦଳ ଆରମ୍ଭ କରିଥିଲା। ଏ ସଂକ୍ରାନ୍ତରେ ପୁନର୍ବାର କୁଳ ସମାଜର ବୈଠକ ବସିଥିଲା। ବୈଠକରେ ନାବାଳକ ଜଣକ ବିବାହ କରିବାକୁ ମନା କରିଦେଇଥିଲା। ଏଥିରେ ନାବାଳିକା ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ। ଲୋକଲଜ୍ଜା ଭୟରେ ସମାଜରେ ଆଉ ମୁହଁ ଦେଖାଇବା ଅସମ୍ଭବ ବୋଲି ନିଜ ପରିବାର ଲୋକଙ୍କ ଉଦେଶ୍ୟରେ ଏକ ‘ସୁସାଇଡ୍ ନୋଟ’ ଲେଖି ୮ ତାରିଖ ସକାଳେ ଘରର ଶେଣୀରେ ନାବାଳିକା ଝୁଲି ପଡିଥିଲା ବୋଲି ତଦନ୍ତ ଦାୟିତ୍ୱରେ ଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ‘ସୁସାଇଡ୍ ନୋଟ’କୁ ଜବତ କରିଥିଲା। ତାରସିଂ ଥାନାରେ ଅପମୃତ୍ୟୁ ମାମାଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ମୃତ ନାବାଳିକାର ବାପାଙ୍କ ଏତଲା ଅନୁଯାୟୀ ଏହା ଧର୍ତ୍ତବ୍ୟ ଅପରାଧ ମାମଲାକୁ ପରିବର୍ତ୍ତନ ହୋଇଥିଲା। ଘଟଣାରେ ସମ୍ପୃକ୍ତ ନାବଳାକ, ଭିଡିଓ ଭାଇରାଲରେ ସମ୍ପୃକ୍ତ ଜଣେ ସାଙ୍ଗକୁ ପୁଲିସ ଧରି ବ୍ରହ୍ମପୁର ଜୁଭେନାଇଲହୋମକୁ ପଠାଇଛି। ନାବାଳିକାର ଜୀବନ ସହ ଖେଳିବା ଏବଂ ତାଙ୍କ ପରିବାରକୁ ଧମକଚମକ ଦେବା ଅଭିଯୋଗରେ ପୁଲିସ ରାଜେନ୍ଦ୍ର ଗୌଡକୁ ମଧ୍ୟ ଗିରଫ କରିଛି।
Comments are closed.