ଅଟ୍ଟାଳି ଜଗନ୍ନାଥଙ୍କ ସୁନାବେଶ, ପ୍ରବଳ ଜନସମାଗମ

ଆଠଗଡ :  ପବିତ୍ର ଏକାଦଶୀ ତିଥିରେ ରଥାରୂଢ ଅଟ୍ଟାଳି ଜଗନ୍ନାଥଙ୍କର ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ଅଟ୍ଟାଳି ଜଗନ୍ନାଥ ଦେବ ଓ ଜଗନ୍ନାଥ ବଲ୍ଲଭ ମଠ ରଥରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଉପସ୍ଥିତିରେ ୨ଟି ଯାକ ରଥରେ ଶ୍ରୀ ଜୀଉମାନଙ୍କୁ ସୁନାବେଶ କରାଯିବା ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସନ୍ଧ୍ୟା ଆଳତୀ କରିଥିଲେ। ଆଠଗଡ ଉପକୋଷାଗାରରୁ କଡା ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀ ଜୀଉଙ୍କର ସୁନା ଅଳଙ୍କାର ସବୁ ଅଣା ଯାଇଥିଲା। ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ୬୬୧.୭୫୦ଗ୍ରାମ ଏବଂ ଜଗନ୍ନାଥ ବଲ୍ଲଭମଠ ରଥର ୩ ଦିଅଁଙ୍କୁ ୫୩୧.୫୨୫ଗ୍ରାମ ସୁନା ଅଳଙ୍କାର ଏବଂ ବହୁ ରୂପା ଅଳଙ୍କାରରେ ସଜ୍ଜିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟ ସଂପାଦନରେ ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା ଓ ଅନ୍ୟ ସେବାୟତ ସହଯୋଗ କରିଥିଲେ। ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଓ ଆଇଆଇସି ବାମଦେବ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ପୁଲିସ କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ତେବେ ବହୁ ଜନସମାଗମ ଯୋଗୁଁ ରଥ ନିକଟରେ ଏବଂ ଆଠଗଡ ମୁଖ୍ୟ ବଜାର ଅଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହୋଇଥିଲା।

kalyan agarbati

Comments are closed.