ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରବେଶ କଟକଣା, ଖୁବଶୀଘ୍ର ସାନି ନିର୍ଦେଶନାମା : ଗଣଶିକ୍ଷା ମନ୍ତ୍ରୀ
ବିରୋଧ ପରେ ମତ ବଦଲାଇଲେ ମନ୍ତ୍ରୀ
ଭୁବନେଶ୍ୱର : ବିଦ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣାକୁ ବିଭିନ୍ନ ମହଲରେ ବିରୋଧ ପରେ ଆଜି ରାଜ୍ୟ ସରକାର ୟୁ-ଟର୍ଣ୍ଣ ନେଇଛନ୍ତି। ଖୁବଶୀଘ୍ର ସାନି ନିର୍ଦେଶନାମା ଆସିବ ବୋଲି ଗଶଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
ଜାରି ନିର୍ଦେଶନାମା ପ୍ରତ୍ୟାହାର ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲା। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ସାମ୍ବାଦିକମାନଙ୍କ ବୃତ୍ତିଗତ ସ୍ୱାଧୀନତା ସମ୍ପର୍କରେ ରାଜ୍ୟ ସରକାର ସର୍ବଦା ସଚେତନ ଅଛନ୍ତି ଏବଂ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ନିର୍ଦେଶନାମାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଯଥାଶୀଘ୍ର ଦୂର ହେବ ତଥା ଏ ସଂକ୍ରାନ୍ତରେ ଏକ ସାନି ନିର୍ଦେଶନାମା ବିଭାଗ ପକ୍ଷରୁ ଖୁବଶୀଘ୍ର ପ୍ରକାଶ ପାଇବ। ସାମ୍ବାଦିକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କଲା ଭଳି ଏଭଳି ନିର୍ଦେଶନାମା ଅବିଳମ୍ବେ ପ୍ରତ୍ୟାହାର ନ ହେଲେ ସମଗ୍ର ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସେହିପରି ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଚିଠି ଲେଖି ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମକୁ ପ୍ରବେଶ ଅନୁମତି ଦେବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ପ୍ରସଙ୍ଗ ବିଦାଦୀୟ ହେଉଥିବା ଦେଖି ଢେଙ୍କାନାଳ ଜିଲାପାଳ ସରୋଜ ସେଠୀ କହିଛନ୍ତି ସାମ୍ବାଦିକମାନେ ବିଦ୍ୟାଳୟ ଯାଇପାରିବେ। କିନ୍ତୁ ପାଠପଢ଼ା ସମୟରେ ଯାଇପାରିବେ ନାହିଁ। ପରେ ଯାଇ ସମସ୍ୟା ବୁଝିପାରିବେ।
ବିଦ୍ୟାଳୟ ପରିସରରେ ଗଣମାଧ୍ୟମ କଟକଣା ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ସରକାରଙ୍କ ଏଭଳି ନିର୍ଦେଶନାମାକୁ ନିନ୍ଦା କରିବା ସହ ଲୋକଙ୍କ ସ୍ବାର୍ଥ ବିରୋଧରେ ଏ ସରକାର କାର୍ଯ୍ୟ କରୁଥିବାରୁ ଜନସାଧାରଣ ସତର୍କ ରହିବା ଜରୁରୀ। ଏହି ପ୍ରତିବନ୍ଧକ ଯୁକ୍ତିଯୁକ୍ତ ନୁହେଁ। ଏହି ନିର୍ଦେଶନାମା ଗଣତନ୍ତ୍ର ପ୍ରତି ଅସମ୍ମାନ ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।
Comments are closed.