ବଞ୍ଚିଛି ମାନବିକତା : ଘରକୁ ଫେରିବାରେ ସାହାଯ୍ୟ କଲେ ଯୁବ ସମାଜସେବୀ

ସମ୍ବଲପୁର :  ଦେଶର ଅନେକ ରାଜ୍ୟରେ କର୍ମ ନିଯୁକ୍ତି କିମ୍ବା ରୋଜଗାରର ପନ୍ଥା ନ ପାଇ ଲୋକେ ପରିବାର ସହିତ ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଛନ୍ତି। ବିଶେଷ କରି ପଶ୍ଚିମ ଓଡିଶାରେ ଏହା ଏକ ନିୟମିତ ଘଟଣାରେ ପରିଣତ ହୋଇଥିବା ବେଳେ ଦେଶର ଅନ୍ୟତମ ଉନ୍ନତ ରାଜ୍ୟ ରୂପେ ପରିଚିତ ମହାରାଷ୍ଟ୍ରରେ ମଧ୍ୟ ଏଭଳି ଘଟଣା ଘଟିବାରେ ଲାଗିଛି । ମହାରାଷ୍ଟ୍ରର ପୁନେ ଜିଲାର ଅଙ୍କୁଶ ଗଜୱା କର୍ମ ଅନ୍ୱେଷଣରେ ପରିବାରର ୭ ଜଣ ସଦସ୍ୟ ଓ ସଦସ୍ୟାଙ୍କ ସହିତ ଜଣେ ଦଲାଲଙ୍କ ଜରିଆରେ ସମ୍ବଲପୁରକୁ ଆସିଥିଲେ । ତେବେ ଉକ୍ତ ଦଲାଲଟି ତାଙ୍କୁ ଠକି ଦେଇ ସମ୍ବଲପୁର ଠାରେ ଛାଡି ଚାଲିଯିବାରୁ ସେମାନେ ଅସହାୟ ଅବସ୍ଥାରେ ଅଇଁଠାପାଲି ଅଞ୍ଚଳରେ ମଙ୍ଗଳବାର ରାତ୍ରିରେ ଘୂରି ବୁଲୁଥିଲେ । ଅସହାୟ ଅବସ୍ଥାରେ ବୁଲୁଥିବା ଉକ୍ତ ପରିବାରଙ୍କୁ ଯୁବ ସମାଜସେବୀ ସୁବ୍ରତ ନାଥ ଓ ଜିତୁ ଧର ଦେଖିବା ପରେ ସେମାନଙ୍କର ହାଲଚାଲ ବୁଝିଥିଲେ । ଉକ୍ତ ପରିବାର ଦଲାଲ ଦ୍ୱାରା ଆର୍ଥିକ ଓ ମାନସିକ ଠକେଇର ଶିକାର ହେବା ପରେ ସେମାନଙ୍କ ନିକଟରେ ଘରକୁ ଫେରିବା ପାଇଁ କି ଖାଇବା ପାଇଁ ମଧ୍ୟ ଅର୍ଥ ନ ଥିଲା । ଏଣୁ ସମାଜସେବୀ ଦ୍ୱୟ ଉକ୍ତ ପରିବାରଙ୍କୁ ଖାଦ୍ୟପେୟ ପ୍ରଦାନ କରିବା ସହିତ ଝାରସୁଗୁଡାରୁ ରେଳ ଯୋଗେ ମହାରାଷ୍ଟ୍ର ସ୍ଥିତ ନିଜ ଘରକୁ ଫେରି ଯିବା ପାଇଁ ଟିକଟ  ଖର୍ଚ୍ଚ ପ୍ରଦାନ କରିଥିଲେ । ଏଥି ସହ ସମ୍ବଲପୁରରୁ ବସ ଯୋଗେ ଉକ୍ତ ପରିବାରକୁ ଝାରସୁଗୁଡା ପଠାଇଥିଲେ।  ସମାସେବୀ ଦ୍ୱୟଙ୍କ ଝାରସୁଗୁଡା ନିବାସୀ ସାଥି ଦିବ୍ୟ ପ୍ରକାଶ ବସରୁ ସେମାନଙ୍କୁ ନେଇ ରେଳରେ ବସାଇ ପଠାଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ମ ନିଯୁକ୍ତି ଓ ରୋଜଗାର ସୃଷ୍ଟି କରିବାର ଦାବି କରୁଥିବା ବେଳେ ଏଭଳି ଘଟଣା ଗୁଡିକ ଫମ୍ପା ସରକାରୀ ଦାବି ଗୁଡିକର ପୋଲ ଖୋଲି ଦେଉଛି । ଅପରପକ୍ଷରେ ଏବେ ମଧ୍ୟ ମାନବିକତା ବଞ୍ଚି ରହିଥିବାରୁ ଉକ୍ତ ଅସହାୟ ପରିବାର ଘରକୁ ଫେରିଛନ୍ତି । ଯୁବ ସମାଜସେବୀ ମାନଙ୍କର ଏହି ମାନବୀୟ କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

kalyan agarbati

Comments are closed.