ଚାଉଳରେ ଓଡ଼ିଶା ବଳକା ରାଜ୍ୟ; ଡାଲି, ତେଲ, ଲୁଣ, ଚିନି, ଆଳୁ-ପିଆଜ ପାଇଁ ପଡ଼ୋଶୀ ଭରସା
ଭୁବନେଶ୍ୱର: ରାଜ୍ୟରେ ୨୦ବର୍ଷ ତଳେ ଧାନ ଓ ଚାଉଳ ଉତ୍ପାଦନରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ ହୋଇଥିବାବେଳେ ଏବେ ବଳକା ରାଜ୍ୟ ଭାବେ ଜାତୀୟସ୍ତରରେ ପରିଗଣିତ ହୋଇଛି। ଏହାକୁ ନେଇ ପ୍ରଶଂସିତ ମଧ୍ୟ ହେଉଛି। ହେଲେ ଆଳୁ, ପିଆଜ, ତେଲ, ଲୁଣ, ଡାଲି ଓ ଚିନି ଲାଗି ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଆଳୁ କ୍ଷେତ୍ରରେ ବର୍ଷକୁ ହାରାହାରି ୧୦ଲକ୍ଷ ମେଟ୍ରିକ୍ ଟନ୍ ବାହାର ରାଜ୍ୟରୁ ସଂଗ୍ରହ ହେଉଛି। ଗତ ୫ବର୍ଷ ରାଜ୍ୟରେ ଆଳୁ ଚାହିଦା ୬୪ଲକ୍ଷ ମେଟ୍ରିକ୍ ଟନରୁ ଊର୍ଦ୍ଧ୍ବ ରହିଥିବାବେଳେ ଓଡ଼ିଶାରେ ମାତ୍ର ୧୪ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହୋଇପାରୁଛି, ଯାହାକି ଚାରିଗୁଣାରୁ ମାତ୍ର ଏକଗୁଣ। ଏହି ସମୟ ମଧ୍ୟରେ ପଡୋଶୀ ରାଜ୍ୟରୁ ୫୦ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ସଂଗ୍ରହ କରିବାକୁ ପଡ଼ୁଥିବା ସରକାରୀ ତଥ୍ୟରୁ ଜଣାଯାଇଛି।
ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦର୍ଶାଇଛନ୍ତି ଯେ ଓଡ଼ିଶାର ବ୍ୟବସାୟୀମାନେ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଚାଉଳ ବ୍ୟତୀତ ଆଳୁ, ପିଆଜ, ଚିନି, ତେଲ, ଲୁଣ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ବାହାର ରାଜ୍ୟରୁ ଆମଦାନୀ କରିଥାନ୍ତି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଗୁଜରାଟ ଭଳି ରାଜ୍ୟ ଉପରେ ଏହିସବୁ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ନିର୍ଭର କରିବାକୁ ପଡୁଛି।
ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ରାଜ୍ୟରେ ୧୨ଲକ୍ଷ ୫୩ହଜାର ମେଟ୍ରିକ ଟନ୍ ଆଳୁର ଆବଶ୍ୟକ ଥିବାବେଳେ ଓଡ଼ିଶା ମାତ୍ର ୩.୦୨୨୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା। ସେହିପରି ୨୦୧୭-୧୮ରେ ୧୨.୭୦ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଆବଶ୍ୟକସ୍ଥଳେ ୨.୯୮୦୬ ଲକ୍ଷ ମେଟ୍ରିକ୍ ଟନ୍, ୨୦୧୮-୧୯ରେ ୧୨.୮୮ ଲକ୍ଷ ମେଟ୍ରିକ୍ ଟନ୍ ସ୍ଥଳରେ ୨.୯୦୧୪ ଲକ୍ଷ ମେଟ୍ରିକ୍ ଟନ୍, ୨୦୧୯-୨୦ରେ ୧୩.୦୬ଲକ୍ଷ ମେଟ୍ରିକ୍ ଟନ୍ ସ୍ଥଳେ ୨.୯୪୯୫ଲକ୍ଷ ମେଟ୍ରିକ୍ ଟନ୍ ଏବଂ ୨୦୨୦-୨୧ରେ ୧୩.୨୫ଲକ୍ଷ ମେଟ୍ରିକ୍ ଟନ୍ ସ୍ଥଳରେ ୨.୯୬୮୫ଲକ୍ଷ ମେଟ୍ରିକ୍ ଟନ୍ ଚାହିଦା ମେଣ୍ଟାଉଛି। ଗତ ୫ବର୍ଷରେ ରାଜ୍ୟକୁ ପ୍ରାୟ ୫୦ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ ପଡ଼ୁଛି। ରାଜ୍ୟ କେବଳ ଯେ ଆଳୁ ପାଇଁ ପଡୋଶୀ ରାଜ୍ୟଗୁଡିକ ଉପରେ ନିର୍ଭର କରୁଛି ତାହା ନୁହେଁ, ଡାଲି, ଚିନି, ଲୁଣ ଓ ପିଆଜ ଓ ତେଲ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି।
Comments are closed.